କଙ୍ଗନା-ମହାରାଷ୍ଟ୍ର ସରକାର ମୁହାଁମୁହିଁ, ବିଏମ୍‌ସି ଭାଙ୍ଗିଲା କଙ୍ଗନାଙ୍କ ଅଫିସ

ଅଫିସ୍‌କୁ ‘ରାମ ମନ୍ଦିର’, ବିଏମ୍‌ସିକୁ ‘ବାବର’ ସହ ତୁଳନା କଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ହିମାଚଳ ପ୍ରଦେଶରୁ ମୁମ୍ବାଇ ଫେରିଛନ୍ତି। ହିମାଚଳ ପ୍ରଦେଶ ଛାଡ଼ିବା ପୂର୍ବରୁ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମ୍‌ସି ପ୍ରଶାସନ କଙ୍ଗନାଙ୍କ ବାନ୍ଦ୍ରାସ୍ଥିତ ଅଫିସର ବେଆଇନ ନିର୍ମାଣକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦେଇଛି। କଙ୍ଗନା ଏଥିପାଇଁ ମହାରାଷ୍ଟ୍ର ସରକାରଙ୍କୁ ଦାୟୀ କରିଛନ୍ତି। ବିଏମ୍‌ସି ଶିବସେନାର ନିର୍ଦ୍ଦେଶରେ କାର୍ଯ୍ୟ କରୁଛି ବୋଲି କଙ୍ଗନା କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଉଦ୍ଦେଶ୍ୟରେ କଙ୍ଗନା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘ତୁମେ ମୋ’ ଘର ଭାଙ୍ଗିଛ, ତୁମ ଅହଂକାର ଦିନେ ଭାଙ୍ଗିବ।’ ଆଜି ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି କଙ୍ଗନା କହିଛନ୍ତି। ଏହାରି ମଧ୍ୟରେ ବମ୍ବେ ହାଇକୋର୍ଟ କଙ୍ଗନାଙ୍କ ଅଫିସ ଭଙ୍ଗା କାର୍ଯ୍ୟରୁ ନିବୃତ୍ତ ରହିବାକୁ ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି। କଙ୍ଗନା ବେଆଇନ ଭାବେ ଅଫିସ ନିର୍ମାଣ କରିଛନ୍ତି ଦର୍ଶାଇ ବିଏମ୍‌ସି ତାଙ୍କୁ ନୋଟିସ ପ୍ରଦାନ କରିଥିଲା। ୨୪ ଘଣ୍ଟା ମଧ୍ୟରେ ଜବାବ ରଖିବାକୁ କଙ୍ଗନାଙ୍କୁ ସମୟ ଦିଆଯାଇଥିଲା। ତେବେ ସେ ଏହାର ଜବାବ ନରଖିବାକୁ ତାଙ୍କ ‌ଅଫିସର ବେଆଇନ ନିର୍ମାଣକୁ ଭଙ୍ଗାଯାଇଛି ବୋଲି ବିଏମସି ମେୟର କିଶୋରୀ ପେଦେନକାର କହିଛନ୍ତି। ତେବେ ବିଏମସି ତାଙ୍କ ଅଫିସର ବେଆଇନ ନିର୍ମାଣକୁ ଗୋଟିଏ ପଟେ ଭାଙ୍ଗୁଥିବା‌‌‌ବେଳେ ଅନ୍ୟପଟେ ତାଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହା ଉପରେ ସ୍ଥଗିତାଦେଶ ଆଣିଥିଲେ। ବମ୍ବେ ହାଇକୋର୍ଟଙ୍କ ରହିତାଦେଶ ଫଳରେ ବିଏମ୍‌ସି କଙ୍ଗନାଙ୍କ ଅଫିସ ଭଙ୍ଗା କାର୍ଯ୍ୟରୁ ନିବୃତ୍ତ ରହିଛି। ଅପରପକ୍ଷେ, ଶିବସେନା ପରିଚାଳିତ ବିଏମ୍‌ସି ଅନ୍ୟାୟ ଭାବେ ତାଙ୍କ ଅଫିସ ଭାଙ୍ଗିଛି ବୋଲି କଙ୍ଗନା ଅଭିଯୋଗ କରିଛନ୍ତି। ବିଏମ୍‌ସି ବୁଲ୍‌ଡୋଜର ଲଗାଇ ଅଫିସ ଭାଙ୍ଗୁଥିବା ସମୟର ଏକ ଫଟୋ ଟ୍ବିଟ୍‌ କରି କଙ୍ଗନା ମହ‌ାରାଷ୍ଟ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପୁଣିଥରେ ମୁମ୍ବାଇକୁ ‘ପାକ୍‌ ଅଧିକୃତ କା‌ଶ୍ମୀର’ ବୋଲି କହି ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଆଜି କଙ୍ଗନା ନିଜ ରାଜ୍ୟ ହିମାଚଳ ପ୍ରଦେଶରୁ ମୁମ୍ବାଇ ଫେରିବା ପରେ ଶିବସେନା କର୍ମୀମାନେ ତାଙ୍କର ‌ପ୍ରବଳ ବିରୋଧ କରିଥିଲେ। ଶତାଧିକ ଶିବସେନା କର୍ମୀ ଓ ସମର୍ଥକମାନେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବି‌କ୍ଷୋଭ ପ୍ରଦର୍ଶନ କରିବା ସହ କଙ୍ଗନାକୁ କଳାପତାକା ଦେଖା‌ଇ ବିରୋଧ କରିଥିଲେ। କଙ୍ଗନାକୁ ମୁମ୍ବାଇରୁ ଫେରିଯିବାକୁ ଶିବସେନା କର୍ମୀମାନେ ଆହ୍ବାନ ଜଣାଇଥିଲେ। ଅନ୍ୟପକ୍ଷରେ କଙ୍ଗନାଙ୍କ ସପକ୍ଷରେ କରଣୀ ସେନାର କର୍ମୀମାନେ ବାହାରିଥିଲେ।

ମୁମ୍ବାଇ: ଆଜି ବିଏମ୍‌ସି କଙ୍ଗନା ରାଣାୱତଙ୍କ ବାନ୍ଦ୍ରାସ୍ଥିତ ମଣିକର୍ଣ୍ଣିକା ଅଫିସକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦେବା ପରେ କଙ୍ଗନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଙ୍ଗନା ତାଙ୍କ କଣିକର୍ଣ୍ଣିକା ଅଫିସକୁ ‘ରାମ ମନ୍ଦିର’ ସହ ତୁଳନା କରିବା ସହ ବିଏମ୍‌ସି ଅଫିସରମାନଙ୍କୁ ‘ବାବର’ ସହ ତୁଳନା କରିଛନ୍ତି। ଯେଉଁ ବାବର ରାମ ମନ୍ଦିର ଧ୍ବଂସ କରିଥିଲେ, ଦିନେ ସେହି ରାମ ମନ୍ଦିର ପୁନର୍ବାର ନିର୍ମାଣ ହେବ। ସେହିଭଳି ବିଏମ୍‌ସି ଧ୍ବଂସ କରିଥିବା ତାଙ୍କ ଅଫିସ ପୁଣିଥରେ ଠିଆ ହେବ ବୋଲି କଙ୍ଗନା ଟ୍ବିଟ୍‌ କରିଛନ୍ତି। କଙ୍ଗନା ଟ୍ବିଟ୍‌ କରିଛନ୍ତି, ‘ଜୟ ଶ୍ରୀରାମ, ଜୟ ଶ୍ରୀରାମ’।

ସମ୍ବନ୍ଧିତ ଖବର