ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରି ଅଡ଼ୁଆରେ କର୍ଣ୍ଣାଟକ କଂ‌ଗ୍ରେସ ମୁଖ୍ୟ

ନୂଆଦିଲ୍ଲୀ : କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଜଣେ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରି ଅଡ଼ୁଆରେ ପଡ଼ିଯାଇଛନ୍ତି। ଚାପୁଡ଼ା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ସେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଶିବକୁମାରଙ୍କ ସହ ତାଙ୍କ ଦଳର ଜଣେ କର୍ମୀ ଚାଲି ଚାଲି ଯାଉଥିଲେ। କିନ୍ତୁ ସେ ହଠାତ୍‌ ଶିବକୁମାରଙ୍କ କାନ୍ଧରେ ହାତ ପକାଇଦେବାରୁ ଶିବକୁମାରଙ୍କ ରାଗ ଶୀର୍ଷକୁ ଚଢ଼ିଗଲା। ସେ ସମସ୍ତଙ୍କ ସମ୍ମୁଖରେ ଉକ୍ତ କର୍ମୀଙ୍କୁ ଚାପୁଡ଼ା ମାରିଥିଲେ ଏବଂ ସଠିକ୍‌ ବ୍ୟବହାର ଦେଖାଇବା ପାଇଁ କହିଥିଲେ। ମାଣ୍ଡିୟାରେ ଏହି ଘଟଣା ଘଟିଛି।

ପୂର୍ବତନ ମନ୍ତ୍ରୀ ଏବଂ ରାଜନେତା ଜି ମଦେଗୌଡ଼ାଙ୍କୁ ଭେଟିବାକୁ ଯିବା ସମୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଶିବକୁମାର ଚାପୁଡ଼ା ମାରିବାପରେ ସଙ୍ଗେସଙ୍ଗେ ନିଜ ଭୁଲ୍‌ ଜାଣିପାରିଥିଲେ। ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ ସେ ଭିଡିଓ ଡିଲିଟ୍‌ କରିଦେବାକୁ କହିଥିଲେ। ଅତ୍ୟଧିକ ରାଗରେ ସେ ଏଭଳି କରିଥିବା ମାନିଥିଲେ। କିନ୍ତୁ ତାଙ୍କ ଭିଡିଓ ଭାଇରାଲ୍‌ ହେବାପରେ ବିଜେପି ଏହାର କଡ଼ା ନିନ୍ଦା କରିଛି। ବିଜେପି ମୁଖପାତ୍ର ଏସ୍‌ ପ୍ରକାଶ କହିଛନ୍ତି, ବାରମ୍ବାର ସେ ଏଭଳି ଅହଙ୍କାର ଦେଖାଉଛନ୍ତି। ନିଜ କର୍ମୀଙ୍କ ପ୍ରତି ମଧ୍ୟ ସେ ଏଭଳି ବ୍ୟବହାର ଦେଖାଇବା ନିନ୍ଦନୀୟ ବୋଲି ପ୍ରକାଶ କହିଛନ୍ତି।

ସମ୍ବନ୍ଧିତ ଖବର