ବେଙ୍ଗାଲୁରୁ: ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ଜନତା ଦଳ (ଏସ୍)ର ନିଲମ୍ବିତ ନେତା ପ୍ରଜ୍ୱଲ ରେଭାନ୍ନାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଜଷ୍ଟିସ ନାଗାପ୍ରସନ୍ନଙ୍କ ଅଧ୍ୟକ୍ଷତାରେ ଗଠିତ ଅଦାଲତ ମାସକ ତଳେ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ।
ଏହା ପୂର୍ବରୁ ଜଷ୍ଟିସ ଏମ୍. ନାଗାପ୍ରସନ୍ନଙ୍କ ଖଣ୍ଡପୀଠ ରେଭାନ୍ନାଙ୍କ ଆବେଦନ ଓ ସମାନ ଅଭିଯୋଗ ସମ୍ବନ୍ଧୀୟ ଦୁଇଟି ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ। ଶୁଣାଣି ସମୟରେ କୋର୍ଟ ଆଇନଜୀବୀମାନଙ୍କୁ ପୀଡ଼ିତାଙ୍କ ନାମ ଉଲ୍ଲେଖ ନ କରି ଦସ୍ତାବିଜରେ ମାମଲା ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ବିବରଣୀ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ରେଭାନ୍ନାଙ୍କ ବରିଷ୍ଠ ଓକିଲ କେ. ନବଦାଗୀ ତାଙ୍କ ଉପସ୍ଥାପନା ସମୟରେ ଜୋର ଦେଇ କହିଥିଲେ ଯେ ପୂର୍ବରୁ ରେଭାନ୍ନାଙ୍କୁ ଜୋରଜବରଦସ୍ତ ଘରୁ ବାହାର କରିଥିବା ଅଭିଯୋଗ ଆଣିଥିବା ମହିଳା ପ୍ରଥମେ ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିନଥିଲେ। ନବଦାଗୀ ଆହୁରି ଯୁକ୍ତି ବାଢ଼ିଥିଲେ ଯେ ଫରେନସିକ୍ ରିପୋର୍ଟରେ ଏହି ଭିଡିଓରୁ ରେଭାନ୍ନାଙ୍କ ସମ୍ପର୍କକୁ ନିର୍ଦ୍ଦିଷ୍ଟ ଭାବେ ପ୍ରମାଣିତ କରାଯାଇ ନାହିଁ ଏବଂ ପୀଡ଼ିତା ଏବଂ ତାଙ୍କ ଝିଅଙ୍କ ବୟାନକୁ ଖଣ୍ଡନ କରାଯାଇଛି। ସେ ରବନ୍ନାଙ୍କ ଫୋନରେ କୌଣସି ଆପତ୍ତିଜନକ ଭିଡିଓ ଥିବା କଥାକୁ ଅସ୍ୱୀକାର କରି କହିଛନ୍ତି ଯେ ଏହି ଫୋନଟି ରେଭାନ୍ନାଙ୍କ ଡ୍ରାଇଭର କାର୍ତ୍ତିକଙ୍କ ଏବଂ ଫରେନସିକ୍ ସାଇନ୍ସ ଲାବୋରେଟୋରୀ (ଏଫ୍ଏସ୍ଏଲ୍) ରିପୋର୍ଟ ଅସମ୍ପୂର୍ଣ୍ଣ।