ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୫୦ ଫୁଟ୍‌ରୁ ଊର୍ଦ୍ଧ୍ବ କାଶୀ ବିଶ୍ବନାଥ କରିଡର୍‌ର ଉଦ୍‌ଘାଟନ କରିବେ। ଏହା ପ୍ରାଚୀନ କାଶୀ ବିଶ୍ବନାଥ ମନ୍ଦିରକୁ ଗଙ୍ଗାର ୨ଟି ଘାଟ ସହ ସଂଯୋଗ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ସ୍ବପ୍ନର ପ୍ରକଳ୍ପ ୫ ହଜାର ‌ହେକ୍ଟର ଅଞ୍ଚଳରେ ନିର୍ମ‌ାଣ ହୋଇଛି। ପୂର୍ବରୁ ମନ୍ଦିର ପରିସରର ୩ ପାଖରେ ଥିବା କୋଠା ଗୁଡ଼ିକୁ ହଟାଯାଇ ଏବେ ଏହାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ କରାଯାଇଛି। ଆସନ୍ତାକାଲି କାଶୀ ବିଶ୍ବନାଥ କରିଡର୍‌ ଉଦ୍‌ଘାଟନ ହେବ। ୩୩୯ କୋଟି ବିନିମୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କାଶୀ ବିଶ୍ବନାଥ କରିଡର ଉଦ୍‌ଘାଟନ କରିବେ। ମୋଦୀ ଏନେଇ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ଆସନ୍ତାକାଲି ୧୩ ଡିସେମ୍ବର ଏକ କିମ୍ବଦନ୍ତୀ ଦିବସ। କାଶୀରେ ଏକ କାର୍ଯ୍ୟକ୍ରମରେ କାଶୀ ବିଶ୍ବନାଥ ଧାମ ପ୍ରକଳ୍ପର ଉଦ୍‌ଘାଟନ ହେବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ବୋଲି ମୋଦୀ କହିଛନ୍ତି।

Advertisment

୨୦୧୯ ମାର୍ଚ୍ଚରେ ମୋଦୀ ଏହି କରିଡର୍‌ର ଶିଳାନ୍ୟା‌ସ କରିବାପରଠାରୁ ମନ୍ଦିର ନିକଟରୁ ୩୦୦ରୁ ଅଧିକ କୋଠା ହଟାଯାଇଛି। ପ୍ରକଳ୍ପ ପାଇଁ ଜାଗା ସୃଷ୍ଟି କରିବା ନିମନ୍ତେ ଘର ଗୁଡ଼ିକୁ ଭଙ୍ଗା ଯାଇଛି। ଏହି ଘର ଗୁଡ଼ିକୁ କ୍ରୟ କରିବାପାଇଁ ପ୍ରାୟ ୪୫୦ କୋଟି ଖର୍ଚ୍ଚ ହୋଇଛି। କରିଡର୍‌ ଉଦ୍‌ଘାଟନ ପାଇଁ ଆଉ ୨୪ ଘଣ୍ଟାରୁ କମ୍‌ ସମୟ ଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ବରିଷ୍ଠ ନେତା ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସନ୍ତାକାଲି ଏଠାରେ ଶକ୍ତି ପ୍ରଦର୍ଶନ କରିବେ ବୋଲି କୁହାଯାଉଛି। ଘାଟରେ କାମ କରୁଥିବା‌ ଜଣେ ଶ୍ରମିକ କହିଛନ୍ତି, ପ୍ରକଳ୍ପ ଶେଷ ହେବା ପାଇଁ ଆଉ ୪ ମାସ ଲାଗିଯିବ। ତେବେ ମୋଦୀଜୀ ଏଠାକୁ ଆସିଲେ ସ୍ଥାନୀୟ ପ୍ରଶାସନ ତାଙ୍କୁ ଯାହା ଦେଖାଇବାକୁ ଚାହିବେ ତାହା ସେ ଦେଖିବେ ବୋଲି ଶ୍ରମିକ ଜଣକ କହିଛନ୍ତି। ଏହି ପ୍ରକଳ୍ପ ଦ୍ବାରା ତୀର୍ଥଯାତ୍ରୀମାନେ ଆରାମରେ ଚାଲିକି ଯାଇପାରିବେ। ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ବିମଲ ପଟେଲ କହିଛନ୍ତି, ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ବଢ଼ାଯାଇଛି। ବାରଣାସୀରେ ଆସନ୍ତାକାଲି ଶତାଧିକ ଧାର୍ମିକ ଗୁରୁଙ୍କର ସମାଗମ ହେବ। ‘ଦିବ୍ୟ କାଶୀ, ଭବ୍ୟ କାଶୀ’ କାର୍ଯ୍ୟକ୍ରମ ପାଇଁ ବାରଣାସୀକୁ ସଜାଯାଇଛି। ଆଲୋକରେ ସହରକୁ ସୁସଜ୍ଜିତ କରାଯାଇଛି। ଆସନ୍ତାକାଲି ବାରଣାସୀର ୮ ଲକ୍ଷ ଘରେ ଲଡ଼ୁ ପହଞ୍ଚିବ। କାଶୀ ବିଶ୍ବନାଥ କରିଡର ଉଦ୍‌ଘାଟନ ପରେ ୮ ଲକ୍ଷ ଘରକୁ ୧୬ ଲକ୍ଷ ଲଡ଼ୁ ପଠାଯିବ।