କେରଳ ମୁଖ୍ୟମନ୍ତ୍ରୀଙ୍କ ଝିଅର ସାଦାସିଧା ବାହାଘର, ମାତ୍ର ୨୫ ଜଣ ଯୋଗଦେଇଥିଲେ

ତିରୁବନନ୍ତପୁରମ୍: ମହାମାରୀ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବାରୋପ କରାଯାଉଥିବା ବେଳେ କୌଣସି ପ୍ରକାର ସମାବେଶ ଓ ସାମାଜିକ ଉତ୍ସବ ଉପରେ ମଧ୍ୟ କଟକଣା ରହିଛି। ତେବେ ଏଭଳି ସ୍ଥିତିରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍‌ ନିଜ ଝିଅ ବୀଣା ଟିଙ୍କର ବିବାହକୁ ସୀମିତ ଅତିଥିଙ୍କୁ ଧରି ଅତି ନିରାଡ଼ମ୍ବର ଭାବେ ସଂପନ୍ନ କରିବା ଘଟଣା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଅପରପକ୍ଷେ, ଉକ୍ତ ବିବାହ ଉତ୍ସବରେ ଜଣେ ହତ୍ୟା ଅଭିଯୁକ୍ତର ଉପସ୍ଥିତିକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଏକ ଗୁରୁତର ସୁରକ୍ଷା ତ୍ରୁଟି ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ କୈଫିୟତ ଦିଅନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି।

ବେଙ୍ଗାଲୁରୁର ଏକ ଷ୍ଟାଟ୍ ଅପ୍ କମ୍ପାନିର ପରିଚାଳନା ନିର୍ଦ୍ଦେଶିକା ଥିବା ବୀଣାଙ୍କ ସହିତ ଡିଓ୍ବାଇଏଫ୍‌ଆଇ ସଭାପତି ତଥା ଆଇନଜୀବୀ ପିଏ ମହମ୍ମଦ ରିୟାସ୍‌ଙ୍କର ଶୁଭ ପରିଣୟ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉଭୟଙ୍କର ଏହା ଦ୍ବିତୀୟ ବିବାହ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଆୟୋଜିତ ଏହି ଉତ୍ସବରେ ମାତ୍ର ୨୫ ଜଣ ଅତିଥିଙ୍କର ସମାଗମ ହୋଇଥିଲା। ତେବେ ବିବାହ ସଂକ୍ରାନ୍ତ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏକ ବିବାଦୀୟ ପରିସ୍ଥିତି ଉପୁଜିଛି। ନିମନ୍ତ୍ରିତ ଅତିଥିମାନଙ୍କ ଭିତରେ ମହମ୍ମଦ ହସିମ୍ ନାମକ ଜଣେ ହତ୍ୟା ଅଭିଯୁକ୍ତ ଥିଲେ ଏବଂ ସେ କୋଭିଡ୍‌ ପାଇଁ ପାରୋଲ୍‌ରେ କାରାଗାରରୁ ବାହାରକୁ ଯାଇଥିଲେ ବୋଲି ବିଜେପି ଅଭିଯୋଗ ଆଣିଛି। ୨୦୧୭ ମସିହାରୁ ୭ ବର୍ଷର କାରାଦଣ୍ଡ ଭୋଗୁଥିବା ହସିମ୍ କିପରି ମୁଖ୍ୟମନ୍ତ୍ରୀଙ୍କ ଗହଣରେ ସମୟ କାଟିଲେ ବୋଲି ବିଜେପି ମୁଖପାତ୍ର ସନ୍ଦୀପ ଓ୍ବାରିଅର୍ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର