କେରଳ ରାଜ୍ୟପାଳଙ୍କୁ ଚାନ୍ସେଲର ଭାବେ ହଟାଇବା ପାଇଁ ରାଜଭବନକୁ ଅଧ୍ୟାଦେଶ ପଠାଇଲେ କେରଳ ସରକାର

ତିରୁଅନନ୍ତପୁରମ୍‌ : କେରଳ ସରକାର କେରଳ ରାଜ୍ୟପାଳଙ୍କୁ ରାଜ୍ୟ ବିଶ୍ବବିଦ୍ୟାଳୟରୁ ଚାନ୍ସେଲର ଭାବେ ହଟାଇବା ନେଇ ଏକ ଅଧ୍ୟାଦେଶ ଆଣିଛନ୍ତି। ଏହି ଅଧ୍ୟାଦେଶକୁ ସ୍ବୀକୃତି ପାଇଁ ରାଜଭବନ ପଠାଯାଇଛି। ଏନେଇ କ୍ୟାବି‌ନେଟ୍‌ ନିଷ୍ପତ୍ତି ହେବାର କିଛି ଦିନ ପରେ ସରକାର ଆଜି ରାଜଭବନକୁ ଅଧ୍ୟାଦେଶ ପଠାଇଛନ୍ତି। ରାଜଭବନ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି। ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କ ସ୍ବୀକୃତି ପାଇଁ ଅଧ୍ୟାଦେଶ ପହଞ୍ଚିଛି ବୋଲି ରାଜଭବନ ପକ୍ଷରୁ ସ୍ପଷ୍ଟ ହୋଇଛି। କିନ୍ତୁ କ୍ୟାବିନେଟ୍‌ ନିଷ୍ପତ୍ତିକୁ ଉଭୟ ବିଜେପି ଏବଂ କଂଗ୍ରେସ ବିରୋଧ କରିଛନ୍ତି। କେରଳରେ ବିଶ୍ବବିଦ୍ୟାଳୟକୁ ‘କମ୍ୟୁନିଷ୍ଟ କେନ୍ଦ୍ର’ରେ ପରିଣତ କରିବାପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ହୋଇଛି ବୋଲି ବିରୋଧୀ ଦଳ ନେତାମାନେ ଅଭିଯୋଗ କରିଛନ୍ତି। ତେବେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି। ରାଜ୍ୟପାଳ ନିକଟରେ କହିଥିଲେ ଯେ ସେ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବେ।

ସମ୍ବନ୍ଧିତ ଖବର