ଥିରୁବନନ୍ତପୁରମ: ଜଣେ ମହିଳାଙ୍କ ଯୋଗୁଁ କେରଳରେ ବିଜୟନ ସରକାର ବିବାଦରେ ଫସିଯାଇଛି। ତାଙ୍କ ଯୋଗୁଁ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଚାକିରୀ ମଧ୍ୟ ଯାଇଛି। ସେ ଏକ ବଡ଼ ଧରଣର ଆନ୍ତର୍ଜାତିକ ସୁନା ଚୋରା ଚାଲାଣ ରାକେଟରେ ସଂପୃକ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଢାଲ କରି ସେ ଦୀର୍ଘ ଦିନ ଧରି ଏହି ରାକେଟ ଚଳାଇଥିଲେ। ଗତକାଲି ବିମାନଘାଟୀରେ ୧୫ କୋଟି ଟଙ୍କାର ୩୦ କିଲୋ ସୁନା ଧରାପଡ଼ିବା ପରେ େସ ଅନ୍ତର୍ଧାନ ହୋଇଯାଇଛନ୍ତି। ଏହାକୁ ନେଇ ଏବେ କେରଳ ସରକାର ଉଠୁଛି ପଡ଼ୁଛି।
ମିଳିଥିବା ସୂଚନା ଅନୁଯାୟୀ ୟୁଏଇରୁ ଗତକାଲି ଆସିଥିବା ଏକ ମାଲବାହୀ ବିମାନରେ ବିପୁଳ ପରିମାଣର ସୁନା ଆସୁଛି ବୋଲି ଜଣାପଡ଼ିବା ପରେ କଷ୍ଟମ ବିଭାଗର କର୍ମଚାରୀମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହି ସମୟରେ ଗୋଟିଏ ଦୂତାବାସ ଯାଉଥିବା ଏକ ବ୍ୟାଗରୁ ୩୦ କିଲୋ ସୁନା ମିଳିଥିଲା। ଏହାର ମୂଲ୍ୟ ୧୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ନିୟମ ଅନୁଯାୟୀ ଦୂତାବାସର କୌଣସି ସାମଗ୍ରୀ କିମ୍ବା ବ୍ୟାଗକୁ କଷ୍ଟମ ବିଭାଗ ଯାଞ୍ଚ କରିପାରିବେ ନାହିଁ। କିନ୍ତୁ ଏହି ଯାଞ୍ଚ ଲାଗି ବିଭାଗୀୟ ଅଧିାରୀଙ୍କ ସରକାରଙ୍କ ଠାରୁ ଅନୁମତି ନେଇଥିଲେ। ଏହି ସୁନା ଭର୍ତି ଲଗେଜ୍ ସରିତ କୁମାର ନାମକ ଜଣେ ୟୁଏଇ ଦୂତାବାସ କର୍ମଚାରୀଙ୍କ ନାମରେ ଆସିଥିଲା। ଏହି ବ୍ୟାଗ୍ ନେବାପାଇଁ ସରିତ ବିମାନ ବନ୍ଦରକୁ ଆସିଥିଲେ। ଏହି ସମୟରେ କଷ୍ଟମ କର୍ମଚାରୀମାନେ ତାଙ୍କୁ ଧରି ନେଇଥିଲେ। ପଚରାଉଚରା ବେଳେ ସେ ସ୍ବପ୍ନା ସୁରେଶ ନାମକ ଜଣେ ମହିଳାଙ୍କ ସଂପର୍କରେ ତଥ୍ୟ ଦେଇଥିଲେ। ସ୍ବପ୍ନାଙ୍କ ପାଇଁ ଏହି ସୁନା ଆସିଥିବା ସେ କହିଥିଲେ।
ସ୍ବପ୍ନା କେରଳ ସରକାରଙ୍କ ଆଇଟି ବିଭାଗରେ ମ୍ୟାନେଜର ଭାବେ କାମ କରୁଥିବା ଜଣାପଡ଼ିଛି। ଏହାପୂର୍ବରୁ ସେ ୟୁଏଇ ଦୂତାବାସରେ ଏକଜିକ୍ୟୁଟିଭ୍ ଭାବେ ମଧ୍ୟ କାମ କରିଥିଲେ। କେରଳର ବରିଷ୍ଠ ଆଇଏଏସ୍ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏମ୍. ଶିବଶଙ୍କର ସମଗ୍ର ଘଟଣାରେ ସ୍ବପ୍ନାଙ୍କୁ ସୁରକ୍ଷା ଦେଉଥିଲେ ବୋଲି ଖୋଳତାଡ଼ ବେଳେ ଜଣାପଡ଼ିଛି। ସେ ହିଁ ସ୍ବପ୍ନାଙ୍କୁ ଆଇଟି ବିଭାଗରେ ମ୍ୟାାନେଜର ଚାକିରି ଦେଇଥିଲେ। ଏହି ଖବର ପ୍ରଚାରିତ ହେବାପରେ ବିଜୟନ ସରକାର ଅକଳରେ ପଡ଼ିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଶ୍ରୀନିବାସନଙ୍କୁ ତାଙ୍କ ପଦରୁ ହଟାଇାବ ସହିତ ମାମଲାର ତଦନ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ସ୍ବପ୍ନା କିଏ ତାହା ସେ ଜାଣନ୍ତି ନାହିଁ। ଆଇଟି ବିଭାଗରେ ସ୍ବପ୍ନା କିପରି ଚାକିରି ପାଇଲେ ତାହାର ତଦନ୍ତ କରାଯିବ।
ଇତିମଧ୍ୟରେ କଷ୍ଟମ ବିଭାଗ ସ୍ପପ୍ନାଙ୍କୁ ଖୋଜିବା ଆରମ୍ଭ କରିଛି। ବିବାଦୀୟ ପରିସ୍ଥିତିରେ ୟୁଏଇ ଦୂତାବାସରୁ ତଡ଼ା ଖାଇଥିବା ସ୍ବପ୍ନା ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଆଇଟି ବିଭାଗରେ କେମିତି ନିଯୁକ୍ତି ପାଇଲେ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀନିବାସନଙ୍କ ସହିତ ତାଙ୍କର ସଂପର୍କ କଣ ତାହାର ଖୋଳତାଡ଼ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି। ଏହି ମାମଲାର ସିବିଆଇ ତଦନ୍ତ ଲାଗି ସେମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/gold1.jpg)