‘ଦ କଶ୍ମୀର ଫାଇଲ୍ସ’ ପରେ ଆସୁଛି ‘ଦ କେରଳ ଷ୍ଟୋରୀ’

ନୂଆଦିଲ୍ଲୀ: ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରରେ କଶ୍ମୀର ପଣ୍ଡିତଙ୍କ ଅତ୍ୟାଚାର ପରେ ଏବେ କେରଳରେ ଗତ ୧୦ ବର୍ଷରେ ୩୨ ହଜାର ଝିଅ ନିଖୋଜ ହେବା ଓ ଏହା ପଛରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ହାତ ଥିବା ଘଟଣାକୁ ବଡ ପରଦାରେ ପ୍ରଦର୍ଶିତ କରାଯିବ।

ଏହି ଚଳଚ୍ଚିତ୍ରର ନାମ ‘ଦ କେରଳ ଷ୍ଟୋରୀ’ ରଖାଯିବ। ସୁଦୀପ୍ତ ସେନ୍ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦାୟିତ୍ଵ ତୁଲାଇବେ। ମଙ୍ଗଳବାର ଏହା ଘୋଷଣା କରାଯାଇଛି। ଚଳଚ୍ଚିତ୍ରଟି ମାନବ ଚାଲାଣ,  ଆଇଏସଆଇଏସ ଦ୍ଵାରା ଝିଅମାନଙ୍କ ଚାଲାଣ, ତାଙ୍କୁ ନିଜ ପୁଅମାନଙ୍କ ସହ ବିବାହ, ଧର୍ମ ପରିବର୍ତ୍ତନ ସହ ଜଡିତ ବିଷୟ ଉପରେ ଆଧାରିତ ହେବ।

ଚଳଚ୍ଚିତ୍ର ନିର୍ମାତାଙ୍କ ତରଫରୁ ଏକ ସଂକ୍ଷିପ୍ତ ଟିଜର୍ ରିଲିଜ୍ କରାଯାଇଛି। ଯେଉଁଥିରେ ସେମାନେ କେରଳରେ ହେଉଥିବା ହଜାର ହଜାର ଝିଅଙ୍କ ଚାଲାଣ ଓ ବେଆଇନ୍ ବିକ୍ରି କରିବା ବିଷୟରେ କୁହାଯାଇଛି। ଟିଜର୍ ଅନୁସାରେ ବର୍ତ୍ତମାନ ସୁଦ୍ଧା ୩୨ ହଜାରରୁ ଅଧିକ ମହିଳାଙ୍କୁ ଅପହରଣ କରାଯାଇଛି। ଏହିଠାରୁ କେରଳକୁ ମୁସଲିମ୍ ରାଜ୍ୟରେ ପରିବର୍ତ୍ତନ କରିବାକୁ ଏକ ଅଭିଯାନ ବି ଆରମ୍ଭ କରାଯାଉଛି।  କେରଳରେ ଏପରି ଘଟଣା ଏକ ଦଶକରୁ ଅଧିକ ସମୟ ଧରି ଚାଲିଛି। ଏହା ଉପରେ ନିର୍ମାତା ଅନେକ ଦିନ ଧରି ଗବେଷଣା କରିଛନ୍ତି।

ଚଳଚ୍ଚିତ୍ରକୁ ନେଇ ପ୍ରଯୋଜକ ବିପୁଲ୍ ଅମୃତଲାଲ ଶାହ କହିଛନ୍ତି, ଏହି କାହାଣୀ ଏକ ମାନବୀୟ ଦୂରବସ୍ଥା ବିଷୟରେ ଆଧାରିତ, ଯାହା ଆପଣଙ୍କ ହୃଦୟକୁ ତରଳାଇ ଦେବ। ଯେତେବେଳେ ସୁଦୀପ୍ତ ଆସି ମୋତେ ୩-୪ ବର୍ଷରୁ ଅଧିକ ସମୟ ଧରି କରିଥିବା ଅନୁସନ୍ଧାନ ସହ ଶୁଣାଇଥିଲେ ସେତେବେଳେ ମୁଁ କାନ୍ଦି ପକେଇଥିଲି। ସେହି ଦିନ ମୁଁ ଏହି ଚଳଚ୍ଚିତ୍ରକୁ ବନାଇବାକୁ ସ୍ଥିର କରିଥିଲି। ମୁଁ ଖୁସି ଅଛି ଯେ ଏବେ ଆମେ ଏହି ଚଳଚ୍ଚିତ୍ରକୁ ନେଇ ଆଗକୁ ବଢୁଛୁ ଓ ଆମେ ଏହି ଘଟଣାଗୁଡିକୁ ବାସ୍ତବିକ, ନିରପେକ୍ଷ ବନାଇବାକୁ ଆଶା କରୁଛୁ।

ଅନ୍ୟପକ୍ଷରେ ଲେଖକ ଓ ନିର୍ଦ୍ଦେଶକ ସୁଦୀପ୍ତ ସେନ୍ କହିଛନ୍ତି, ଏକ ଯାଞ୍ଚ ଅନୁସାରେ ୨୦୦୯ରୁ କେରଳ ଓ ମାଙ୍ଗାଲୋରର ପ୍ରାୟ ୩୨ ହଜାର ଝିଅଙ୍କୁ ହିନ୍ଦୁ ଓ ଇସାଈ ଧର୍ମରୁ ଇସ୍ଲାମକୁ ପରିବର୍ତ୍ତନ କରାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଝିଅଙ୍କୁ ସିରିୟା, ଆଫଗାନିସ୍ତାନ ଓ ଅନ୍ୟ ଆଇଏସଆଇଏସ ହକ୍କାନି ଅଞ୍ଚଳକୁ ପଠାଯାଇଛି।

ସମ୍ବନ୍ଧିତ ଖବର