ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟ ବିବାଦୀୟ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ବିରୋଧରେ ଆଗତ ମାମଲାର ଶୁଣାଣି କରିବାକୁ ଆଜି ମନା କରିଦେଇଛନ୍ତି। କେରଳ ହାଇକୋର୍ଟ ମାମଲାର ଶୁଣାଣି କରିବାକୁ ମନା କରିଦେବା ପରେ ବରିଷ୍ଠ ଆଇନଜୀବୀ ହୁଜେଫା ଅହମଦି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଆଗରେ ତାହା ଉପସ୍ଥାପନ କରିଥିଲେ।

Advertisment

ମେ ୫ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାକୁ ଥିବା ବେଳେ ଗତକାଲି ସୁପ୍ରିମ୍‌କୋର୍ଟ ଏହାର ଜରୁରୀ ଶୁଣାଣି ପାଇଁ ହାଇକୋର୍ଟ ଯିବାକୁ କହିଥିଲେ। ଅହମଦି କହିଲେ ଯେ, କେରଳ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ପାଖକୁ ଏକ ଚିଠି ପଠାଯାଇଥିଲା। ମାମଲାର ଶୁଣାଣି ପାଇଁ ଏକ ବେଞ୍ଚ ଗଠନ କରାଯାଇଥିବା ସେ ସୂଚନା ଦେଇଥିଲେ। ତେବେ ପରେ ପିଟିସନରମାନଙ୍କୁ ଖବର ଦିଆଯାଇଥିଲା ଯେ ଆଜି ବେଞ୍ଚ ବସିବ ନାହିଁ କାରଣ କେରଳ ହାଇକୋର୍ଟରେ ଗ୍ରୀଷ୍ମାବକାଶ ଛୁଟି ଆରମ୍ଭ ହେବାକୁ ଯାଉଛି।

ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆବେଦନର ଶୁଣାଣି କରିବାକୁ ମନା କରିବା ସହ ପୁଣି ହାଇକୋର୍ଟ ଯିବା ପାଇଁ ଆବେଦନକାରୀମାନଙ୍କୁ କହିଥିଲେ। ସିଜେଆଇ ପୁଣି କହିଥିଲେ ଯେ, ହାଇକୋର୍ଟ ତ ମେ ୨ ତାରିଖରେ ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଦେବା ପାଇଁ ମନା କରିଦେଇଚନ୍ତି। କାରଣ ଏହାକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍‌ସି) ପକ୍ଷରୁ ସାର୍ଟିଫିକେଟ୍ ଦିଆସରିଛି। ଫିଲ୍ମ ପ୍ରଡ୍ୟୁସରଙ୍କ ଦୃଷ୍ଟିକୋଣରୁ ଏହାକୁ ଦେଖନ୍ତୁ। କେତେଥର ଏହାକୁ ଚ୍ୟାଲେଞ୍ଜ କରିବେ? ତୁମେ ପୁଣି ହାଇକୋର୍ଟକୁ ଯାଇପାର ବୋଲି ସିଜେଆଇ ଅହମଦିଙ୍କୁ କହିଥିଲେ। ତଥାପି ଅହମଦି ଚଳଚ୍ଚିତ୍ରର ମୁକ୍ତିଲାଭ ପୂର୍ବରୁ ଏହା ଉପରେ ଥରେ ଶୁଣାଣି କରିବା ପାଇଁ ଅନୁରୋଧ କରିଥିଲେ।

ସିଜେଆଇ କହିଥିଲେ, ତୁମେ ଅଭିନେତା ଓ ନିର୍ମାତାଙ୍କ ବିଷୟରେ ଚିନ୍ତା କରିବା ଉଚିତ। ସେମାନେ ଏଥିପାଇଁ ବହୁ ପରିଶ୍ରମ କରିଛନ୍ତି। ତେଣୁ କୌଣସି ଫିଲ୍ମ ଉପରେ ସ୍ଥିଗିତାଦେଶ ଦେବା ପୂର୍ବରୁ ସତର୍କତାର ସହ ବିଚାର କରିବା ଉଚିତ। ଯଦି ଫିଲ୍ମଟି ଉପଯୁକ୍ତ ମାନର ନୁହେଁ, ତେବେ ବଜାର ତାହା ଉପରେ ନିଷ୍ପତ୍ତି ନେବ।

ସିଜେଆଇ କହିଥିଲେ, ସିବିଏଫ୍‌ସି ଚଳଚ୍ଚିତ୍ରକୁ ଅନୁମୋଦନ ଦେଇଛନ୍ତି। କେରଳ ହାଇକୋର୍ଟ ସ୍ଥିଗିତାଦେଶ ଦେବାକୁ ମନା କରିଦେଇଛନ୍ତି। ଗତକାଲି ଆମେ ଆର୍ଟିକଲ ୩୨ ଅନୁସାରେ ପିଟିସନର ଶୁଣାଣି କରିବାକୁ ମନା କରିଥିଲୁ। ଆଉ ଏ ଅବସ୍ଥାରେ ପୁଣି ଆମେ ତାହାର ଶୁଣାଣି କରିପାରିବୁ ନାହିଁ। ତୁମେ ହାଇକୋର୍ଟ ଯାଅ। କିନ୍ତୁ ହାଇକୋର୍ଟ ଆମର ଅଧସ୍ତନ ନୁହେଁ। ତେଣୁ ନିର୍ଦ୍ଦିଷ୍ଟ ସମୟରେ କୌଣସି ମାମଲାର ଶୁଣାଣି କରିବାକୁ ହାଇକୋର୍ଟକୁ ଆମେ ଆଦେଶ ଦେଇପାରିବୁ ନାହିଁ ବୋଲି ସିଜେଆଇ ଚନ୍ଦ୍ରଚୂଡ଼ କହିଥିଲେ।