‘ଅପହୃତ’ ଆପ୍‌ ନେତା ନିଜ ଦଳକୁ ଘେରିଲେ: ଦଳକୁ ଦେଶ ବିରୋଧୀ ଓ ରାଜ୍ୟ ବିରୋଧୀ କହିଲେ

‘ଅପହରଣ ଅଭିଯୋଗ ଡାହା ମିଛ’

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦ୍‌ମୀ ପାର୍ଟି ଅଭିଯୋଗ କରିଛି ଯେ ଗୁଜରାଟରେ ତାଙ୍କର ଜଣେ ନେତାଙ୍କୁ ବିଜେପି ବନ୍ଧୁକ ମୁନରେ ଅପହରଣ କରି ସେ ସୁରତ (ପୂର୍ବ) ଆସନ ପାଇଁ ଦାଖଲ କରିଥିବା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ କରିଛି। ତେବେ ସଂପୃକ୍ତ ନେତା ଆଜି ଅପରାହ୍ନରେ ଗଣମାଧ୍ୟମ ସାମ୍ନାକୁ ଆସି ଆପ୍‌ ଡାହା ମିଛ କହୁଥିବା କହିଛନ୍ତି। ଆପ୍ ନେତାମାନଙ୍କ କହିବା ଅନୁସାରେ ବିଜେପି ତାଙ୍କର ସୁରତ (ପୂର୍ବ) ପ୍ରାର୍ଥୀ କାଞ୍ଚନ ଜରିୱାଲାଙ୍କୁ ଅପହରଣ କରି ପୁଲିସ ଦ୍ବାରା ନିର୍ବାଚନ ଅଫିସକୁ ନେଇଥିଲା।

ଆପ୍ ନେତା ମନିଷ ସିସୋଦିଆ କହିଛନ୍ତି ଯେ ଜରିୱାଲାଙ୍କୁ ୫୦୦ ପୁଲିସଙ୍କ ଘେରରେ ଗୁଜରାଟ ନିର୍ବାଚନ ରିଟର୍ଣ୍ଣିଂ ଅଫିସକୁ ନିଆଯାଇଥିଲା। ସେଠାରେ ତାଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯାଇଥିଲା। ଏହା ବିରୋଧରେ ନିର୍ବାଚନ କମିସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରି ଟ୍ବିଟ୍ କରିଛନ୍ତି। ଅନ୍ୟ ଜଣେ ଆପ୍ ନେତା ରାଘବ ଚଢ଼ା ଏକ ନାଟକୀୟ ଭିଡ଼ିଓ ସେୟାର କରି ଜରିୱାଲାଙ୍କୁ ଘୋଷାରି ଘୋଷାରି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ କରିଛନ୍ତି। ଆପ୍‌ର ଏଭଳି ଅଭିଯୋଗ ପରେ ଜରିୱାଲା କହିଛନ୍ତି ଯେ ଅସଲରେ ଆପ୍‌ ଏକ ଦେଶ ବିରୋଧୀ ଏବଂ ଗୁଜରାଟ ବିରୋଧୀ ଦଳ ବୋଲି ତାଙ୍କର ହୃଦ୍‌ବୋଧ ହୋଇଛି ଏବଂ ସେ ନିଜ ବିବେକ ଅନୁଯାୟୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର  କରିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର