ମୁମ୍ବାଇ: ସିବିଆଇ ଦ୍ବାରା ଗିରଫ ହୋଇ ହାଜତରେ ଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଆଜି ଜେଲ୍ରୁ ବାହାରିଛନ୍ତି। ଗତକାଲି ବମ୍ବେ ହାଇକୋର୍ଟ ସେମାନଙ୍କ ଜାମିନ ମଞ୍ଜୁର କରିଥିଲେ। ତାଙ୍କ ଗିରଫଦାରୀକୁ କୋର୍ଟ ବେଆଇନ ବୋଲି କହିଥିଲେ। ଚଳିତ ମାସ ୧୫ରେ ତାଙ୍କ ପୁଅ ବାହାଘର ହେବାର ଥିଲା। କିଛି ଦିନ ପୂର୍ବେ ତାହାକୁ ସ୍ଥଗିତ ରଖାଯାଇଥିଲା। ପୂର୍ବ ନିର୍ଧାରିତ ସମୟ ଅନୁସାରେ ବାହାଘର ହେବ ନା ନାହିଁ ତାହା ସ୍ଥିର ହୋଇନାହିଁ।
ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍କୁ ଦିଆଯାଇଥିବା ୩୨୫୦ କୋଟି ଟଙ୍କା ଋଣ କାରବାରରେ ୬୪ କୋଟି ଟଙ୍କାର କିକ୍ବ୍ୟାକ୍ କାରବାର ହୋଇଥିବା ଅଭିଯୋଗରେ ସିବିଆଇ ପକ୍ଷରୁ କୋଚ୍ଚର ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ପାଇବା ପରେ ଭିଡିଓକନ୍ ମୁଖ୍ୟ ବେଣୁଗୋପାଳ ଧୁତ୍ ୬୪ କୋଟି ଟଙ୍କା ଚନ୍ଦାଙ୍କ ସ୍ବାମୀ ଦୀପକଙ୍କ କଂପାନିରେ ନିବେଶ କରିଥିଲେ। ତାହା କିକ୍ବ୍ୟାକ୍ ଥିଲା ବୋଲି ଅଭିଯୋଗ ରହିଛି। ଏହି ମାମଲାରେ ଶ୍ରୀ ଧୁତ୍ଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ଗିରଫଦାରୀକୁ ଧୁତ୍ ମଧ୍ୟ ଚ୍ୟାଲେଞ୍ଜ୍ କରିଛନ୍ତି। ତାଙ୍କ ଆବେଦନ ଉପରେ କୋର୍ଟ ସିବିଆଇକୁ ଜବାବ ତଲବ କରିଛନ୍ତି।