ବିଜୟ ଦିବସ ପାଳିଲେ ପୁଟିନ୍: କହିଲେ; ରୁଷର ଆତ୍ମବିଶ୍ୱାସ ବଢାଉଛି ସେନାଙ୍କ ଦକ୍ଷତା

ନୂଆଦିଲ୍ଲୀ: ରୁଷ ରାଜଧାନୀ ମସ୍କୋର ରେଡ୍ ସ୍କୋୟାରରେ ଶକ୍ତି ପ୍ରଦର୍ଶନ କଲା କ୍ରେମଲିନ । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷିଆ ସୋମବାର ୭୭ତମ ବିଜୟ ଦିବସ ପାଳନ କରିଛି । ରୁଷ ସେନା ପାୱାରଫୁଲ ଏୟାର ସୋ ଓ ପରେଡ କରି ପୁଣି ଥରେ ପୂରା ବିଶ୍ୱ ନିକଟରେ ନିଜର ଶକ୍ତି ଦେଖାଇଛି । ବିଜୟ ଦିବସରେ ରୁଷ ସେନାର ଥର୍ମାନ୍ୟୁକ୍ଲିୟର ମିସାଇଲ, ୧୩୦ଟି ଅସ୍ତ୍ରଶସ୍ତ୍ର ସଜ୍ଜିତ ଯୁଦ୍ଧଯାନ, ୩୪ଟି ଟ୍ୟାଙ୍କ, ଟି-୯୦ ପରଭ୍ୟୁ ଯୁଦ୍ଧ ଟ୍ୟାଙ୍କ, ଅତ୍ୟାଧୁନିକ ଏସ ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ପରେଡରେ ସାମିଲ ହୋଇଥିଲେ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଜୟ ଦିବସ ସମାରୋହରେ ଯୋଗ ଦେଇ ସେନାକୁ ସମ୍ବୋଧିତ କରିଛନ୍ତି । ଏଥିସହ ସେନା କମାଣ୍ଡରଙ୍କୁ ଭେଟି ସେମାନଙ୍କ ମନୋବଳ ବଢ଼ାଇଛନ୍ତି । ଏହି ସମୟରେ ପୁଟିନ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧକୁ ନେଇ ମଧ୍ୟ ନିଜର ବୟାନ ରଖିଛନ୍ତି । ୟୁକ୍ରେନ ବିରୋଧରେ ରୁଷିଆର ସେନା କାର୍ଯ୍ୟାନୁଷ୍ଠାନ ଏକ ଉଚିତ ପଦକ୍ଷେପ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି । ପୁଟିନ କହିଛନ୍ତି, ଏହାଦ୍ୱାରା ପାଶ୍ଚାତ୍ୟ ନୀତିକୁ ଠିକ ସମୟରେ ଉଚିତ ଜବାବ ଦିଆଯିବା ସମ୍ଭବପର ହୋଇଛି ।

ବିଜୟ ଦିବସ ସମାରୋହରେ ଯୋଗ ଦେଇ ପୁଟିନ ଏକଥା ବି କହିଛନ୍ତି କି ରୁଷ ସେନା ନିଜ ମାତୃଭୂମିର ସୁରକ୍ଷା ପାଇଁ ଲଢୁଛି । ହିଟଲରଙ୍କ ଭଳି ୟୁକ୍ରେନକୁ ମଧ୍ୟ ରୁଷିଆ ଜବାବ ଦେବ ବୋଲି ପୁଟିନ କହିଛନ୍ତି । ଏହି ସମୟରେ ନାଟୋ ଦେଶଙ୍କୁ ରୁଷ ପାଇଁ ବିପଦର ଦେଶ ବୋଲି କହିଛନ୍ତି ପୁଟିନ । ପାଶ୍ଚାତ୍ୟଦେଶ ରୁଷ ସୀମାରେ ହତିଆର ଠୁଳ କରୁଛନ୍ତି । ତେଣୁ ଶତ୍ରୁଦେଶଙ୍କୁ ରୁଷ ମୁହଁତୋଡ ଜବାବ ଦେବ ବୋଲି ଚେତାବନୀ ଦେଇଛନ୍ତି ରୁଷ ରାଷ୍ଟ୍ରପତି। ବିଜୟ ଦିବସରେ ନାଟୋଦେଶମାନଙ୍କୁ ୟୁକ୍ରେନ୍ ଆକ୍ରମଣ ପାଇଁ ସିଧାସଳଖ ଦାୟୀ କରିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ । ପୁଟିନ କହିଛନ୍ତି, ରୁଷ ଉପରେ ନାଟୋ ଦେଶମାନେ ଆକ୍ରମଣ ଯୋଜନା କରୁଥିଲେ । ତେଣୁ ସମ୍ଭାବ୍ୟ ଆକ୍ରମଣକୁ ରୋକିବା ପାଇଁ ରୁଷ ଯଥା ସମୟରେ ପଦକ୍ଷେପ ନେଇଛି ।

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ମେ ୯ ତାରିଖକୁ ବିଜୟ ଦିବସ ଭାବେ ରୁଷ ପାଳନ କରି ଆସୁଛି । ମେ ୯ରେ ୨ୟ ବିଶ୍ୱଯୁଦ୍ଧରେ ଜର୍ମାନୀକୁ ପରାସ୍ତ କରିଥିଲା ସୋଭିଏତ ସଂଘ । ଏହି ଦିନ ବର୍ଲିନ ସମ୍ପୂର୍ଣ୍ଣଭାବେ ସୋଭିଏତ ସେନା ନିୟନ୍ତ୍ରଣକୁ ଆସିଥିଲା । ମେ ୯ ତାରିଖରେ ୨ୟ ବିଶ୍ୱଯୁଦ୍ଧ ଓ ହିଟଲର ଶାସନର ଅନ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର