ସାଧୁସନ୍ଥ ଛାଡ଼ିଲେ କୁମ୍ଭମେଳା, ହରିଦ୍ବାର ଏବେ ଖାଁ ଖାଁ

ହରିଦ୍ବାର: ସମ୍ପ୍ରତି ଉତ୍ତରାଖଣ୍ଡର ହରିଦ୍ବାର ଠାରେ ଚାଲିଥିବା ପବିତ୍ର କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିବାର ଦିନକ ପରେ ଆଜି ସେଠାରେ ଅନେକ ଶିବିରରେ ନିର୍ଜନତା ଛାଇଯାଇଛି। ବିଶେଷ କରି ଜୁନା, ଅଟଳ, ଅଗ୍ନି, ଆବାହନ, ନିରଞ୍ଜନୀ ଓ ଆନନ୍ଦ ପରି ସଂଖ୍ୟାଧିକ ପ୍ରମୁଖ ସନ୍ନ୍ୟାସୀ ଆଖଡ଼ା କୁମ୍ଭମେଳା ଶେଷ ହେଲା ବୋଲି ଘୋଷଣା କରିଛନ୍ତି। ଫଳରେ ବିଭିନ୍ନ ଶିବିରରୁ ସାଧୁସନ୍ଥମାନେ ଖାଲି ହୋଇଯାଇଛନ୍ତି। ସର୍ବବୃହତ୍‌ ଜୁନା ଆଖଡ଼ାର ୮୦ ପ୍ରତିଶତ ସନ୍ନ୍ୟାସୀ ଶିବିର ଛାଡ଼ିଥିବା ପୃଷ୍ଠପୋଷକ ମହନ୍ତ ହରି ଗିରି କହିଛନ୍ତି।

ତେବେ ଆଗାମୀ ୨୭ ତାରିଖରେ ପଡୁଥିବା ଶେଷ ସାହି ସ୍ନାନରେ ପ୍ରତୀକାତ୍ମକ ଭାବେ ପବିତ୍ର ବୁଡ଼ ମାରିବା ପାଇଁ ଅଳ୍ପ କିଛି ସନ୍ଥ ଅଟକି ରହିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ବଡ଼ ଓ ନୂଆ ଉଦାସୀନ ଆଖଡ଼ାର ଅର୍ଦ୍ଧାଧିକ ସନ୍ନ୍ୟାସୀ ଶିବିର ଛାଡ଼ି ସାରିଛନ୍ତି। ଫଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମେଳରେ ସନ୍ଧ୍ୟାବେଳେ ହର କୀ ପୌରି ଘାଟରେ ହୋଇ ଆସୁଥିବା ଗଙ୍ଗା ଆଳତି ଖାଁ ଖାଁ ଲାଗୁଛି। ଅପରପକ୍ଷେ, ବୈରାଗୀ ଓ ଉଦାସୀନ ସମ୍ପ୍ରଦାୟର ସାଧୁମାନେ ଶେଷ ପର୍ଯ୍ୟନ୍ତ ରହି ସାହି ସ୍ନାନରେ ଭାଗ ନେବେ ବୋଲି କହିଛନ୍ତି। ତେବେ ଆଗାମୀ ତିନି ଚାରି ଦିନ ଭିତରେ ଶିବିରଗୁଡ଼ିକ ଆହୁରି ଖାଲି ହୋଇଯିବ ବୋଲି ପ୍ରଶାସନ କହିଛି।

ସମ୍ବନ୍ଧିତ ଖବର