ଲଦାଖ ସ୍ଥିତି ଆଣ୍ତାମାନକୁ ସୁଦୃଢ଼ କରୁଛି, ଭାରତ ପ୍ରତି ବିଶ୍ବ ସମୁଦାୟର ସମର୍ଥନ ବଢ଼ୁଛି

ସାମରିକ ଭିତ୍ତିଭୂମି ପାଇଁ ୧୦ ବର୍ଷିଆ ଯୋଜନା

ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ୍ ସହ ସଂଘର୍ଷମୟ ପରିସ୍ଥିତି ପରେ ସାମରିକ ଦୃଷ୍ଟିିକୋଣରୁ ଦେଶର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଂଚଳ ଆଣ୍ତାମାନ ଓ ନିକୋବର ଦ୍ବୀପପୁଞ୍ଜରେ କେନ୍ଦ୍ର ସରକାର ଅଧିକ ଶକ୍ତି ଠୁଳ ସହ ଭିତ୍ତିଭୂମିର ତ୍ବରିତ ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତିା ଭାରତ ମହାସାଗରରେ ଚୀନୀ ସାମରିକ ପ୍ରଭାବକୁ ପ୍ରତିହତ କରିବା ପାଇଁ ଭାରତ ଏଭଳି ପଦକ୍ଷେପ ନେବା ଜରୁରୀ ହୋଇପଡି଼ଛି ବୋଲି ଶୁକ୍ରବାର ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାଯାଇଛି। ସୀମାରେ ୩,୪୮୮ କିମି ବ୍ୟାପୀ ପ୍ରକୃତ ନିୟନ୍ତ୍ରଣ ରେଖା ଓ ଭାରତ ମହାସାଗରରେ ଚୀନ୍‌ର ଏଭଳି ଆକ୍ରମଣାତ୍ମକ ତଥା ବିସ୍ତାରକାରୀ ଆଭିମୁଖ୍ୟ ଅନୁଭବ କଲା ପରେ ଭାରତ ଆଣ୍ତାମାନ ଓ ନିକୋବର ଦ୍ବୀପରେ ଅଟକି ରହିଥିବା ପୂର୍ବ ପ୍ରସ୍ତାବିତ ସାମରିକ ଶକ୍ତି ସମ୍ପ୍ରସାରଣ ଓ ଭିତ୍ତିଭୁମି ବିକାଶକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇନେବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛିା

ସୂଚନାଯୋଗ୍ୟ, ୨୦୦୧ ମସିହାରେ ଆଣ୍ତାମାନରେ ସ୍ଥାପିତ ଦେଶର ଏକମାତ୍ର ସମ୍ମିଳିତ ଘାଟି ବା ଆଣ୍ତାମାନ ନିକୋବର କମାଣ୍ତରେ ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ପରିଚାଳନା ଗୋଟିଏ ନିେର୍ଦ୍ଦଶନାମା ଦ୍ବାରା ସାଧିତ ହୋଇ ଆସୁଛିା ତେବେ ପାଣ୍ଠି ଅଭାବ ଓ ପରିବେଶ ମଞ୍ଜୁରି ସାଙ୍ଗକୁ ସରକାରୀ ଉଦାସୀନତା କାରଣରୁ ସେଠାରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ହୋଇପାରିନାହିଁ। ଫଳରେ ଏହି ତିନିବାହିନୀ ସେଠାରେ ନିଜକୁ ଆଶାନୁରୂପ ସୁଦୃଢ଼ ଭାବେ ବିଚାରି ପାରୁନାହାନ୍ତିା ତେବେ ଗତ ମାସରେ ଲଦାଖ ସୀମାନ୍ତ ଗଲୱାନ ଉପତ୍ୟକାରେ ଚୀନ୍ ସେନା ସହ ଦେଖାଦେଇଥିବା ଯୁଦ୍ଧକାଳୀନ ପରିସ୍ଥିତି ପରେ ଆଣ୍ତାମାନରେ ସାମରିକ ବିକାଶକୁ ପ୍ରାଥମିକତା ଦିଆଯାଇଛି। ଏଏନ୍‌ସି ଦ୍ବାରା ପରିଚାଳିତ ଛୋଟ ଯୁଦ୍ଧ ଜାହାଜ ଏବଂ ବିମାନ ଦ୍ବାରା ମଧ୍ୟ ଚୀନକୁ ଭାରତ ମହାସାଗରରେ ଧମକାଇ ହେବ। ତେଣୁ ସେସବୁ ଦୃଷ୍ଟିରୁ ଭାରତର ଏହି ୫,୬୫୦ କୋଟି ଟଙ୍କାର ଦଶବର୍ଷିଆ ଭିତ୍ତିଭୂମି ବିକାଶର ଅଂଶସ୍ବରୂପ ସେଠାରେ ଅଧିକ ପରିମାଣର ଯୁଦ୍ଧ ଜାହାଜ, ବିମାନ, କ୍ଷେପଣାସ୍ତ୍ର ଏବଂ ପଦାତିକ ବାହିନୀ ଠୁଳ କରାଯିବ।

ଭାରତ ପ୍ରତି ବିଶ୍ବ ସମୁଦାୟର ସମର୍ଥନ ବଢ଼ୁଛି
ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ର ଗଲ୍‌ୱାନ୍‌ ଘାଟିରେ ଚୀନ୍‌ର ବିସ୍ତାରବାଦୀ ନୀତିକୁ ଭାରତ ତୀବ୍ର ବିରୋଧ କରିଛି। ଭାରତ ପଟୁ ଏଭଳି ପ୍ରବଳ ପ୍ରତିରୋଧ ହେବ ବୋଲି ଚୀନ୍‌ର ବିଶ୍ବାସ ବାହାରେ ଥିଲା। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଲଦାଖ୍‌ ଗସ୍ତ କରି ଚୀନ୍‌କୁ ଏକ କଡ଼ା ବାର୍ତ୍ତା ଦେଇଥିଲେ। ଗୋଟିଏ ପଟେ ଚୀନ୍‌ ନିଜ ଜିଦ୍‌ରେ ଅଟଳ ଥିବାବେଳେ ଅନ୍ୟପକ୍ଷେ ବିଶ୍ବ ସମୁଦାୟ ଏବେ ଭାରତ ସପକ୍ଷରେ ସମର୍ଥନ ବଢ଼ାଇଛନ୍ତି। ଆମେରିକା‌, ଫ୍ରାନ୍ସ, ଜାପାନ୍‌, ଅଷ୍ଟ୍ରେଲିଆ, ଆସିଆନ୍‌ ଏବଂ ବ୍ରିଟେନ୍‌ ଭାରତକୁ ସମର୍ଥନ କରିଛନ୍ତି। ଆମେରିକା ଗତ ବୁଧବାର ଦିନ ଚୀନ୍‌କୁ କଡ଼ା ସମାଲୋଚନା କରିଥିଲା। ଆମେରିକା ରାଷ୍ଟ୍ରପତି କହିଥିଲେ, ଚୀନ୍‌ ଭାରତ ସୀମା ସହ ବିଶ୍ବର ଅନ୍ୟ ସ୍ଥାନମାନଙ୍କ‌ରେ ଯେଭଳି କାର୍ଯ୍ୟ ରଖିଛି ସେଥିରୁ ତା’ର ଅସଲ ଚେ‌ହେରା ପଦାରେ ପଡ଼ିଯାଇଛି।

ଫ୍ରାନ୍ସ ମଧ୍ୟ ଭାରତକୁ ସମର୍ଥନ କରିଛି। ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପାଖକୁ ଗତ ୨୯ ତାରିଖରେ ଚିଠି ଲେଖି ଚୀନ୍‌ ସହ ସଂଘର୍ଷ ହୋଇ ଭାରତର ୨୦ ଯବାନ ସହିଦ ହେବା ଘଟଣାରେ ଗଭୀର ଶୋକ ପ୍ରକାଶ କରିଥିଲେ ଏବଂ ଫ୍ରାନ୍ସ ଭାରତ ସହ ଦୃଢ଼ ଭାବେ ଥିବା କହିଥିଲେ। ଜାପାନ୍‌ ମଧ୍ୟ ଭାରତକୁ ସମର୍ଥନ କରିଛି। କୌଣସି ଏକପାଖିଆ ଉଦ୍ୟମକୁ ଜାପାନ ବିରୋଧ କରିଛି। ଭାରତ ପ୍ରତି ଜାପାନ୍‌ର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଭାରତୀୟ ବିଦେଶ ସଚିବ ହର୍ଷ ଶ୍ରିଙ୍ଗଲାଙ୍କ ସହ କଥା ହେବା ସମୟରେ ଜାପାନ୍‌ ଆମ୍ବାସଡର ସନ୍ତୋଷୀ ସୁଜୁକି କହିଛନ୍ତି। ସେହିପରି ବ୍ରିଟେନ୍‌, ଅଷ୍ଟ୍ରେଲିଆ ଏବଂ ଆସିଆନ୍‌ ରାଷ୍ଟ୍ର ସଦସ୍ୟ ମଧ୍ୟ ଭାରତ-ଚୀନ୍‌ ସୀମା ବିବାଦ ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର