ଲଖିମପୁର ଖେରି ହିଂସା ମାମଲାର ତଦନ୍ତ ଚାଲିଛି, ବିଜେପି ୫ ରାଜ୍ୟରେ ନିର୍ବାଚନ ଜିତିବ

ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ସଂପୃକ୍ତି ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଏନ୍‌ଆଇକୁ ଦେଖିଥିବା ସାକ୍ଷାତକାରରେ ତାଙ୍କର ପ୍ରଥମ ବୟାନ ରଖିଛନ୍ତି। ଏହି ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ଜାରି ରହିଛି ଏବଂ ରାଜ୍ୟ ସରକାର ସଂପୂର୍ଣ୍ଣ ସ୍ବଚ୍ଛତା ଓ ପାରିଦର୍ଶିତାର ସହ କାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ର ଅକ୍ଟୋବର ମାସରୁ ଜେଲ୍‌ରେ ଥିବା ବେଳେ ସୁପ୍ରିମ୍‌ କୋର୍ଟ ଦ୍ବାରା ନିଯୁକ୍ତ କମିସନ ଏବେ ମାମଲାର ତଦନ୍ତ ପ୍ରକ୍ରିୟା ତଦାରଖ କରୁଛନ୍ତି। କୃଷି ଆଇନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଚାଷୀଙ୍କ ସ୍ବାର୍ଥ ପାଇଁ ଏହି ଆଇନ ଆସିଥିଲା ଏବଂ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଆଲୋଚନା ନିମନ୍ତେ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି।

ପ୍ରଧାନମନ୍ତ୍ରୀ ଏଏନ୍‌ଆଇ ସହ ସାକ୍ଷାତକାରରେ ୫ ରାଜ୍ୟ ଉତ୍ତରପ୍ରଦେଶ, ପଂଜାବ, ‌ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁରରେ ବିଜେପି ନିର୍ବାଚନ ଜିତିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ମୋଦୀ କହିଛନ୍ତି, ସମସ୍ତ ୫ ରାଜ୍ୟରେ ବିଜେପି ପ୍ରତି ସମର୍ଥନ ଥିବା ମୁଁ ଦେଖିପାରୁଛି ଏବଂ ଆମେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବୁ । ଉକ୍ତ ୫ ରାଜ୍ୟର ଲୋକମାନେ ‌ବିଜେପିକୁ ସେମାନଙ୍କ ସେବା କରିବାକୁ ସୁ‌ଯୋଗ ଦେବେ। ବିଜେପି ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ଭିଜନ୍‌କୁ ମନେ ପକାଇ ମୋଦୀ କହିଛନ୍ତି, ନିର୍ବାଚନ ସମୟ ‌ହେଉ କି ନହେଉ ଏବଂ ବିଜେପି କ୍ଷମତାରେ ଥାଉ କିମ୍ବା ‌‌ମେଣ୍ଟରେ ଥାଉ ଏହା ସବୁବେଳେ ଲୋକଙ୍କର ମଙ୍ଗଳ ପାଇଁ କାମ କରୁଛି। ମୋଦୀ କହିଛନ୍ତି, ଆମେ କ୍ଷମତାରେ ଥିବାବେଳେ ‘ସବ୍‌କା ସାଥ, ସବ୍‌କା‌ ବିକାଶ’ ମନ୍ତ୍ର ସହ କାମ କରିଛୁ। ମୋଦୀ କହିଛନ୍ତି, ଯେଉଁଠାରେ ବି ବିଜେପି କାମ କରିବାକୁ ସୁଯୋଗ ପାଇଛି ସେଠାରେ ସରକାରଙ୍କ ପ୍ରତି ସମର୍ଥନ ବଢ଼ିଛି। ଉତ୍ତରପ୍ରଦେଶର ଲୋକମାନେ ‘ଏକ୍‌ ବାର୍‌ ଆଓ, ଏକ୍‌ ବାର୍‌ ଜାଓ’ ଭଳି ପୁରୁଣା ମାନସିକତାକୁ ହଟାଇ ଦେଇଛନ୍ତି। ବିଜେପି ଏହି ପୁରୁଣା ଫର୍ମୁଲାକୁ ଭାଙ୍ଗି ଦେଇଛି। ୨୦୧୪ (ଲୋକସଭା), ୨୦୧୭, ଏବଂ ୨୦୧୯ (ଲୋକସଭ)ରେ ବିଜେପି ଲଗାତାର ଭାବେ ନିର୍ବାଚନ ଜିତିଛି। ଏଥର ମଧ୍ୟ ବିଜେପି ପୁଣିଥରେ ନିର୍ବାଚନ ଜିତିବ ବୋଲି ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମୋଦୀ କହିଛନ୍ତି, ବିଜେପି ମିଳିତ ନେତୃତ୍ବରେ ବିଶ୍ବାସ କରେ। ଦଳ ଉଭୟ ବିଜୟ ଏବଂ ପରାଜୟକୁ ଦେଖିଛି। ମୋଦୀ କହିଛନ୍ତି, ପ୍ରତି ନିର୍ବାଚନରେ ଆମେ ନିଜକୁ ଆତ୍ମସମୀକ୍ଷା କରିବାର ସୁଯୋଗ ପାଇଛୁ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ମୋଦୀ କହିଥିଲେ ଯେ ଯେଉଁ ବ୍ୟକ୍ତି କିଛି ଶୁଣିବା ପାଇଁ ଚାହେ ନାହିଁ ଏବଂ ସଂସଦରେ ଅନୁପସ୍ଥିତ ରୁହେ ସେଭଳି ବ୍ୟକ୍ତିଙ୍କୁ ନେଇ ମୁଁ କିଭଳି ଉତ୍ତର ଦେବି। ଉଲ୍ଲେଖଯୋଗ୍ୟ, ଉତ୍ତରପ୍ର‌ଦେଶରେ ୭ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରି ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖରେ‌ ଶେଷ ହେବ।

ସମ୍ବନ୍ଧିତ ଖବର