କୋଭିଡ୍‌-୧୯ର ଲାମ୍ବଡ଼ା ପ୍ରଜାତି ୩୦ ଦେଶରେ ଚିହ୍ନଟ, ଡେଲ୍‌ଟା ଭାରିଆଣ୍ଟଠାରୁ ଅଧିକ ଭୟଙ୍କର

ଲଣ୍ଡନ: କୋଭିଡ୍-୧୯ର ଆଉ ଏକ ରୂପାନ୍ତରିତ ପ୍ରକାର ୩୦ଟି ଦେଶରେ ଚିହ୍ନଟ ହୋଇଛି, ଯାହାକୁ ଲାମ୍ବଡ଼ା ପ୍ରଜାତି ବୋଲି କୁହାଯାଉଛି ଏବଂ ଏହା ଡେଲ୍‌ଟାଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି ବ୍ରିଟେନ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୋମବାର ୟୁକେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘ଦ ଷ୍ଟାର୍’ର ରିପୋର୍ଟ ଅନୁସାରେ ଏହି ଲାମ୍ବଡ଼ା ଭାରିଆଣ୍ଟ ପେରୁଠାରେ ଉତ୍ପତ୍ତିଲାଭ କରିଛି, ଯେଉଁ ଦେଶରେ କୋଭିଡ୍‌-ଜନିତ ମୃତ୍ୟୁହାର ବିଶ୍ବରେ ସର୍ବାଧିକ। ଇଂଲଣ୍ଡରେ ମଧ୍ୟ ଲାମ୍ବଡ଼ା ଭାରିଆଣ୍ଟ ଚିହ୍ନଟ ହୋଇଛି ବୋଲି ଏକ ଅଷ୍ଟ୍ରେଲୀୟ ନ୍ୟୁଜ୍ ପୋର୍ଟାଲ ନ୍ୟୁଜ୍.କମ୍ ପ୍ରକାଶ କରିଥିବା ଏଥିରେ କୁହାଯାଇଛି।

ଏହି ପୋର୍ଟାଲର ରିପୋର୍ଟ ଅନୁସାରେ, ଅଦ୍ୟାବଧି ଇଂଲଣ୍ଡରେ ଲାମ୍ବଡ଼ା ଭାରିଆଣ୍ଟ ସଂକ୍ରମଣର ଛଅଟି ମାମଲା ଚିହ୍ନଟ ହୋଇଛି। ତେବେ ଏହି ଭାରିଆଣ୍ଟ ଡେଲ୍‌ଟାଠାରୁ ମଧ୍ୟ ଅଧିକ ସଂକ୍ରାମକ ହୋଇଥିବାରୁ ଗବେଷକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ମେ ଓ ଜୁନ୍‌ରେ ଲାମ୍ବଡ଼ା ପେରୁରେ ୮୨ ପ୍ରତିଶତ ସଂକ୍ରମଣର କ‌ାରଣ ହୋଇଥିଲା ବୋଲି ୟୁରୋ ନ୍ୟୁଜ୍‌ ପ୍ରକାଶ କରିଛି। ପବ୍ଲିକ୍ ହେଲ୍‌ଥ ଇଂଲଣ୍ଡର ରିପୋର୍ଟ ଅନୁସାରେ ଦେଶରେ ଲାମ୍ବଡ଼ା ସଂକ୍ରମଣର ଅଳ୍ପ କେତୋଟି ମାମଲା ଚିହ୍ନଟ ହୋଇଛି ଏବଂ ଏହି ଭାରିଆଣ୍ଟର ସଂକ୍ରମଣ କ୍ଷମତା ଅଧିକ ଏବଂ ଏହା ବିରୋଧରେ ଆଣ୍ଟିବଡ଼ି ବି କାମ କରୁନାହିଁ। ଲାଟିନ୍ ଆମେରିକା ଓ ଆରିବିୟାନର ୮ଟି ଦେଶରେ ସଂକ୍ରମିତ ହେବା ସହ କ୍ରମଶଃ ଅନ୍ୟ ଦେଶରେ ବି ସଂକ୍ରମିତ ହେବାରେ ଲାଗିଛି ବୋଲି ରିପୋର୍ଟରେ କୁହାଯାଇଛି। ଭାରତରେ ଏ ପର୍ଯ୍ୟନ୍ତ ଲାମ୍ବଡ଼ା ପ୍ରଜାତି ଠାବ ହୋଇନାହିଁ।

ସମ୍ବନ୍ଧିତ ଖବର