କିବ୍: ୟୁକ୍ରେନ୍ର ସବୁଠାରୁ ବଡ଼ ଏୟାରବେସ୍ ହଷ୍ଟୋମେଲ ବିମାନବନ୍ଦର ରୁଷ୍ ଆକ୍ରମଣରେ ସଂପୂର୍ଣ୍ଣ ଛାରଖାର ହୋଇଯାଇଛି । ୨୮ ଫେବ୍ରୁଆରିରେ ରୁଷ୍ ଏହି ବିମାନ ବନ୍ଦରରେ ଅତି ପ୍ରଚଣ୍ଡ ଆକ୍ରମଣ କରି ସବୁକିଛି ଧ୍ବଂସ କରିଦେଇଥିଲା। ଏଠାରେ ରଖାଯାଇଥିବା ବିଶ୍ବର ବୃହତ୍ତମ ବିମାନ ଆନ୍୨୨୫ ମ୍ରିୟାକୁ ରୁଷ୍ ବାହିନୀ ଧ୍ବଂସ କରିଦେଇଥିଲେ। ଏକଦା ‘ଡ୍ରିମ୍’ ନାମଧାରୀ ଏହି ବିମାନ ଏବେ କିଛି ଧାତବ ଟୁକୁଡ଼ାରେ ପରିଣତ ହୋଇଛି ଏବଂ ଗତକାଲି ୟୁକ୍ରେନ୍ କର୍ତ୍ତୃପକ୍ଷ ଆକ୍ରମଣ ପରେ ପ୍ରଥମ ଥର ପାଇଁ ବିମାନ ବନ୍ଦରରେ ପହଞ୍ଚି ଏହାକୁ ପୁନଃ ନିୟନ୍ତ୍ରଣକୁ ନେଇଛନ୍ତି। ରାଜଧାନୀ କିବ୍ଠାରୁ ଅଳ୍ପ ଦୂରରେ ଅବସ୍ଥିତ ହଷ୍ଟୋମେଲ ବିମାନବନ୍ଦର ନାମରେ ଜଣାଶୁଣା ଆଣ୍ଟୋନୋଭ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରିମ୍କୁ ରଖାଯାଇଥିଲା। ରୁଷ୍ ସେନା ଏହି ବିମାନ ବନ୍ଦରକୁ ଅକ୍ତିଆର କରି କିବ୍ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। କିନ୍ତୁ ୟୁକ୍ରେନ୍ ସେନା ପ୍ରବଳ ପ୍ରତିରୋଧ କରିବା ସହ ହଷ୍ଟୋମେଲ ଓ କିବ୍କୁ ସଂଯୋଗ କରୁଥିବା ଇରପିନ ପୋଲକୁ ନଷ୍ଟ କରିଦେବାରୁ ରୁଷ୍ ସେନା ଆଗକୁ ବଢ଼ିପାରିଲେ ନାହିଁ। ତେବେ ବିମାନବନ୍ଦରର ବିଶେଷ କ୍ଷତି କରିବା ସହ ବିଶ୍ବର ବୃହତ୍ତମ ବିମାନକୁ ସେମାନେ ଧ୍ବଂସ କରିଦେଇଛନ୍ତି। ୟୁକ୍ରେନ୍ର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ଘୋଷଣା କରିଛନ୍ତି ଯେ ୟୁକ୍ରେନ୍ ସେନା କିବ୍ ନିକଟସ୍ଥ ହଷ୍ଟୋମେଲ ବିମାନବନ୍ଦରକୁ ପୁଣି ନିଜ ନିୟନ୍ତ୍ରଣକୁ ଆଣିପାରିଛନ୍ତି।
ୱାସିଂଟନ: ଉତ୍ତର ୟୁକ୍ରେନ୍ର ବୁଚା ସହରରେ ରୁଷ୍ ସେନା ବହୁ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଘଟଣାରେ ଉତ୍କ୍ଷିପ୍ତ ଆମେରିକା ଓ ଏହାର ମେଣ୍ଟ ରାଷ୍ଟ୍ରଗୁଡ଼ିକ ମସ୍କୋ ଉପରେ ବୁଧବାରଠାରୁ ସାନି କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ରୁଷ୍ ସେନା ବୁଚାରେ ବହୁ ସାଧାରଣ ନାଗରିକଙ୍କୁ ପାଖରୁ ଗୁଳି କରି ହତ୍ୟା କରିଥିବା ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ରୁଷିଆ ଏ ଅଭିଯୋଗକୁ ଅସ୍ବୀକାର କରିଛି। ରୁଷିଆ କହିଛି ଯେ ଏହାର ସେନା ବୁଚାରେ କେବେ ବି ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିନାହିଁ। ପ୍ରମାଣ ହିସାବରେ ଯାହା ଦେଖାଯାଉଛି ତାହା ଏକ ‘ବିରାଟ ଜାଲିଆତି’।
ନୂତନ କଟକଣାରେ ଆମେରିକା, ମେଣ୍ଟଭୁକ୍ତ ୭ଟି ସମୃଦ୍ଧ ଅର୍ଥନୀତି ଓ ୟୁରୋପୀୟ ସଂଘଭୁକ୍ତ ଦେଶ ପକ୍ଷରୁ ଏଥର ରୁଷିଆର ବ୍ୟାଙ୍କ ଓ ଅଧିକାରୀମାନଙ୍କୁ ଟାର୍ଗେଟ କରାଯିବ ଏବଂ ରୁଷିଆରେ ପୁଞ୍ଜିନିବେଶକୁ ନିଷିଦ୍ଧ କରାଯିବ। ୨୭ଟି ଦେଶ ରୁଷିଆରୁ କୋଇଲା କିଣିବେ ନାହିଁ ଏବଂ ୟୁରୋପୀୟ ବନ୍ଦରଗୁଡ଼ିକରେ ରୁଷୀୟ ଜାହାଜଗୁଡ଼ିକୁ ପୂରାଇ ଦେବେ ନାହିଁ। ରୁଷିଆରୁ କେହି ଗ୍ୟାସ୍ କି ତେଲ ବି ଆମଦାନି କରିବେ ନାହିଁ। ତେବେ ରୁଷିଆରୁ ଏକ-ତୃତୀୟାଂଶ ପ୍ରାକୃତିକ ଗ୍ୟାସ୍ କିଣୁଥିବା ୟୁରୋପୀୟ ଦେଶଗୁଡ଼ିକ ଆମେରିକା କଥାରେ ରୁଷିଆକୁ ସମ୍ପୂର୍ଣ୍ଣ ବାସନ୍ଦ କରିବା ଲାଗି ହଁ ତ ମାରିଦେଲେ କିନ୍ତୁ ଏହା ସେମାନଙ୍କ ଦେଶର ଅର୍ଥନୀତି ଉପରେ କିଭଳି ପ୍ରତିକୂଳ ପ୍ରଭାବ ପକାଇବ ତାକୁ ନେଇ ଚିନ୍ତିତ ଅଛନ୍ତି। ଅପରପକ୍ଷେ ରୁଷ୍କୁ ଯୁଦ୍ଧ-ଅପରାଧୀ ଭାବେ ଅଭିହିତ କରୁଥିବା ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି, ରୁଷିଆ ଯେଡ଼େବଡ଼ ଅପରାଧ କରିଛି କଟକଣା ସେଡ଼େବଡ଼ ହେବା ଦରକାର। ତା’ହେଲେ ରୁଷିଆ ଡରିଯାଇ ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ ହେବ ବା ଶାନ୍ତି କଥାବାର୍ତ୍ତା ପାଇଁ ବାଟ ଫିଟିବ।