୭୪ ବର୍ଷ ତଳେ ଶେଷ ଚିତାର ମୃତ୍ୟୁ ହୋଇଥିଲା, ଭାରତ ନାମିବ୍ୟାରୁ ଆଣିବ ୮ଟି ଚିତା

ନୂଆଦିଲ୍ଲୀ: ଚିତା ବା ଚିତାବାଘ ହେଉଛି ଏଭଳି ବନ୍ୟପ୍ରାଣୀ ଯାହାଙ୍କ ପ୍ରଥମ ପୂର୍ବଜ ୮.୫ ନିୟୁତ ବର୍ଷ ତଳେ ଜନ୍ମ ହୋଇଥିବା ବିଶ୍ବାସ କରାଯାଏ। ଭାରତ ସମେତ ସାରା ଏସିଆ ଓ ଆଫ୍ରିକା ମହାଦେଶରେ ଏମାନେ ବହୁସଂଖ୍ୟାରେ ଦେଖିବାକୁ ମିଳୁଥିଲେ। କିନ୍ତୁ ସେମାନେ ଏବେ ଏକ ବିରଳ ପ୍ରଜାତିରେ ପରିଣତ ହୋଇଯାଇଛନ୍ତି। ୭୪ ବର୍ଷ ତଳେ ଭାରତର ଶେଷ ଚିତାର ମୃତ୍ୟୁ ହୋଇଥିଲା। ଅର୍ଥାତ୍ ଭାରତରେ ଚିତାବଂଶ ଲୋପ ପାଇଯାଇଥିଲା। ଏବେ ଭାରତ ସରକାର ନାମିବ୍ୟାରୁ ୮ଟି ଚିତା ମଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ନାମିବ୍ୟାର ଚିତା ସଂରକ୍ଷଣ ପ୍ରତିଷ୍ଠାନ (ସିସିଏଫ୍‌) ଶନିବାର ଦକ୍ଷିଣ ଆଫ୍ରିକାରୁ ଏହି ଚିତାମାନଙ୍କୁ ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପହଞ୍ଚିବ। ୧୨ ବର୍ଷ ଧରି ସେମାନଙ୍କ ସହ ଏ ବିଷୟରେ କଥାବାର୍ତ୍ତା ଚାଲିଥିଲା। ପ୍ରଥମେ ଚିତାମାନଙ୍କୁ ବିମାନରେ ଜୟପୁର ଅଣାଯିବ ଓ ତା’ପରେ କୁନୋ। ଏହି ଚିତାମାନଙ୍କୁ ଟିକାକରଣ କରାଯାଇଛି ଏବଂ ସେମାନଙ୍କ ଦେହରେ ସାଟେଲାଇଟ୍ କଲାର ଲଗାଯାଇଛି। ସେମାନଙ୍କୁ ବର୍ତ୍ତମାନ ଓଟଜିୱାରଙ୍ଗୋ ସ୍ଥିତ ସିସିଏଫ୍‌ କେନ୍ଦ୍ରରେ ଆଇସୋଲୋସନରେ ରଖାଯାଇଛି। ଏହି ଚିତାମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ, ବନ୍ୟ ମାନସିକତା, ଶିକାର କୌଶଳ ଓ ପ୍ରଜନନ କ୍ଷମତା ଆଦି ବିଚାର କରି ଚୟନ କରାଯାଇଛି।

ସମ୍ବନ୍ଧିତ ଖବର