କଂଗ୍ରେସର ମନରେଗା ଯୋଜନା ହିଁ ମୋଦୀ ସରକାରଙ୍କ ଶେଷ ଭରସା: ସୋନିଆ

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶରେ ମୋଦୀ ସରକାରଙ୍କ ଯାବତୀୟ ଦୋଷ ଦୁର୍ବଳତାକୁ ପଦାରେ ପକାଇଦେଇଛି। ତେବେ ଦେଶର ଏଭଳି ଦୟନୀୟ ଆର୍ଥିକ ସ୍ଥିତି ବେଳେ ୟୁପିଏ ସରକାରଙ୍କ ଦ୍ବାରା ପ୍ରଣୀତ ମନରେଗା ହିଁ ମୋଦୀ ସରକାରଙ୍କ ଶେଷ ଭରସା ଭାବେ ଉଭାହୋଇଛି। ଏଥିପାଇଁ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ପୂର୍ବର କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରଙ୍କୁ କୃତଜ୍ଞତା ଜଣାଇବା ଦରକାର ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି। ଇଣ୍ତିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ସ୍ତମ୍ଭରେ ସୋନିଆ ତାଙ୍କ ସରକାର ବେଳର ସେହି ମହତାକାଂକ୍ଷୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଏହାକୁ ଏକ ଯଥାରୀତି ବୌଦ୍ଧିକ ସୁଦୂରପ୍ରସାରୀ ପରିବର୍ତ୍ତନର ଜ୍ବଳନ୍ତ ଉଦାହରଣ ଭାବେ ଅଭିହିତ କରିଛନ୍ତି। ତେବେ ଏଭଳି ଲୋକପ୍ରିୟ ଯୋଜନାକୁ ବେଖାତିର କରି ଆସୁଥିବା ମୋଦୀ ସରକାର ଶେଷରେ ତାହା ଉପରେ ହିଁ ଭରସା ରଖିବାକୁ ବାଧ୍ୟ ହେବେ। ବର୍ତ୍ତମାନର କୋଭିଡ୍ ସ୍ଥିତିରେ ଅନାହାର ଭୋଗୁଥିବା କୋଟି କୋଟି ଲୋକଙ୍କ ପାଖରେ ମନରେଗା ଭଳି ଖାଦ୍ୟ ଯୋଗାଣ ବ୍ୟବସ୍ଥା ପହଞ୍ଚାଇବାର ଏହା ପ୍ରକୃଷ୍ଟ ସମୟ ବୋଲି ସୋନିଆ କହିଛନ୍ତି। ସେହିପରି ମୋଦୀଙ୍କୁ କଟାକ୍ଷ କରି ସୋନିଆ ଲେଖିଛନ୍ତି ଯେ ଶାସନଭାର ଗ୍ରହଣ କଲା ବେଳେ ସେ ପରିହାସ କରି ଏହା ୟୁପିଏ ସରକାରଙ୍କ ବିଫଳତାର ସ୍ମୃତିସ୍ତମ୍ଭ ବୋଲି ବିବେଚନା କରିବା ସହ ଏଭଳି ଯୋଜନାକୁ ବାସ୍ତବରେ ବନ୍ଦ କରିବା ସମ୍ଭବ ନୁହେଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର