ବେଜିଂ : ଚୀନ୍ରେ ସାମ୍ବାଦିକତା କରୁଥିବା ଶେଷ ଭାରତୀୟ ସାମ୍ବାଦିକଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଦେଶ ଛାଡ଼ିବାକୁ କୁହାଯାଇଛି। ଶେଷ ଭାରତୀୟ ସାମ୍ବାଦିକ ହେଉଛନ୍ତି ପିଟିଆଇ (ପ୍ରେସ ଟ୍ରଷ୍ଟ୍ ଅଫ ଇଣ୍ଡିଆ)ର। ଚଳିତ ମାସ ଶେଷରେ ତାଙ୍କ ଭିସା ଅବଧି ଶେଷ ହେବ। ତେଣୁ ଚଳିତ ମାସ ଶେଷ ସୁଦ୍ଧା ତାଙ୍କୁ ଚୀନ୍ ଛାଡ଼ିବାକୁ କୁହାଯାଇଛି। ୨୦୨୩ ଆରମ୍ଭରେ ଚୀନ୍ରେ ଭାରତର ୪ ଜଣ ସାମ୍ବାଦିକ କାମ କରୁଥିଲେ। କିନ୍ତୁ ୨ ଜଣଙ୍କର ଭିସା ରଦ୍ଦ ହୋଇଯିବାରୁ ଏପ୍ରିଲରେ ସେମାନଙ୍କ ଭାରତ ଫେରିବାରେ ଅସୁବିଧା ସୃଷ୍ଟି ହୋଇଥିଲା। ଅନ୍ୟ ୨ ଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଜୁନ୍ ୧୧ରେ ଚୀନ୍ ଛାଡ଼ିଥିଲେ। ଶେଷ ଭାରତୀୟ ସାମ୍ବାଦିକ ଚଳିତ ଜୁନ୍ ଶେଷ ସୁଦ୍ଧା ଚୀନ୍ ଛାଡ଼ିବେ। ଏଥିସହ ଚୀନ୍ରେ ଭାରତର ଗଣମାଧ୍ୟମ ଉପସ୍ଥିତି ସମ୍ପୂର୍ଣ୍ଣ ଭାବେ ଶୂନ ହୋଇଯିବ।
ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ ୱେନବିନ ସୋମବାର ଦିନ ଅଭିଯୋଗ କରିଛନ୍ତି ଯେ ଚୀନ୍ ସାମ୍ବାଦିକଙ୍କୁ ଭାରତରେ ପାତରଅନ୍ତର ବ୍ୟବହାର ଦେଖାଯାଉଛି। ସେମାନେ ଭେଦଭାବପୂର୍ଣ୍ଣ ଆଚରଣର ଶିକାର ହେଉଛନ୍ତି। ୨୦୨୦ ମସିହାରୁ ଭାରତ ଚୀନ୍ ସାମ୍ବାଦିକଙ୍କ ପାଇଁ ଭିସା ମଂଜୁର କରିନି ବୋଲି ୱାଙ୍ଗ ଦାବି କରିଛନ୍ତି। ଏହି କାରଣ ପାଇଁ ଭାରତରେ ଚୀନ୍ର ସାମ୍ବାଦିକଙ୍କ ସଂଖ୍ୟା ୧୪ରୁ ୧ କୁ ଖସି ଆସିଛି। ଅନ୍ୟପକ୍ଷେ ଚୀନ୍ର ଦାବିକୁ ଭାରତ ଖଣ୍ଡନ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଚୀନ୍ ସାମ୍ବାଦିକମାନେ ଭାରତରେ ବିନା ସମସ୍ୟାରେ କାମ କରୁଛନ୍ତି। ଭାରତରେ ସମସ୍ତ ବିଦେଶୀ ସାମ୍ବାଦିକଙ୍କୁ କାମ କରିବା ପାଇଁ ଭାରତ ଅନୁମତି ଦେଇଛି। ଚୀନ୍ ମଧ୍ୟ ଭାରତୀୟ ସାମ୍ବାଦିକଙ୍କୁ କାମ କରିବାପାଇଁ ଅନୁମତି ଦେବ ବୋଲି ଭାରତ ଆଶା ପ୍ରକଟ କରିଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।