ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ପଦରୁ ଇସ୍ତଫା ଦେବା ପୂର୍ବରୁ ମୋଦୀ ୨.୦ ସରକାରର ଶେଷ କ୍ୟାବିନେଟ ବୈଠକକୁ ସମ୍ବୋଧିତ କରିଛନ୍ତି। ମୋଦୀ କହିଥିଲେ ଯେ ଜିତିବା ଓ ହାରିବା ରାଜନୀତିର ଏକ ଅଂଶ ଏବଂ ଏହା ହେଉଛି ସଂଖ୍ୟାର ଖେଳ। ୨୦୧୯ ତୁଳନାରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନରେ ଉଲ୍ଲେଖନୀୟ ହ୍ରାସ ଘଟିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ପରିଣାମକୁ ନେଇ ବିବତ୍ର ହେବା ଉଚିତ ନୁହେଁ, ଏଥିରୁ ଶିକ୍ଷା ନେଇ ଆଗକୁ ବଢ଼ିବାକୁ ହେବ। ଏହା ଏକ ସଂଖ୍ୟାର ଖେଳ ହୋଇଥିବାରୁ ଏହାକୁ ଧ୍ୟାନରେ ରଖି ଆଗାମୀ ସମୟ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ଆମେ ଦଶ ବର୍ଷ ଧରି ଭଲ କାମ କରିଛୁ ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବୁ ବୋଲି ମୋଦୀ କହିଛନ୍ତି।

Advertisment

ଏନ୍‌ଡିଏ ସରକାର ଲୋକଙ୍କ ଆଶା ପୂରଣ କରିଛି ଏବଂ ଭବିଷ୍ୟତରେ ମଧ୍ୟ କରିବ। ସମସ୍ତେ ଭଲ କାମ କରିଛନ୍ତି ଏବଂ କଠିନ ପରିଶ୍ରମ କରିଛନ୍ତି ବୋଲି ମୋଦୀ ନିଜ କ୍ୟାବିନେଟର ଶେଷ ବୈଠକରେ କହିଛନ୍ତି। ବୈଠକରେ ମୋଦୀ ନିର୍ବାଚନ ଫଳାଫଳ ସଂପର୍କରେ ସମୀକ୍ଷା କରିବା ସହ ଆଗାମୀ ରଣନୀତି ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଆରମ୍ଭ ହୋଇଥିଲା। ମଙ୍ଗଳବାର ପ୍ରକାଶ ପାଇଥିବା ଲୋକସଭା ନିର୍ବାଚନ ଫଳାଫଳରେ ବିଜେପି ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ୨୭୨ ସଂଖ୍ୟା ଛୁଇଁବାରେ ବିଫଳ ହୋଇଛି। ଦଳ ୨୪୦ ଟି ଆସନ ଜିତିଥିବା ବେଳେ ଏନଡିଏ ମେଣ୍ଟ ମିଳିତ ଭାବେ ୨୯୨ ଟି ଆସନ ହାସଲ କରିଛି।