ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦୁଇ ଯବାନଙ୍କ ଶେଷକୃତ୍ୟ

କୋଲକାତା: ଲଦାଖର ଗଲୱାନା ଘାଟିରେ ଚୀନ୍‌ ସେନାଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା ବଙ୍ଗଳାର ଦୁଇ ଯବାନ ରାଜେଶ ଓରାଂ ଏବଂ ବିପୁଳ ରାୟଙ୍କ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗୁରୁବାର ରାତିରେ ସେନାର ସ୍ବତନ୍ତ୍ର ବିମାନ ଯୋଗେ ଦୁହିଁଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିଥିଲା। ପାନାଗଡ଼ ବାୟୁସେନା ଷ୍ଟେସନରେ ରାଜେଶ ଏବଂ ହାସିମାରା ବାୟୁସେନା ଷ୍ଟେସନରେ ବିପୁଳଙ୍କ ମୃତଦେହ ପହଞ୍ଚିବାମାତ୍ରେ ସେଠାରେ ଅପେକ୍ଷାରତ ସେନା, ବାୟୁସେନା ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପୁଷ୍ପଚକ୍ର ଅର୍ପଣ କରି ସଲାମୀ ଦେଇଥିଲେ। ଆଜି ସକାଳେ ସେନାର ସ୍ବତନ୍ତ୍ର ଗାଡ଼ିରେ ସେମାନଙ୍କ ପୈତୃକ ଗାଁକୁ ନିଆଯାଇଥିଲା। ଆଜି ସକାଳେ ରାଜେଶଙ୍କ ପାର୍ଥିବ ଶରୀର ବୀରଭୂମ ଜିଲ୍ଲା ମହମ୍ମଦ ବଜାର ଥାନା ଅନ୍ତର୍ଗତ ବେଲଘରିଆସ୍ଥିତ ତାଙ୍କ ପୈତୃକ ଗ୍ରାମରେ ପହଞ୍ଚିବା ବେଳକୁ ସେଠାରେ ଅପେକ୍ଷାରତ ଶହଶହ ଲୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏକ ଶୋକାକୁଳ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ଗାଁ ଶ୍ମଶାନକୁ ନିଆଯାଇଥିଲା। ହେସନା ସମ୍ମାନ ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେନାର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀ, ବିଭିନ୍ନ ଦଳର ଲୋକପ୍ରତିନିଧି ଉପସ୍ଥିତ ଥିଲେ। ସେହିଭଳି ହସିମାରା ସେନା ହସ୍ପିଟାଲରୁ ସ୍ବତନ୍ତ୍ର ସେନା ଗାଡ଼ିରେ ବିପୁଳଙ୍କ ପାର୍ଥିବ ଶରୀର ଆଲିପୁର ଦୁଆରର ବନ୍ଦୀପଡ଼ାରେ ସନ୍ଧ୍ୟାରେ ପହଞ୍ଚିଥିଲା। ସେଠାରେ ମଧ୍ୟ ଶୋକାକୁଳ ପରିବେଶ ମଧ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ରାତିରେ ଏକ ଶୋଭାଯାତ୍ରାରେ ବିପୁଳଙ୍କ ପାର୍ଥିବ ଶରୀରକୁ ନିଆଯାଇ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର