ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ଚୂଡ଼ାନ୍ତ ପର୍ଯ୍ୟାୟରେ ଆସନ୍ତାକାଲି (ଶନିବାର) ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍‌ ୫୭ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ବିହାର, ଚଣ୍ଡିଗଡ଼, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଂଜାବ, ଉତ୍ତରପ୍ର‌ଦେଶ ଏବଂ ପଶ୍ଚିମବଙ୍ଗରେ ୫୭ ଲୋକସଭା ଆସନ ସହ ଓଡ଼ିଶାର ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ୧୦.୦୬ ‌କୋଟିରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ୧.୦୯ ଲକ୍ଷ ଭୋଟିଂ ବୁଥ୍‌ରେ ମୋଟ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ‌ଭୋଟରଙ୍କ ମଧ୍ୟରେ ୫.୪୨ କୋଟି ପୁରୁଷ ଥିବାବେଳେ ୪.୮୨ କୋଟି ମହିଳା ଏବଂ ୩୫୭୪ ଜଣ ତୃତୀୟ ଲିଙ୍ଗୀ ଅଛନ୍ତି। ଅନ୍ତିମ ପର୍ଯ୍ୟାୟରେ ଉତ୍ତରପ୍ର‌ଦେଶ ଏବଂ ପଂଜାବରେ ୧୩ ଲେଖାଏଁ ଆସନ, ବିହରରେ ୮, ଓଡ଼ିଶାରେ ୬, ହିମାଚଳପ୍ରଦେଶରେ ୪, ଝାଡ଼ଖଣ୍ଡରେ ୩ ଏବଂ ଚଣ୍ଡୀଗଡ଼ରେ ଗୋଟିଏ ଆସନରେ ଶେଷ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ।

Advertisment

ଉତ୍ତରପ୍ରଦେଶର ବାରାଣସୀ, ମହାରାଜଗଂଜ, ଗୋରଖପୁର, କୁଶିନଗର, ଦେଓରିଆ, ବଂସଗାଓଁ, ଘୋସି, ଗାଜିପୁର, ବାଲ୍ଲିଆ, ସଲେମପୁର, ଚନ୍ଦୌଲି, ମିର୍ଜାପୁର, ରବର୍ଟ‌୍ସଗଞ୍ଜରେ ଏହି ପର୍ଯ୍ୟାୟରେ ଭୋଟ୍‌ ଅଛି। ପଂଜାବର ଗୁରୁଦାସପୁର, ଅମୃତସର, ଖଦୁର ସାହେବ, ଜଲନ୍ଧର, ହୋଶିଆରପୁର, ଆନନ୍ଦପୁର ସାହିବ, ଲୁଧିଆନା, ଫତେଗଡ଼ ସାହିବ, ଫରିଦକୋଟ, ଫିରୋଜପୁର, ଭଟିଣ୍ଡା, ସାଙ୍ଗରୁର୍‌ ଏବଂ ପଟିଆଲାରେ ଶେଷ ପର୍ଯ୍ୟାୟ ଭୋଟ୍‌ ଅଛି। ସେହିପରି ବିହାରର ଆରା, ବକ୍ସାର, କାରାକଟ, ଜେହାନାବାଦ, ନାଳନ୍ଦା, ପାଟନା ସାହିବ, ପାଟଳିପୁତ୍ର, ସାସାରାମରେ ଭୋଟ୍‌ ଥିବାବେଳେ ପଶ୍ଚିମବଙ୍ଗର ବରାସତ, ବସିରହାଟ, ଡାଇମଣ୍ଡ୍‌ ହାର୍‌ବର୍‌, ଦମ୍‌ ଦମ୍‌, ଜୟନଗର, ଯାଦବପୁର, କୋଲକାତା ଦକ୍ଷିଣ, କୋଲକାତା ଉତ୍ତର ଏବଂ ମାଥୁରାପରେ ଭୋଟ୍‌ ଅଛି। ଚଣ୍ଡୀଗଡ଼ , ହିମାଚଳପ୍ରଦେଶର ମଣ୍ଡି, ସିମଲା, କାଙ୍ଗ୍ରା, ହମିରପୁର ଓ ଓଡ଼ିଶାରେ ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ମୟୂରଭଂଜରେ ଭୋଟ୍‌ ଅଛି। ସେହିପରି ଝାଡ଼ଖଣ୍ଡର ଡୁମ୍‌କା , ଗୋଡ୍ଡା ଏବଂ ରାଜମହଲରେ ଭୋଟ୍‌ ଅଛି।

ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଅଜୟ ରାୟ, କଙ୍ଗନା ରାଣାୱତ, ବିକ୍ରମାଦିତ୍ୟ ସିଂହ, ରବି କିଶନ, କାଜଲ ନିଶାଦ, ଅନୁରାଗ ଠାକୁର, ସତପାଲ ସିଂହ ଏବଂ ଅଭିଷେକ ବାନାର୍ଜୀ। ମୋଦୀ ଲଗାତାର ତୃତୀୟ ଥର ପାଇଁ ବାରାଣସୀ ଆସନରେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିରୋଧରେ କଂଗ୍ରେସର ଅଜୟ ରାୟ ନିର୍ବାଚନ ଲଢ଼ୁଛନ୍ତି। ହିମାଚଳପ୍ରଦେଶର ମଣ୍ଡି ଆସନରେ ବିଜେପି ପ୍ରାର୍ଥୀ କଙ୍ଗନାଙ୍କ ବିରୋଧରେ କଂଗ୍ରେସର ବିକ୍ରମାଦିତ୍ୟ ସିଂହ ନିର୍ବାଚନ ଲଢ଼ୁଛନ୍ତି। ଗୋରଖପୁରରେ ବିଜେପିର ରବି କିଶନଙ୍କ ବିରୋଧରେ ସମାଜବାଦୀ ପାର୍ଟିର କାଜଲ ନିଶାଦ ନିର୍ବାଚନ ଲଢ଼ୁଛନ୍ତି। ହମିରପୁରରେ ବିଜେପିର ଅନୁରାଗ ଠାକୁରଙ୍କ ବିରୋଧରେ କଂଗ୍ରେସର ସତପାଲ୍‌ ସିଂହ ନିର୍ବାଚନ ଲଢ଼ୁଛନ୍ତି।