ଜିନିଭା: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଆଉ ‘ଶୀତଳ ଯୁଦ୍ଧ’ ଚାହାଁନ୍ତି ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ଜଟିଳ ଭିତ୍ତିଭୂମିଗୁଡ଼ିକୁ ସାଇବର୍ ଆକ୍ରମଣ ସୀମାରୁ ଦୂରରେ ରଖାଯିବା ଉଚିତ ବୋଲି ପୁଟିନ୍ ତାଙ୍କୁ କହିଥିବା କଥା ମଧ୍ୟ ସେ କହିଛନ୍ତି।
ଭ୍ଲାଦିମିର ପୁଟିନ୍ଙ୍କ ସହ ପ୍ରଥମ ଶିଖର ବୈଠକ ପରେ ସାମ୍ବାଦିକମାନଙ୍କୁ ବାଇଡେନ୍ କହିଛନ୍ତି, ଏବେ ସେ ଆଉ ‘ଶୀତଳ ଯୁଦ୍ଧ’ ଚାହୁଁ ନ ଥିବା ପରି ମୋର ମନେହୁଏ। ନିର୍ଦ୍ଦିଷ୍ଟ କେତେକ ଭିତ୍ତିଭୂମିକୁ ‘ସାଇବର୍’ କିଂବା ଅନ୍ୟ କୌଣସି ‘ମାଧ୍ୟମ’ ଆକ୍ରମଣ ଠାରୁ ଦୂରେଇ ରଖାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ବାରୋପ କରି କହିଛନ୍ତି।
ସେହିଭଳି, ଉପରୋକ୍ତ ଶିଖର ବୈଠକ ଉପରାନ୍ତେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଟିନ୍ ସୁନିଶ୍ଚିତ କରି କହିଛନ୍ତି, ଅବିଳମ୍ବେ ରାଷ୍ଟ୍ରଦୂତମାନେ ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରି କାର୍ଯ୍ୟଭାର ଗ୍ରହଣ କରିବେ। କିନ୍ତୁ, କେବେ ସେମାନେ ଫେରିବେ ତାହା ବାସ୍ତବ ପରିସ୍ଥିତି ଉପରେ ନିର୍ଭରଶୀଳ।
ଅନେକ ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷ୍ ମଧ୍ୟସ୍ଥ ସମ୍ପର୍କରେ ଅବନତି ଘଟୁଥିବା ପରି ମନେହେଉଥିଲା। ଭ୍ଲାଦିମିର୍ ପୁଟିନ୍ ଜଣେ ‘ଆତତାୟୀ’ ବୋଲି ତାଙ୍କର ମନେହେଉଛି ବୋଲି ଯେତେବେଳେ ଜୋ ବାଇଡେନ୍ କହିଲେ, ସେତେବେଳେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୂରା ବିଗିଡ଼ି ଗଲା। ଏଥିଯୋଗୁଁ ରୁଷ୍ ୱାସିଂଟନ୍ରୁ ତା’ର ସମସ୍ତ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନେଲା। ଏ ବର୍ଷ ଏପ୍ରିଲ୍ ମାସରେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ମସ୍କୋରୁ ତା’ର ରାଷ୍ଟ୍ରଦୂତମାନଙ୍କୁ ଫେରାଇ ଆଣିଥିଲା। ଏ ସଂକ୍ରାନ୍ତରେ କହିବା ବେଳେ ପୁଟିନ୍ କହିଲେ ଯେ, ‘ଆତତାୟୀ’ ମନ୍ତବ୍ୟ ପ୍ରସଙ୍ଗରେ ବାଇଡେନ୍ ଦେଇଥିବା କୈଫିୟତ୍ରେ ସେ ସନ୍ତୁଷ୍ଟ ହୋଇଛନ୍ତି।
ଦୁଇ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ର ଆମେରିକା ଓ ରୁଷ୍ ମଧ୍ୟରେ ଉପୁଜିଥିବା ଭୀଷଣ ଉତ୍ତେଜନାମୟ ପରିସ୍ଥିତିରେ ଜିନିଭାସ୍ଥିତ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏକ ପ୍ରକାଣ୍ଡ ଅଟ୍ଟାଳିକାରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ଶିଖର ବୈଠକରେ ବାଇଡେନ୍ ଓ ପୁଟିନ୍ଙ୍କର ଭେଟ ହୋଇଥିଲା।