ନୂଆଦିଲ୍ଲୀ : ଆନ୍ଦୋଳନକାରୀ ଆଇନଜୀବୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆଗକୁ ଜାରିରହିବ ନା ଏଥିରୁ ସେମାନଙ୍କୁ ଛାଡ଼ମିଳିବ ସେ ନେଇ ସୁପ୍ରିମକୋର୍ଟ ଆଜିର ଶୁଣାଣି ବେଳେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏହା ସହ ମାମଲାକୁ ଅଗଷ୍ଟ ପର୍ଯ୍ୟନ୍ତ ଝୁଲାଇ ରଖିଛନ୍ତି। ଅନ୍ୟ ପକ୍ଷରେ ଏ ପର୍ଯ୍ୟନ୍ତ ୩୩ ଆଇନଜୀବୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ସତ୍ୟପାଠ ଓ ଅଣ୍ଡରଟେକିଂ ଦାଖଲ କରିନାହାନ୍ତି। ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଶିବଶଙ୍କର ମିଶ୍ର ଏହା ଆଜି ସୁପ୍ରିମକୋର୍ଟକୁ ଅବଗତ କରିଛନ୍ତି।
ଆଇନଜୀବୀଙ୍କ ଅଦାଲତ କାର୍ଯ୍ୟବନ୍ଦ ସଂପର୍କିତ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଷନ କୌଲ ଓ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠରେ ହୋଇଥିଲା। ଶୁଣାଣି ବେଳେ ଖଣ୍ଡପୀଠ ଓଡ଼ିଶାରେ ସମସ୍ତ ଅଦାଲତ ସ୍ବାଭାବିକ ଭାବେ କାର୍ଯ୍ୟ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। କୋର୍ଟଗୁଡ଼ିକ ସ୍ବାଭାବିକଭାବେ କାର୍ଯ୍ୟକରୁଥିବା ଓକିଲ ମିଶ୍ରଙ୍କ ପକ୍ଷରୁ ଉତ୍ତରରେ କୁହାଯାଇଥିଲା। ସେ ଖଣ୍ଡପୀଠକୁ ସୂଚନା ଦେଇ କହିଲେ, ବାର କାଉନସିଲ୍ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହୋଇଛି। ଅଦାଲତ ଅବମାନନା ନୋଟିସ ୧୯୦ ଜଣ ଆଇନଜୀବୀଙ୍କୁ ଜାରି କରାଯାଇଥିଲା। ଏଥିରୁ ୩୩ ଜଣ ସତ୍ୟପାଠ ଦାଖଲ କରିନାହାନ୍ତି।
ଅନ୍ୟ ପକ୍ଷରେ ସମ୍ବଲପୁରରେ ଗତ କିଛି ଦିନ ହେଲା କର୍ଫ୍ୟୁ ଲାଗି ରହିଥିବାରୁ ସତ୍ୟପାଠ ଦାଖଲରେ ବିଳମ୍ବ ହୋଇଥିବା ଅଦାଲତ ଅବମାନନାକାରୀ ଆଇନଜୀବୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ସତ୍ୟପାଠ ଦାଖଲ ପାଇଁ ସେ ତିନି ସପ୍ତାହ ଲୋଡ଼ିଥିଲେ। ଏହା ଶୁଣିବା ପରେ ଖଣ୍ଡପୀଠ କହିଥିଲେ, ସତ୍ୟପାଠ ଦାଖଲ ପାଇଁ ଏହା ଶେଷ ସୁଯୋଗ। ଯଦି ସେମାନଙ୍କ ଦ୍ବାରା ସତ୍ୟପାଠ ଦାଖଲ କରାନଯାଏ ତାହା ହେଲେ ଧରିନିଆଯିବ ଯେ ସେମାନଙ୍କର ଏହି ମାମଲାରେ କିଛି କହିବାର ନାହିଁ। ଆଗକୁ ଅଦାଲତ ଅବମାନନା ପ୍ରସିଡିଂ ଜାରି ରହିବ ବୋଲି ଖଣ୍ଡପୀଠ କହିବା ସହ ମାମଲାର ଶୁଣାଣିକୁ ଅଗଷ୍ଟକୁ ସ୍ଥଗିତ ରଖିଥିଲେ।