ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି ସଂସଦୀୟ ଗୋଷ୍ଠୀରେ କେତେକ ପରିବର୍ତ୍ତନ ଆଣିଛନ୍ତି। ଗତବର୍ଷ ଅଗଷ୍ଟରେ ସଂଗଠନରେ ପରିବର୍ତ୍ତନ ପାଇଁ ଚିଠି ଲେଖି ଜି-୨୩ ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ପୂର୍ବରୁ ବିଭିନ୍ନ ପଦପଦବିରୁ ବିଦା କରାଯାଇଥିଲା। କିନ୍ତୁ ପୁନର୍ଗଠିତ କମିଟିରେ ସେମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଥଇଥାନ କରାଯାଇଛି। ଲୋକସଭା ପାଇଁ ଗଠନ ହୋଇଥିବା ଦଳର ୭ ଜଣିଆ ଗୋଷ୍ଠୀରେ ଚିଠି ଲେଖିଥିବା ଶଶୀ ଥରୁର ଏବଂ ମନୀଶ ତିୱାରୀଙ୍କୁ ରଖାଯାଇଛି।

Advertisment

ଏଥିସହିତ ପଶ୍ଚିମବଙ୍ଗ ରାଜ୍ୟ କଂଗ୍ରେସ କମିଟି ମୁଖ୍ୟ ଥିବା ଅଧୀର ରଂଜନ ଚୌଧୁରୀଙ୍କୁ ଲୋକସଭାରେ ଦଳର ନେତା ପଦରୁ ହଟାଯିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ସୋନିଆ ତାଙ୍କୁ ବଦଳାଇନାହାନ୍ତି। ସେ ଲୋକସଭାରେ ଦଳର ନେତାଭାବେ ପୂର୍ବବତ୍‌ କାମ କରିବେ। ଏଥିସହିତ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପୁଅ ଗୌରବ ଗୋଗୋଇ ମଧ୍ୟ ପୂର୍ବଭଳି ଲୋକସଭାରେ କଂଗ୍ରେସର ଉପନେତା ଭାବେ କାର୍ଯ୍ୟ କରିବେ। ସେହିଭଳି କେ ସୁରେଶ ଲୋକସଭାରେ ଦଳର ମୁଖ୍ୟ ସଚେତକ ରହିବେ। ସେହିଭଳି ଲୋକସଭା ପାଇଁ ଦଳ ପକ୍ଷରୁ ପୁନର୍ଗଠିତ ୭ ଜଣିଆ କମିଟିରେ ରବନୀତ ସିଂହ ବିଟ୍ଟୁ ଏବଂ ମାଣିକରାମ ଟାଗୋର ଦଳର ସଚେତକ ଭାବେ କାମ କରିବେ।

ରାଜ୍ୟସଭାରେ ଦଳର ନେତାଭାବେ ମଲ୍ଲିକାର୍ଜୁନ ଖାଡ୍‌ଗେ ଦାୟିତ୍ବ ତୁଲାଇବେ। ଅନ୍ୟତମ ଅସନ୍ତୁଷ୍ଟ ଆନନ୍ଦ ଶର୍ମାଙ୍କୁ ରାଜ୍ୟସଭାରେ ଦଳର ଉପନେତା ଭାବେ ପୂର୍ବବତ୍‌ ଦାୟିତ୍ବ ସମ୍ଭାଳିବେ। ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକଭାବେ ଜୟରାମ ‌ରମେଶଙ୍କ ନାମ ଘୋଷଣା କରାଯାଇଛି। ଅମ୍ବିକା ସୋନି, ପି ଚିଦମ୍ବରମ, ଦିଗବିଜୟ ସିଂହ‌ ଏବଂ କେ ସି ବେଣୁଗୋପାଳ ଉକ୍ତ କମିଟିର ଅନ୍ୟତମ ସଦସ୍ୟ ରହିଛନ୍ତି। ପ୍ରତିଦିନ ଏହି ଗୋଷ୍ଠୀର ବୈଠକ ହେବ। ଲୋକସଭା ଏବଂ ରାଜ୍ୟସଭା ପାଇଁ ନିଯୁକ୍ତ ଗୋଷ୍ଠୀର ଯୁଗ୍ମ ବୈଠକ ଡାକିବା ପାଇଁ ମଲ୍ଲିକାର୍ଜୁନ ଖାଡ୍‌ଗେଙ୍କୁ ଆବାହକ ଦାୟିତ୍ବ ଦିଆଯାଇଛି। ସଂସଦରେ କଂଗ୍ରେସ ଦଳ ସରକାରଙ୍କୁ ଦରଦାମ ବୃଦ୍ଧି, କରୋନା ଓ ରାଫେଲ ଆଦି ପ୍ରସଙ୍ଗରେ ଘେରିବ ବୋଲି ଆଶା କରାଯାଉଛି।