ନିର୍ବାଚନ ରଣକ୍ଷେତ୍ରରେ ନେତାଙ୍କ ଝିଅ: ବାରାମତିରେ ନଣନ୍ଦ-ଭାଉଜ ଲଢ଼େଇ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇଥିବ‌ା ବେଳେ ଅବଶିଷ୍ଟ ୬ଟି ପର୍ଯ୍ୟାୟ ଲାଗି ପ୍ରଚାର ଅଭିଯାନ ଚାଲିଛି। ନିର୍ବାଚନ ମଇଦାନରେ ଅନେକ ବରିଷ୍ଠ ଓ ଯୁବ ନେତା ଅଛନ୍ତି। କିନ୍ତୁ ଯାହାକୁ ନେଇ ବେଶି ଚର୍ଚ୍ଚା ହେଉଛି ସେମାନେ ହେଲେ ସିନେମା କଳାକାର ଏବଂ ଖେଳ ତାରକା। ସବୁ ରାଜନୈତିକ ଦଳ କିଛି ନା କିଛି ସିନେମା ଓ କ୍ରିକେଟ ତାରକାଙ୍କୁ ପ୍ରାର୍ଥୀ କରିଛନ୍ତି। ଏଥିରେ ଆଗରେ ରହିଛି ବିଜେପି। ଏହାସହିତ ଅନେକ ଦଳର ନେତାମାନଙ୍କ ସଂପର୍କୀୟ ମଧ୍ୟ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥିରେ ନେତାଙ୍କ ପୁଅ, ପତ୍ନୀ, ଭାଇ ଅଛନ୍ତି। ଅନେକ ନେତାଙ୍କର ଝିଅ ମଧ୍ୟ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଲାଲୁ, କରୁଣାନିଧି, ଶରଦ ପାୱାର ଏବଂ ସୁଷମା ସ୍ବରାଜଙ୍କ ଝିଅ। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ଝିଅ ରୋହିଣୀ ଆଚାର୍ଯ୍ୟ ଏବଂ ମିସା ଭାରତୀ ଏଥର ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ରୋହିଣୀ ବିହାରର ସରନ ଲୋକସଭା ଆସନରେ ଆରଜେଡି ପ୍ରାର୍ଥୀ ହୋଇଥିବା ବେଳେ ମିସା ଭାରତୀ ପାଟ୍ଟଳିପୁତ୍ର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ସେହିଭଳି ଦିବଂଗତ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବ‌ାଂଶୁରି ସ୍ବରାଜଙ୍କୁ ବିଜେପି ପକ୍ଷରୁ ନୂଆଦିଲ୍ଲୀ ଆସନରେ ପ୍ରାର୍ଥୀ ହୋଇଛନ୍ତି। ପ୍ରଥମ ଥର ଲାଗି ସେ ନିର୍ବାଚନ ରାଜନୀତିରେ ଯୋଗଦେଇଛନ୍ତି। ତାଙ୍କୁ କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖିଙ୍କ ସ୍ଥାନରେ ପ୍ରାର୍ଥୀ କରାଯାଇଛି।

ଏଥର ଯେଉଁ ଆସନରେ ସମସ୍ତଙ୍କର ଆଖି ରହିଛି ତାହା ହେଉଛି ମହାରାଷ୍ଟ୍ରର ବାରାମତି ଲୋକସଭା ଆସନ। ଏହି ଆସନରେ ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁାଲେ ପ୍ରାର୍ଥୀ ଅଛନ୍ତି। ମୁକାବିଲା ‌େହଉଛି ତାଙ୍କର ଭାଉଜ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରାଙ୍କ ସହିତ। ‌ ଏହି ନିର୍ବାଚନକୁ ଅନେକ ‘ନଣନ୍ଦ ବନାମ ଭାଉଜ’ ଲଢ଼େଇ କହୁଛନ୍ତି। ଏବେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାର ଏନ୍‌ସିପିରେ ବିଭାଜନ ଘଟାଇ ନିଜକୁ ପ୍ରକୃତ ଏନ୍‌ସିପିର ଅଧ୍ୟକ୍ଷ ଘୋଷଣା କରିଛନ୍ତି। ଅଜିତ ହେଉଛନ୍ତି ଶରଦ ପାୱାରଙ୍କ ପୁତୁରା। ଏହି ନଣନ୍ଦ-ଭାଉଜ ଲଢ଼େଇ ପାୱାର ପରିବାର ପାଇଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ତେଲେଙ୍ଗାନାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କାଡିୟମ ଶ୍ରୀହରିଙ୍କ ଝିଅ କାଡିୟମ କାବ୍ୟ ୱରାଙ୍ଗଲ ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କ ଝିଅ ୱାଇଏସ୍ ଶର୍ମିଲା କଡପ୍ପା ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ଭାଇ ଜଗନ ମୋହନ ରେଡୀ ୱାଇଏସଆର କଂଗ୍ରେସର ସଭାପତି ତଥା ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି। କିନ୍ତୁ ଶର୍ମିଲା ଆନ୍ଧ୍ର ପ୍ରଦେଶ କଂଗ୍ରେସର ସଭାନେତ୍ରୀ ଅଛନ୍ତି। ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମାରାଓଙ୍କ ଝିଅ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି. ପୁରନ୍ଦେଶ୍ବରୀ ରାଜାମହେନ୍ଦ୍ରଭରମ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ‌ ହୋଇଛନ୍ତି।

ମହାରାଷ୍ଟ୍ରରେ ବିଜେପିର ବରିଷ୍ଠ ନେତା ସ୍ବର୍ଗତ ଗୋପୀନାଥ ମୁ‌େଣ୍ଡଙ୍କ ଝିଅ ପଙ୍କଜା ମୁଣ୍ଡେ ବିଡ୍ ଲୋକସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ବିଜେପି ଟିକେଟ ଦେଇଛି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟୀଦଙ୍କ ଝିଅ ମେହବୁବା ମୁଫତି ଅନନ୍ତନାଗ-ରାଜୌରୀ ଲୋକସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପିଡିପିର ଅଧ୍ୟକ୍ଷା ଅଛନ୍ତି। ଡିଏମ୍‌କେ ପ୍ରତିଷ୍ଠାତା ତଥା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରୁଣାନିଧିଙ୍କ ଝିଅ କାନି‌େମାଝି ମଧ୍ୟ ଥୁଟୁକୁଡ଼ି ‌େଲାକସଭା ଆସନରୁ ଡିଏମ୍‌କେ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ଭାଇ ଷ୍ଟାଲିନ ଏବେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଅଛନ୍ତି। କାନିମୋଝି ଏବେ ବି ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଛନ୍ତି। ମହାରାଷ୍ଟ୍ରରେ ବିଜେପି ନେତା ସ୍ବର୍ଗତ ପ୍ରମୋଦ ମହାଜନଙ୍କ ଝିଅ ପୁନମ ମହାଜନ ଏବେ ଲୋକସଭା ସଭ୍ୟ ଅଛନ୍ତି। ସେ ଉତ୍ତର କେନ୍ଦ୍ରୀୟ ମୁମ୍ବାଇରୁ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କୁ ବିଜେପି ଟିକେଟ ଦେବ କି ନାହିଁ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର