ପାୱାରଙ୍କ ଘରେ ମିଶିଲେ ୮ ଦଳର ନେତା

ନୂଆଦିଲ୍ଲୀ: ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଆଜି ବିରୋଧୀ ଦଳ ନେତାମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ୮ଟି ଦଳର ନେତା ଆସିଥିଲେ। ନେତାମାନଙ୍କ ମଧ୍ୟରେ ନ୍ୟାସନାଲ କନ୍‌ଫରେନ୍ସ ନେତା ଓମର ଅବଦୁଲ୍ଲା, ଏନ୍‌ସିପିର ବନ୍ଦନା ଚୌହାନ, ଆରଜେଡିର ଜୟନ୍ତ ଚୌଧୁରୀ, ସମାଜବାଦୀ ପାର୍ଟିର ଘନଶ୍ୟାମ ତିୱାରୀ, ଆପ୍‌ର ସୁଶୀଲ ଗ୍ରୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକକୁ କେବଳ ରାଜନେତା ନୁହନ୍ତି ବିଭିନ୍ନ ବର୍ଗର ଖ୍ୟାତନାମା ବ୍ୟକ୍ତିବିଶେଷ ମଧ୍ୟ ଆସିଥିଲେ। ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବିଚାରପତି ଏ ପି ଶାହ, ବରିଷ୍ଠ ଆଇନଜୀବୀ କେଟିଏସ୍‌ ତୁଲ୍‌ସୀ, ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଏସ୍‌ ୱାଇ କ୍ୟୁରେସି, ପୂର୍ବତନ ରାଷ୍ଟ୍ରଦୂତ କେ ସି ସିଂହ, ଗୀତିକାର ଜାଭେଦ ଅଖତାର, ବରିଷ୍ଠ ଆଇନଜୀବୀ କୋଲିନ୍ ଗୋନସ୍ଲେଭ୍‌ସ ରହିଥିଲେ।

ତେବେ ବୈଠକ ସହ ଜଡ଼ିତ ‌ନେତାମାନେ ସ୍ପଷ୍ଟ କରିଛନ୍ତି ଯେ ତୃତୀୟ ସାମ୍ମୁଖ୍ୟ ଖଠନ ‌ନେଇ ଆଜିର ବୈଠକର କୌଣସି ସଂପର୍କ ନାହିଁ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କ ରାଷ୍ଟ୍ର ମଞ୍ଚ ପକ୍ଷରୁ ଏହି ବୈଠକ ଆୟୋଜନ କରାଯାଇଥିଲା। ପାୱାରଙ୍କୁ ଶ୍ରୀ ସିହ୍ନା ବୈଠକ ଆୟୋଜନ ପାଇଁ କହିଥିଲେ। ତେବେ ଏହି ବୈଠକ ସାଂପ୍ରତିକ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ହୋଇଥିଲା ବୋଲି ଶ୍ରୀ ସିହ୍ନା କହିଛନ୍ତି। ଉଲ୍ଲେଖ ଯୋଗ୍ୟ ବିଜେପିରେ ଦୀର୍ଘଦିନ ହେଲା ଜଣେ ମୋଦୀ ବିରୋଧୀ ନେତା ଭାବେ ପରିଚିତ ଯଶୱନ୍ତ ନିକଟରେ ମମତା ବାନାର୍ଜୀଙ୍କୁ ତୃଣମୂଳ କଂଗ୍ରେସରେ ମିଶିଛନ୍ତି। ଦେଶର ବରିଷ୍ଠ ଏବଂ ଅଭିଜ୍ଞ ନେତା ଶରଦ ପାୱାରଙ୍କ ପକ୍ଷରୁ ଏହି ବୈଠକ ଆୟୋଜନ କରାଯାଇଥିବାରୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‌ଚେକ୍‌ ଦେବା ପାଇଁ ଉଦ୍ଦିଷ୍ଟ ବୋଲି ଅନେକ ବ୍ୟକ୍ତି ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର