୧୪୦ ଦିନରେ ସବୁଠୁ କମ୍ ସକ୍ରିୟ ମାମଲା: ଗତକାଲି ତୁଳନାରେ ୩୬% ଅଧିକ ସଂକ୍ରମଣ

ମହାରାଷ୍ଟ୍ର‌ରେ ଡେଲ୍‌ଟା ପ୍ଲସ୍‌ ମାମଲା ୬୫କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ୩୮,୩୫୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଦୈନିକ ସଂକ୍ରମଣରେ ୩୬ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୪୯୭ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୨୯,୧୭୯କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୩,୮୬,୩୫୧। ୧୪୦ ଦିନରେ ଏହ‌ା ସବୁଠୁ କମ୍‌। ୨୪ ଘଣ୍ଟାରେ ସକ୍ରିୟ ମାମଲା ୨,୧୫୭ କମିଯାଇଛି। ‌ତେବେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୧.୨୧ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୪୦,୦୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍‌ ୩,୧୨,୨୦,୯୮୧ ଜଣ କରୋନାରୁ ସୁସ୍ଥ ‌‌ହେଲେଣି।

ଆରୋଗ୍ୟ ହାର ୯୭.୪୫ ପ୍ରତିଶତ। ଦେଶରେ ମୃତ୍ୟୁ ହାର ୧.୩୪ ପ୍ରତିଶତ ଏବଂ ଦୈନିକ ପଜିଟିଭ୍‌ ହାର ୨.୧୬ ପ୍ରତିଶତ। ଗତ ୧୬ ଦିନ ଧରି ଦେଶରେ ସକ୍ରିୟ ମାମଲା ୩ ପ୍ରତିଶତ ତଳେ ରହୁଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ର‌ଦେଶ ଏବଂ କର୍ଣ୍ଣାଟକରେ ୮୧.୯୨ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। କେବଳ କେରଳରେ ନୂଆ ସଂକ୍ରମଣ ମାମଲାର ୫୫.୦୭ ପ୍ରତିଶତ ରହିଛି। କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୧,୧୧୯ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୫,୬୦୯, ତାମିଲନାଡ଼ୁରେ ୧୮୯୩, ଆନ୍ଧ୍ରପ୍ରଦେଶରେ ୧୪୬୧, କର୍ଣ୍ଣାଟକରେ ୧୩୩୮ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ କେରଳରେ ସର୍ବାଧିକ ୧୫୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୩୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ମହାରାଷ୍ଟ୍ର‌ରେ ଡେଲ୍‌ଟା ପ୍ଲସ୍‌ ମାମଲା ୬୫କୁ ବୃଦ୍ଧି
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ କୋଭିଡ୍‌ କଟକଣା କୋହଳ କରାଯାଇଛି। ମହାରାଷ୍ଟ୍ରରେ ସମସ୍ତ ହୋଟେଲ୍‌ ଏବଂ ରେସ୍ତୋରାଁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିବାପାଇଁ ସରକାର ଅନୁମତି ଦେଇଛନ୍ତି। ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ହୋଟେଲ୍‌ ଏବଂ ରେସ୍ତୋରାଁ ଗୁଡ଼ିକ କେବଳ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ତେବେ ଏହା ପୂର୍ବରୁ ହୋଟେଲ୍‌ ଏବଂ ରେସ୍ତୋରାଁ ଦିନ ୪ ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି କୋଭିଡ୍‌ ଟାସ୍କ ଫୋର୍ସ‌୍ ସହ ଏକ ବୈଠକ କରିଥିଲେ। କଟକଣା କୋହଳ କରିବା ଦିଗରେ ଆଜିର ବୈଠକରେ ଆଲୋଚନା‌ ହୋଇଥିଲା। ଗୋଟିଏ ପଟେ ମହାରାଷ୍ଟ୍ରରେ କଟକଣା କୋହଳ ହେଉଥିଲେ ସୁଦ୍ଧା ରାଜ୍ୟରେ ସଂକ୍ରମଣ ମନ୍ଥର ହେଉନାହିଁ। ଦେଶର ୫ ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ଅନ୍ୟତମ। ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍‌ ମାମଲା ୬୫କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ଡେଲ୍‌ଟା ଏବେ ପ୍ରମୁଖ ପ୍ରଜାତି ହୋଇଛି। ୮୦ ପ୍ରତିଶତ ନମୁନାର ଜେନମ୍‌ ସିକ୍ବେନ୍ସିଂ କରିବାପରେ ଏଥିରେ ଡେଲ୍‌ଟା ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର