କୋଭିଡ୍‌ର ଦୀର୍ଘକାଳୀନ ପ୍ରଭାବ ଅତ୍ୟନ୍ତ ଚିନ୍ତାଜନକ: ‘ହୁ’

ଜେନେଭା: ବିଶ୍ବବ୍ୟାପୀ ୨୦ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି। କିନ୍ତୁ କରୋନାରୁ ସୁସ୍ଥ ହେବାପରେ ମଧ୍ୟ ଅନେକ ରୋଗୀ ଦୀର୍ଘଦିନ ଧରି ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ଘାଣ୍ଟି ହେଉଛନ୍ତି। କରୋନାର ଏହି ଦୀର୍ଘକାଳୀନ ପ୍ରଭାବ ଯୋଗୁଁ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)। ଦୀର୍ଘ ଦିନ ଧରି କୋଭିଡ୍‌ର ପ୍ରଭାବ ରହିବା ମହାମାରୀର ଏକ ରହସ୍ୟମୟ ଅଂଶ। କୋଭିଡ୍‌ର ବିପଜ୍ଜନକ ପର୍ଯ୍ୟାୟ ଅତିକ୍ରମ କରିଗଲେ ବି ବିଶ୍ବବ୍ୟାପୀ ଅନେକ ରୋଗୀ ଦୀର୍ଘଦିନ ଧରି ଚିକିତ୍ସା ଏବଂ ଔଷଧ ଉପରେ ନିର୍ଭର କରୁଛନ୍ତି। ଏହାକୁ କୁହାଯାଉଛି ଲଙ୍ଗ୍‌ କୋଭିଡ୍‌ ତଥା କରୋନାରୁ ସୁସ୍ଥ ହେବାପରେ ମଧ୍ୟ ଦୀର୍ଘଦିନ ଧରି ଏଥିରେ ଘାଣ୍ଟି ହେବା। ‘ହୁ’ର ସଦସ୍ୟ ମାରିଆ ଭାନ୍‌ କେରଖୋଭେ କହିଛନ୍ତି, ଦୀର୍ଘଦିନ ଧରି କରୋନାର ପ୍ରଭାବ ଦେଖିବାକୁ ମିଳୁଛି ଏବଂ ଏହା କେତେଦିନ ରହିବ ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ୁନାହିଁ। ଏନେଇ ଅଧ୍ୟୟନ ଜାରି ରହିଛି।

କୋଭିଡ୍‌ର ୨୦୦ରୁ ଅଧିକ ଲକ୍ଷଣ ରହୁଛି। ତେବେ କୋଭିଡ୍‌ରୁ ସୁସ୍ଥ ହେବାପରେ ଅଧିକାଂଶ ରୋଗୀଙ୍କର ନିଶ୍ବାସ ନେବାରେ କଷ୍ଟ ହେବା, ଅତ୍ୟନ୍ତ କ୍ଳାନ୍ତ ଲାଗିବା, ହୃଦ୍‌ ସମସ୍ୟା, ନ୍ୟୁରୋ ସମସ୍ୟା ଏବଂ କିଛି କ୍ଷେତ୍ରରେ ଲୋକଙ୍କର କିଛି କଥା ମନେ ରଖିବାରେ ସମସ୍ୟା ହେଉଛି। ‌ତେବେ କିଛି ରୋଗୀଙ୍କଠାରେ ୩ ମାସ ଏବଂ ଅନ୍ୟ କିଛି ରୋଗୀଙ୍କଠାରେ ୬ ମାସ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏପରିକି କିଛି ରୋଗୀ ପାଖାପାଖି ବର୍ଷେ ପର୍ଯ୍ୟନ୍ତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ଘାଣ୍ଟି ହେବା ଦେଖିବାକୁ ମିଳିଛି। ତେବେ ଦୀର୍ଘଦିନ ଧରି ‌ଯେଉଁମା‌ନେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍‌ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର