ଜାମିନ ଦେବାକୁ ଭୟ କରୁଛନ୍ତି ତଳ କୋର୍ଟ ବିଚାରପତି

ନୂଆଦିଲ୍ଲୀ : ଅଭିଯୁକ୍ତମାନଙ୍କୁ ଜାମିନ ଦେବା ପାଇଁ ତଳ କୋର୍ଟର ବିଚାରପତିମାନେ ଭୟ କରୁଛନ୍ତି। ବିଚାରପତିମାନେ ବଦନାମ ହେବା ଭୟ ଏବଂ ନିଜେ ଟାର୍ଗେଟ୍‌ ହୋଇଯିବା ଆଶଙ୍କା କରି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାରେ ପଛଘୁଞ୍ଚା ଦେଉଛନ୍ତି। ଏହା କହିଛନ୍ତି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼।

ଗତକାଲି ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନ ବିଚାପତି କହିଥିଲେ ଯେ ନିମ୍ନ ଅଦାଲତର ବିଚାରପତିମାନଙ୍କର ଯୋଗ୍ୟତା ରହିଛି। ଅପରାଧିକ ମାମଲାରେ ସେମାନଙ୍କର ଜ୍ଞାନ ବି ରହିଛି। ଅପରାଧକୁ ଠିକ୍‌ ଭାବେ ବୁଝୁଥିଲେ ମଧ୍ୟ ବିଚାରପତିମାନେ କାଳେ ଟାର୍ଗେଟ୍‌ ହୋଇଯିବେ ଭାବି ଜାମିନ ଦେବାକୁ ଡରୁଛନ୍ତି। ଏଭଳି ବାତ୍ତାବରଣ ଜାରି ରହିଲେ ନିମ୍ନ ଅଦାଲତର ସ୍ଥାଣୁ ପାଲଟିଯିବ। ସମୟ ଆସିଛି ବିଚାରପତିମାନଙ୍କ ମନରୁ ଏଭଳି ଭୟ ଦୂର କରିବାକୁ ପଡ଼ିବ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ୍ କହିଛନ୍ତି। ତଳକୋର୍ଟ ବିଚାରପତିଙ୍କ ଦ୍ବାରା ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେଉଥିବାରୁ ସୁପ୍ରିମ୍‌କୋର୍ଟରେ ମଧ୍ୟ ଜାମିନ ଆବେଦନ ସଂଖ୍ୟା ବଢ଼ିଚାଲିଛି ।

ସୂଚନାଯୋଗ୍ୟ ଯେ ଗତକିଛି ବର୍ଷ ହେବା ଆଇନ ବିଶାରଦ କହି ଆସୁଛନ୍ତି ଯେ ଉଚ୍ଚ ନ୍ୟାୟଳୟରେ ଭର୍ତ୍ସନା ଏବଂ ସାମାଜିକ ଗଣମାଧ୍ୟମରେ ସମାଲୋଚନା ଭୟରେ ନିମ୍ନ ଅଦାଲତର ଜଜ୍‌ମାନେ ଅଭିଯୁକ୍ତମାନଙ୍କୁ ଜାମିନ ଦେଉ ନାହାନ୍ତି।

ଗତକାଲି ପ୍ରଧାନ ବିଚାରପତି ଆଇନ ବ୍ୟବସ୍ଥାର ପୁରୁଷକୈନ୍ଦ୍ରିକ ଓ ଜାତିଭିତ୍ତିକ ଢାଞ୍ଚାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଏବଂ ଏଥିରେ ପରିବର୍ତ୍ତନ ଆବଶ୍ୟକ ବୋଲି କହିଥିଲେ। ବରିଷ୍ଠ ଓକିଲମାନେ ବିଭିନ୍ନ ପୃଷ୍ଠଭୂମିରୁ କନିଷ୍ଠମାନଙ୍କୁ ଗ୍ରହଣ କରିବାକୁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପରାମର୍ଶ ଦେଇଥିଲେ। ପ୍ରଧାନବିଚାରପତି କହିଲେ ଯେ, ନ୍ୟାୟପାଳିକାରେ ମହିଳାମାନଙ୍କ ସଂଖ୍ୟା କମ୍ କାରଣ ଯଥେଷ୍ଟ ସଂଖ୍ୟକ ମହିଳା ଏହି ବୃତ୍ତିକୁ ଆସୁ ନାହାନ୍ତି। ତେବେ ଜିଲ୍ଲାସ୍ତରରେ ମହିଳାମାନଙ୍କ ସଂଖ୍ୟା ଏବେ କ୍ରମଶଃ ବୃଦ୍ଧି ପାଇବାର ଦେଖାଯାଉଛି। ‘୩୦ ବର୍ଷ ତଳେ ନ୍ୟାୟପାଳିକାର ଚେହେରା ଯେପରି ଥିଲା, ଏବେ ତାହାର ହିଁ ପ୍ରତିଫଳନ ଦେଖିବାକୁ ମିଳୁଛି। ଆମେ ଯଦି ଆଇନ ବୃତ୍ତିରେ ସମାନ ସୁଯୋଗ ସୃଷ୍ଟି ନ କରିବା, ତେବେ କେବଳ ମହିଳା ନୁହନ୍ତି ବଞ୍ଚିତ ବର୍ଗର ସମସ୍ୟା ଦୂର ହୋଇପାରିବନି’ ବୋଲି ପ୍ରଧାନବିଚାରପତି କହିଛନ୍ତି।

ସମ୍ବନ୍ଧିତ ଖବର