୪ ମାସ‌ରେ ସବୁଠୁ କମ୍‌ ଦୈନିକ ସଂକ୍ରମଣ

କେରଳରେ ସ୍ଥିତି ବିଗୁଡ଼ୁଛି, ଟେ‌ଷ୍ଟ୍‌ ପଜିଟିଭ୍‌ ହାର ୧୨%

ନୂଆଦିଲ୍ଲୀ: ୪ ମାସରେ ଦେଶରେ ସବୁଠୁ କମ୍‌ ଦୈନିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୦,୦୯୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୭୪ ଜଣଙ୍କ କରୋନାରେ ମୃତ୍ୟୁ ‌ହୋଇଛି। ଶେଷଥର ପାଇଁ ମାର୍ଚ୍ଚ ୧୬ ତାରିଖରେ ସଂକ୍ରମଣ ମାମଲା ୩୦ ହଜାର ତଳେ ଥିଲା। ମାର୍ଚ୍ଚ ୧୬ରେ ଦେଶରେ ଦୈନିକ ସଂକ୍ରମଣ ମାମଲା ୨୮,୯୦୩ ଥିଲା। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୩,୧୧,୭୪,୩୨୨କୁ ବୃଦ୍ଧି ପାଇଛି ଏବଂ ୪,୧୪,୪୮୨ ଜଣଙ୍କ କରୋନାରେ ମୃତ୍ୟୁ ‌ହୋଇଛି।

ଦେଶରେ ସକ୍ରିୟ ମାମଲା ୪,୦୬,୧୩୦ ରହିଛି।। ଏହ‌ା ୧୧୭ ଦିନରେ ସବୁଠୁ କମ୍‌। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ମାତ୍ର ୧.୩୦ ପ୍ରତିଶତ। ଲଗାତାର ୨୯ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି। ଅନ୍ୟପକ୍ଷେ ଦେଶରେ ପଜିଟିଭ୍‌ ହାର ଏବେ ୨.୦୬ ପ୍ରତିଶତ। ଆଇସିଏମ୍‌ଆର ଅନୁଯାୟୀ ଜୁଲାଇ ୧୯ ସୁଦ୍ଧା ଦେଶରେ ମୋଟ୍‌ ୪୪,୭୩,୪୧୩୩ ନମୁନା ପରୀକ୍ଷା ହୋଇଛି। ଗତକାଲି ୧୭,୯୨,୩୩୬ ନମୁନା ପରୀକ୍ଷା ହୋଇଛି। ଗତକାଲି ଦେଶରେ ୪୫,୨୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଆରୋଗ୍ୟ ହାର ୯୭.୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ମୋଟ୍‌ ୪୧.୧୮ କୋଟି ଡୋଜ୍‌ ଦିଆଯାଇଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୫୨,୬୭,୩୦୯ ଡୋଜ୍‌ ଦିଆଯାଇଛି। ଦେଶରେ ସଂକ୍ରମଣ କମୁଥିଲେ ସୁଦ୍ଧା କିଛି ନିର୍ଦ୍ଦିଷ୍ଟ ରାଜ୍ୟରେ ସଂକ୍ରମଣ ବୃଦ୍ଧି ହେଉଥିବାରୁ ସରକାର ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ସଂକ୍ରମଣ ବଢ଼ୁଥିବା ସ୍ଥାନମାନଙ୍କରେ ସ୍ବତନ୍ତ୍ର ଫୋକସ୍‌ ସହ କଟକଣା କଡ଼ାକଡ଼ି କରାଯାଇଛି। କେରଳ ଏବଂ ମହାରାଷ୍ଟ୍ରରେ ଲଗାତାର ଭାବେ ସଂକ୍ରମଣ ବଢ଼ୁଛି।

ତିରୁଅନନ୍ତପୁରମ୍‌: କେରଳରେ ସଂକ୍ରମଣ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କେରଳରେ ୧୬,୮୪୮ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ମୋଟ୍‌ ସଂକ୍ରମଣ ମାମଲା ୩୧,୮୭,୭୧୬। କୋଭିଡ୍‌ ଟେଷ୍ଟ୍‌ ପଜିଟିଭ୍‌ ହାର ୧୨ ପ୍ରତିଶତ ନିକଟତର ହୋଇଛି। ମଲପ୍ପୁରମ୍‌ରେ ସର୍ବାଧିକ ସଂକ୍ରମଣ ମାମଲା ରହିଛି। ମଲ୍ଲପୁରମ୍‌ରେ ୨୪ ଘଣ୍ଟାରେ ୨୭୫୨ ମାମଲା ଚିହ୍ନଟ ହୋଇଥିବା ବେଳେ ଥ୍ରିସୁରରେ ୧୯୨୯, ଏର୍ନାକୁଲମ୍‌ରେ ୧୯୦୧, କୋଝିକୋଡ୍‌ରେ ୧୬୮୯, କୋଲ୍ଲମ୍‌ରେ ୧୫୫୬, ପଲକ୍କଡରେ ୧୨୩୭, କୋଟ୍ଟାୟମରେ ୧୧୦୧ ଏବଂ ତିରୁଅନନ୍ତପୁରମ୍‌‌ରେ ୧୦୫୫ ମାମଲା ଚିହ୍ନଟ ହୋଇଛି। ନୂଆ ମାମଲାରେ ୧୦୯ ଜଣ ସ୍ବାସ୍ଥ୍ୟ କର୍ମୀ ଅଛନ୍ତି। ରାଜ୍ୟରେ ତୃତୀୟ ଲହର ମୁକାବିଲା ପାଇଁ ସରକାର ଯୁଦ୍ଧସ୍ତରରେ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଆଣୁଛନ୍ତି।

ସମ୍ବନ୍ଧିତ ଖବର