୫୩୮ ଦିନରେ ସବୁଠାରୁ କମ୍‌ ସଂକ୍ରମଣ, ମିଜୋରାମରେ ୨୪ ଘଣ୍ଟାରେ ୮୦ ଛାତ୍ର ସଂକ୍ରମିତ

ତେଲେଙ୍ଗାନାରେ ୨୮ ଛାତ୍ରୀ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮,୪୮୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୫୩୮ ଦିନରେ ଏହା ସବୁଠାରୁ କମ୍‌ ସଂକ୍ରମଣ। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୩,୪୫,୧୮,୯୦୧କୁ ଆଜି ବୃଦ୍ଧି ପାଇଛି। ସକ୍ରିୟ ମାମଲା ୧,୧୮,୪୪୩ ଅର୍ଥାତ୍‌ ୫୩୪ ଦିନରେ ସବୁଠାରୁ କମ୍‌ ରହିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୩୪ ପ୍ରତିଶତ ଅଛି। ଗତ ୨୪ ଘଣ୍ଟାରେ ଦେଶରେ ୧୨, ୫୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ୨୪୯ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ମୋଟ୍‌ ମୃତ୍ୟୁସଂଖ୍ୟା ୪,୬୫,୯୧୧କୁ ବୃଦ୍ଧି ପାଇଛି। କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକରୁ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେରଳରେ ଗତ ୨୪ ଘଣ୍ଟାରେ ୫,୦୮୦ ମାମଲା ଚିହ୍ନଟ ହୋଇଥିବାବେଳେ ତାମିଲନାଡ଼ୁରେ ୭୫୬, ପଶ୍ଚିମବଙ୍ଗରେ ୭୨୭, ମହାରାଷ୍ଟ୍ରରେ ୨୯୮, କର୍ଣ୍ଣାଟକରେ ୨୪୭ ମାମଲା ଚିହ୍ନଟ ହୋଇଛି। ଉପରୋକ୍ତ ୫ ରାଜ୍ୟରୁ ୮୩.୭୫ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ କେରଳରେ ଗତ ୨୪ ଘଣ୍ଟାରେ ୧୯୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଆରୋଗ୍ୟ ହାର ଏବେ ୯୮.୩୧ ପ୍ରତିଶତ।

ମିଜୋରାମରେ ୨୪ ଘଣ୍ଟାରେ ୮୦ ଛାତ୍ର ସଂକ୍ରମିତ, ତେଲେଙ୍ଗାନାରେ ୨୮ ଛାତ୍ରୀ ସଂକ୍ରମିତ
ଐଜଲ୍‌ : ମିଜୋରାମରେ ଗତ ୨୪ ଘଣ୍ଟାରେ ୨୧୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି। ତେବେ ଏହି ୨୧୨ ଜଣଙ୍କ ମଧ୍ୟରୁ ୮୦ ଜଣ ହେଉଛନ୍ତି କେବଳ ଛାତ୍ର। ତଥ୍ୟ ଅନୁଯାୟୀ ମିଜୋରାମର ୩ଟି ଘରୋଇ ସ୍କୁଲ୍‌ର ୮୦ ଛାତ୍ର ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି। ୨୧୨ ନୂଆ ମାମଲାରୁ ଐଜଲ୍‌ରେ ୧୪୯ ମାମଲା ଥିବାବେଳେ ଚମ୍ଫାଇରେ ୨୪, ଖଜାଲ୍‌ରେ ୧୪, ଲୁଙ୍ଗଲେଇରେ ୧୦, ମାମିତରେ ୬, ସ‌ର୍ଚିପରେ ୪, କୋଲାସିବରେ ୩, ଲଙ୍ଗତଲାଇରେ ୨ ମାମଲା ଚିହ୍ନଟ ହୋଇଛି। ରବିବାର ଦିନ ମିଜୋରାମରେ ଗୋଟିଏ ଦିନର ପଜିଟିଭ୍‌ ହାର ୧୯.୩୧ ପ୍ରତିଶତ ଅଛି। କାରଣ ରବିବାର ମି‌ଜୋରାମରେ ମାତ୍ର ୧୦୯୮ ନମୂନା ପରୀକ୍ଷା ହୋଇଛି। ମିଜୋରାମରେ ମୋଟ୍‌ ସଂକ୍ରମଣ ମାମଲା ୧,୩୧,୮୯୭। ଅନ୍ୟପକ୍ଷେ କରୋନା ମୃତ୍ୟୁସଂଖ୍ୟା ୪୭୯। ରବିବାର ମିଜୋରାମରେ ୫୦୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୧,୨୬,୬୭୨। ରାଜ୍ୟରେ ସକ୍ରିୟ ମାମଲା ୪,୭୪୬। ଅନ୍ୟପକ୍ଷେ ତେଲେଙ୍ଗାନାର ଖମ୍ମମ ଜିଲ୍ଲାରେ ମଧ୍ୟ ୨୮ ଛାତ୍ରୀ ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର