ଉତ୍ତରକାଶୀ: ଉତ୍ତରକାଶୀସ୍ଥିତ ସିଲ୍କିଆରା-ବାରକୋଟ ଟନେଲରେ ଗତ ଦୁଇ ସପ୍ତାହ ଧରି ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଆଜି ପୁଣି ବଡ଼ ବାଧା ଆସିଛି। ଚଟାଣ ଫାଟି ଯାଉଥିବା ଏବଂ ଧସି ଆସୁଥିବା ଲୁହା ଓ ପଥର ପାଇଁ ଅଗର ମେସିନ ବାରମ୍ବାର ଅଚଳ ହୋଇଯାଉଥିବାରୁ ଉଦ୍ଧାରକାରୀମାନେ ଏବେ ମାନୁଆଲ ଡ୍ରିଲିଂ ପାଇଁ ବିଚାର କରୁଛନ୍ତି। ଉପରୁ ଭୂଲମ୍ବ (ଭର୍ଟିକାଲ) ଡ୍ରିଲିଂ ପାଇଁ ମଧ୍ୟ ଯୋଜନା କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଅଧିକାରୀ କହିଛନ୍ତି, ଉଦ୍ଧାର କାର୍ଯ୍ୟ ଶେଷ ହେବାକୁ ଆଉ କିଛି ଦିନ ଲାଗିପାରେ। ସେପଟେ ସତଲୁଜ ଜଳ ବିଦ୍ୟୁତ୍ ନିଗମ ଲିମିଟେଡ (ଏସ୍ଜେଭିଏନ୍ଏଲ୍) ଦ୍ୱାରା ଭର୍ଟିକାଲ ଡ୍ରିଲିଂ ପାଇଁ ଟନେଲ ଉପରୁ କାମ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି।
ଅଗର ମେସିନ୍ ୪୬.୮ ମିଟର କାଟିବାରେ ସଫଳ ହେବା ପରେ ଆଉ ୧୦ରୁ ୧୨ ମିଟର କାମ ବାକି ରହିଛି। ଡ୍ରିଲିଂ ସରିବା ପରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ପାଇପ୍ ଲଗାଯିବ। ଯେହେତୁ ଷଷ୍ଠ ଥର ପାଇଁ ଉଦ୍ଧାରକାରୀମାନେ ଡ୍ରିଲିଂ ପ୍ରକ୍ରିୟାରେ ବାଧାର ସମ୍ମୁଖୀନ ହୋଇଛନ୍ତି, ତେଣୁ ସେମାନେ ଅବଶିଷ୍ଟ ଆବର୍ଜନାକୁ ସ୍କାନ୍ କରିବା ପାଇଁ ଗ୍ରାଉଣ୍ଡ ପେନିଟ୍ରେସନ୍ ରାଡାର (ଜିପିଆର) ବ୍ୟବହାର କରୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଆମେରିକୀୟ-ଅଗର ଡ୍ରିଲିଂ ମେସିନ୍ ଏକ ଧାତବ ଗାର୍ଡରକୁ ଧକ୍କା ଦେବା ପରେ ଉଦ୍ଧାର ଅଭିଯାନ ଏବେ ସବୁଠାରୁ ବଡ଼ ବାଧାର ସମ୍ମୁଖୀନ ହୋଇଛି। ଏବେ ଅଧିକାରୀମାନେ ଭର୍ଟିକାଲ୍ ବା ପାହାଡ଼ ଉପର ପାର୍ଶ୍ବରୁ ଡ୍ରିଲିଂ ପାଇଁ ଯୋଜନା କରୁଛନ୍ତି। ଡ୍ରିଲିଂ ପାଇଁ ବ୍ୟବହୃତ ହେବାକୁ ଥିବା ମେସିନ୍ ସଂସ୍ଥାପିତ ହୋଇସାରିଛି। ସୀମା ସଡ଼କ ସଂଗଠନ (ବିଆରଓ) ଭର୍ଟିକାଲ ଡ୍ରିଲିଂ ସାଇଟ୍ରେ ପହଞ୍ଚିବା ପାଇଁ ରାସ୍ତା ପ୍ରସ୍ତୁତ କରିସାରିଛି ଏବଂ ପ୍ଲାଟଫର୍ମକୁ ମଜବୁତ କରିବା ପାଇଁ ଖୁବ୍ଶୀଘ୍ର ମାଲ ପରିବହନ କରାଯିବ। ଶ୍ରମିକମାନେ ପାହାଡ଼ ଉପରକୁ ଯାଇ ଭର୍ଟିକାଲ ଡ୍ରିଲିଂ ପାଇଁ ଖନନ କରୁଥିବା ଦେଖିବାକୁ ମିଳିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶୁକ୍ରବାର ସିଲ୍କିୟାରା ଟନେଲ ସ୍ଥଳର ଯାଞ୍ଚ କରିବା ପରେ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି ଏବଂ ଫସି ରହିଥିବା ୪୧ ଜଣଙ୍କୁ ବାହାର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଜେନ୍ସି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।
ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ମଧ୍ୟ କହିଛନ୍ତି ଯେ ଗତରାତିରୁ ସିଲ୍କିୟାରା ଟନେଲରେ ପାଇପ୍ ଭର୍ତ୍ତି କରିବା କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇନାହିଁ। ଏହା ଆମ ପାଇଁ ଏକ ବଡ଼ ଝଟ୍କା ଏବଂ ଏହା ଉଦ୍ଧାର କାର୍ଯ୍ୟକୁ ଆହୁରି କିଛି ଦିନ ବିଳମ୍ବ କରିପାରେ। ଶେଷ ଦୁଇଟି ପାଇପ୍ ଭର୍ତ୍ତି କରିବା ସମୟରେ ଆସିଥିବା ବଡ଼ ବାଧାକୁ ଦୂର କରିବା ପାଇଁ ଗତ ରାତି ତମାମ ପ୍ରୟାସ ହୋଇଥିଲା, କିନ୍ତୁ ଏହା ସଫଳ ହୋଇନଥିଲା। ଆଜି ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ପାଇଁ ଯୁଦ୍ଧସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବିଶେଷଜ୍ଞ ଟିମ୍ ଶ୍ରମିକଙ୍କ ଉଦ୍ଧାର ପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି।
ଖ୍ରୀଷ୍ଟମାସ ସୁଦ୍ଧା ନିରାପଦରେ ଫେରିବେ: ବିଶେଷଜ୍ଞ ଟିମ୍
ଉତ୍ତରକାଶୀ ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଆହୁରି ଅଧିକ ସମୟ ଲାଗିବ। ବିଶେଷଜ୍ଞ ଟିମ୍ ଏନେଇ ଏକାଧିକ ବିକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଥିବା ବେଳେ ଉଦ୍ଧାର କାର୍ଯ୍ୟର ନେତୃତ୍ବ ନେଇଥିବା ବରିଷ୍ଠ ସୁଡ଼ଙ୍ଗ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଛନ୍ତି ଯେ ଖ୍ରୀଷ୍ଟମାସ ସୁଦ୍ଧା ଶ୍ରମିକମାନେ ଘରକୁ ନିରାପଦରେ ଫେରିବେ। ପ୍ରତ୍ୟେକ ବିକଳ୍ପ ନେଇ ଆମେ ଗମ୍ଭୀରତାର ସହ ବିଚାର କରୁଛୁ ଏବଂ ଶ୍ରମିକଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯିବ ତାହା ସୁନିଶ୍ଚିତ କରାଯାଉଛି। ଶ୍ରମିକମାନଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ମଧ୍ୟ ସମସ୍ତ ପ୍ରକ୍ରିୟା ଜାରି ରହିଛି ଏବଂ ଉପଯୁକ୍ତ ସମନ୍ବୟରେ କାମ ଚାଲିଛି ଆର୍ନୋଲ୍ଡ ଡିକ୍ସ କହିଛନ୍ତି।
ଇତିମଧ୍ୟରେ ଟନେଲରେ ବିଏସ୍ଏନ୍ଏଲ ଏକ ଟେଲିଫୋନ୍ ଏକ୍ସଚେଞ୍ଜ୍ ସ୍ଥାପନ କରିଛି। ନିୟମିତ ଖାଦ୍ୟ ପଠାଇବା ପାଇଁ ବ୍ୟବହୃତ ହେଉଥିବା ପାଇପ୍ ମାଧ୍ୟମରେ ଶ୍ରମିକମାନଙ୍କୁ ଫୋନ୍ ସଂଯୋଗ ଦିଆଯିବ। ଏହି ଫୋନରେ ଇନ୍କମିଂ ଓ ଆଉଟ୍ଗୋଇଂ ସୁବିଧା ରହିବ। ଏହାଦ୍ବାରା ଶ୍ରମିକମାନେ ସିଧାସଳଖ ନିଜ ପରିବାର ସହ କଥା ହୋଇପାରିବେ ବୋଲି ବିଏସ୍ଏନ୍ଏଲ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।