ନୂଆଦିଲ୍ଲୀ: ଏକ ଅଲିଖିତ ପରମ୍ପରା ଭାବେ ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଥମେ ପଡ଼ୋଶୀ ଦେଶ ଜର୍ମାନୀକୁ ଗସ୍ତ କରନ୍ତି, ଦୁଇ ଦେଶ ଭିତରେ ରହିଥିବା ବନ୍ଧୁତାକୁ ଆହୁରି ମଜଭୁତ କରିବା ପାଇଁ। ରାଷ୍ଟ୍ରପତି ଫ୍ରାନ୍ସୁଆ ଓଲାନ୍ଦ ୨୦୧୨ ମେ ୧୫ରେ ନିର୍ବାଚିତ ହେବା ପରେ ବର୍ଲିନ ଯାଇ ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲଙ୍କୁ ଭେଟିଥିଲେ। ତାଙ୍କର ସମର୍ଥ ଉତ୍ତରାଧିକାରୀ ଇମାନୁଏଲ ମାକ୍ରନ୍ ପାଞ୍ଚବର୍ଷ ତଳେ ୨୦୧୭ରେ ପ୍ରଥମ ଥର ନିର୍ବାଚିତ ହେବା ପରେ ତାହାହିଁ କରିଥିଲେ। ଜର୍ମାନୀ ଏବେ ବି ଫ୍ରାନ୍ସର ଘନିଷ୍ଠ ବନ୍ଧୁ ହୋଇ ରହିଥିଲେ ମଧ୍ୟ ଏଥର ଯୋଜନା ଟିକେ ବଦଳିଯାଇଛି।
ଏପ୍ରିଲ ୨୪ରେ ମାକ୍ରନ୍ ପୁନଃନିର୍ବାଚିତ ହେବା ପରେ ଯେଉଁ ବିଶ୍ବ ନେତାଙ୍କୁ ପ୍ରଥମେ ଭେଟିବାକୁ ଯାଉଛନ୍ତି, ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କୋପେନହେଗନରୁ ଫେରନ୍ତା ବାଟରେ ତାଙ୍କର ବନ୍ଧୁ ମାକ୍ରନ୍ଙ୍କୁ ସାକ୍ଷାତ୍ କରିବା ପାଇଁ ପ୍ୟାରିସରେ ଅବତରଣ କରିବେ। ଏଲିସି ପ୍ୟାଲେସରେ ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ। ପ୍ରତିନିଧିସ୍ତରୀୟ ଆଲୋଚନା ବି ହେବ। ସେଠାରେ ମଧ୍ୟାହ୍ନଭୋଜନ କରିବା ସହ ଚାରି-ପାଞ୍ଚ ଘଣ୍ଟା ଅବସ୍ଥାନ କରି ସେ ଭାରତ ପ୍ରତ୍ୟାବର୍ତ୍ତନ କରିବେ। ମୋଦୀ ଅଳ୍ପ ସମୟ ପାଇଁ ଫ୍ରାନ୍ସରେ ଅବସ୍ଥାନ କଲେ ମଧ୍ୟ ତାଙ୍କର ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ମଜଭୁତ କରିବାରେ ସହାୟକ ହେବ ଏବଂ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/sh654sf6h4s564fh65shf465fh4sf5h6.jpg)