ମହାରାଷ୍ଟ୍ର ପ୍ରଜାତି ୟୁକେ ପ୍ରଜାତି ଭୂତାଣୁ ଅପେକ୍ଷା ବେଶି ସଂକ୍ରମଣଶୀଳ

ନୂଆଦିଲ୍ଲୀ: ଭାରତରେ ସବୁଠୁ ଅଧିକ ସଂକ୍ରମଣକ୍ଷମ ଭାବେ ବିବେଚିତ ହେବା ସହ ମହାମାରୀ କୋଭିଡ୍‌-୧୯ ସ୍ଥିତିକୁ ଅଧିକ ଭୟାବହ କରିଦେବ ବୋଲି ଆଶଙ୍କା କରାଯାଉଥିବା ୟୁକେ ପ୍ରଜାତି(ବି୧୧୭)ର ନୂତନ ରୂପାନ୍ତରିତ କରୋନାଭୂତାଣୁର ଉପସ୍ଥିତି ଏବେ ଦେଶର ବିଭିନ୍ନ ସ୍ଥାନରେ କମିଥିବା ଜଣାଯାଇଛି। ଅପରପକ୍ଷେ, ବି.୧.୬୧୭ ନାମକ ଦ୍ବୈତ ରୂପାନ୍ତରିତ ମହାରାଷ୍ଟ୍ର ବା ଭାରତୀୟ ପ୍ରଜାତିର କରୋନାଭୂତାଣୁ ଯୁକେ ପ୍ରଜାତିଠାରୁ ଅଧିକ କ୍ଷିପ୍ର ସାବ୍ୟସ୍ତ ହେବା ସହ ଏହା ଯୋଗୁଁ ଗତ ଦେଢ଼ମାସ ହେଲା ଦେଶରେ ଦ୍ବିତୀୟ ଲହର ସଂକ୍ରମଣ ଏପରି ଅଣାୟତ୍ତ ଭାବେ ବୃଦ୍ଧି ପାଇଛି ବୋଲି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନ୍‌ସିଡିସି)ର ନିର୍ଦ୍ଦେଶକ ସୁଜିତ ସିଂହ କହିଛନ୍ତି।

ସୂଚନା ଥାଉ କି, ଭାରତରେ ଆବିର୍ଭୂତ ଏହି ଦ୍ବୈତ ରୂପାନ୍ତରିତ ପ୍ରଜାତି ଏବେ ବିଶ୍ବର ଅନ୍ୟ ୧୭ଟି ଦେଶରେ ଠାବ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ’) ପକ୍ଷରୁ କୁହାଯାଇଛି। ଦ୍ବିତୀୟ ଲହର ସଂମକ୍ରମଣର ପ୍ରାରମ୍ଭରେ ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂଖ୍ୟାଧିକ ସକ୍ରିୟ ମାମଲାରେ ୟୁକେ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଦେଖାଦେଇଥିଲା। ଏବେ ତାହା କମିକମି ଆସିଥିବା ବିଗତ କିଛି ଦିନ ହେଲା ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ସ୍ଥାନରେ ହାହାକାର ରଚାଇଥିବା ସଂକ୍ରମଣ ବୃଦ୍ଧି ପଛରେ ଭାରତୀୟ ପ୍ରଜାତିର ଅଧିକ ଭୂମିକା ରହିଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର