ଅଗରତାଲା: ଅଗରତାଲାରେ ୫୦୦ ଦିନ ବାସ କରିବା, ନୂଆ ଖାଦ୍ୟପାନୀୟ ଗ୍ରହଣ କରିବା, ସ୍ଥାନୀୟ ଭାଷା ଶିଖିବା- ସୁନୀଲ ଦେଓଧରଙ୍କ ଏଭଳି ଆତ୍ମନିବେଶ ଯୋଗୁଁ ହିଁ ଅପରାଜେୟ ମନେ ହେଉଥିବା ମାଣିକ ସରକାରଙ୍କୁ ପରାସ୍ତ କରାଇ ତ୍ରିପୁରାରେ ବିଜେପିକୁ ଆଣି ଦେଲା ଐତିହାସିକ ବିଜୟ। ୨୦୦୫ରେ ଅସ୍ଥାୟୀ ଭାବେ ବିଜେପିକୁ ଅଣାଯାଇଥିବା ଆର୍ଏସ୍ଏସ୍ର ପ୍ରଚାରକ ନିଜର ଏନ୍ଜିଓ ମାଧ୍ୟମରେ ଲୋକମାନଙ୍କର ନିକଟତର ହୋଇପାରିଥିଲେ। ଯାଯାବର ପିଲାମାନଙ୍କୁ ଥଇଥାନ କରୁଥିବା ତାଙ୍କର ଏନ୍ଜିଓ ‘ମାଇଁ ହୋମ୍ ଇଣ୍ଡିଆ’ ଏହି କାମରେ ତାଙ୍କୁ ବିଶେଷ ସହାୟତା କରିଥିଲା। ତାଙ୍କ ଯୋଗୁଁ ହିଁ ବାରମ୍ବାର କେନ୍ଦ୍ରମନ୍ତ୍ରୀମାନଙ୍କ ପରିଦର୍ଶନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଅଧ୍ୟକ୍ଷ ଅମିତ ଶାହା ଏହି ରାଜ୍ୟକୁ ଅନେକ ଥର ଗସ୍ତ କରିଥିଲେ।
ଦେଓଧର ହେଉଛନ୍ତି ମହାରାଷ୍ଟ୍ରର ମୂଳ ବାସିନ୍ଦା। ୨୦୧୪ରେ ମୋଦି ନିର୍ବାଚନ ଲଢ଼ିବା ବେଳେ ସେ ବାରାଣସୀ ଦାୟିତ୍ୱରେ ଥିଲେ। ପରେ ଶାହା ତାଙ୍କୁ ତ୍ରିପୁରାର କଠିନ ଦାୟିତ୍ୱ ଦେଇଥିଲେ। ଜଣେ ପ୍ରଚାରକ ହିସାବରେ ଦେଓଧର ୧୯୯୦ ଦଶକରେ ଉତ୍ତର-ପୂର୍ବରେ ବିଶେଷ କରି ମେଘାଳୟରେ ଖୁବ୍ ପରିଶ୍ରମ କରିଥିଲେ। ଦେଓଧର କହନ୍ତି: ଏ ବିଜୟ କେତେ ଜଣ ଦଳୀୟ ନେତାଙ୍କ ସାମୁହିକ ଉଦ୍ୟମ।
ଦେଓଧର ତ୍ରିପୁରାର ଦାୟିତ୍ୱ ବହନ କରିବା ବେଳେ, କାମ କାଠିକର ପାଠ ବୋଲି ଜଣାପଡୁଥିଲା। ଗତ ନିର୍ବାଚନରେ ମାତ୍ର ୫୦ ଜଣ ବିଜେପି ପ୍ରାର୍ଥୀ ସେମାନଙ୍କର ଅମାନତ ରାଶି ରକ୍ଷା କରି ପାରିଥିଲେ। ଦଳ ମାତ୍ର ୧. ୫% ଭଳି ନଗଣ୍ୟ ଭୋଟ୍ ପାଇଥିଲା। ରାଜ୍ୟର ବଳିଷ୍ଠ ସିପିଏମ୍ର ଆଧାର ନିକଟରେ ବିଜେପି ହେୟ ହୋଇ ଯାଇଥିଲା।
ପ୍ରତି ମାସର ୧୫ ଦିନ ଦେଓଧର ରାଜ୍ୟରେ ଅତିବାହିତ କରୁଥିଲେ। କୋକବୋରୋକ ଭାଷା ଶିକ୍ଷା କରିବାରୁ ରାଜ୍ୟର ୩୧% ଜନସଂଖ୍ୟା ହୋଇପାରିଥିବା ସେ ସମ୍ପ୍ରଦାୟ ସହ ସେ ଉତ୍ତମ ଯୋଗସୂତ୍ର ସ୍ଥାପନ କରି ପାରିଥିଲେ। ତେଣୁ ଦଳ ସମୁଦାୟ ୨୦ଯାକ ଅନୁସୂଚିତ ଜନଜାତିଙ୍କ ସଂରକ୍ଷିତ ଆସନ ଜିଣିବାରେ ସମର୍ଥ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/63153355.jpg)