DIWALI : ଦୀପାବଳି ପାଇଁ ସାରାଦେଶ ଏବେ ଉତ୍ସବମୁଖର । ଉତ୍ତର ଭାରତଠାରୁ ଆରମ୍ଭ କରି ଦକ୍ଷିଣ ଭାରତ, ପୂର୍ବଭାରତରୁ ଆରମ୍ଭ କରି ପଶ୍ଚିମଭାରତ ପର୍ଯ୍ୟନ୍ତ ଏହି ଆଲୋକର ପର୍ବ ପାଇଁ ଉତ୍ସାହ ଦେଖାଯାଉଛି । ତେବେ ଏହି ଉତ୍ସବ ପଛର କାହାଣୀ କଣ ? 

Advertisment

ଏହା ପଛରେ ଅନେକ କାହାଣୀ ରହିଛି । ତେବେ ସବୁଠାରୁ ଅଧିକ ପ୍ରଚଳିତ ମାନ୍ୟତା ରାମାୟଣ ସହ ଜଡ଼ିତ । ତ୍ରେତାୟୁଗରେ ଭଗବାନ୍ ଶ୍ରୀରାମଚନ୍ଦ୍ର ପିତୃସତ୍ୟ ପାଳନ କରି ଚଉଦ ବର୍ଷ ପରେ ବନବାସରୁ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ। ସେହି ସମୟରେ ଅଯୋଧ୍ୟାବାସୀ ଲୋକେ ରାମଙ୍କ ପ୍ରତ୍ୟାବର୍ତ୍ତନ ଅବସରରେ ପ୍ରଦୀପ ଜ୍ୱାଳି ଆନନ୍ଦ ଓ ଆଲୋକ ଦ୍ୱାରା ସ୍ୱାଗତ କରିଥିଲେ। ସେଥିଠାରୁ କାର୍ତ୍ତିକ ଅମାବାସ୍ୟା ଦିନକୁ ‘ଦୀପାବଳୀ’ ଭାବରେ ପାଳନ କରାଯାଉଛି।

ଦ୍ୱାପରଯୁଗରେ କାର୍ତ୍ତିକ ଅମାବାସ୍ୟା ଦିନେ ଭଗବାନ୍ ଶ୍ରୀକୃଷ୍ଣ ତାରକାସୁରକୁ ବଧ କରି ଷୋଳ ହଜାର ଗୋପାଙ୍ଗନାଙ୍କୁ ଉଦ୍ଧାର କରିଥିଲେ। ସେହି ଆନନ୍ଦରେ ସମଗ୍ର ଦ୍ୱାରକାନଗରୀ ଆଲୋକ ସଜାଇ ଦୀପାବଳୀ ପାଳନ କରିଥିଲେ। ଏହି ମାନ୍ୟତା ମୁଖ୍ୟତଃ ଦକ୍ଷିଣ ଭାରତରେ ପ୍ରଚଳିତ । 

ଆଉ ଏକ ମାନ୍ୟତା ଭାଗବାନ ବାମନ ଓ ବଳିଙ୍କୁ ନେଇ ପ୍ରଚଳିତ । କୁହାଯାଏ ଭଗବାନ ବିଷ୍ଣ ନିଜ ପ୍ରତିଶ୍ରୁତି ଅନୁସାରେ ଦୀପାବଳି ଦିନ ହିଁ ପାତାଳ ଲୋକକୁ ଯାଇ ବଳୀଙ୍କୁ ଦର୍ଶନ ଦିଅନ୍ତି । 

ଶଙ୍କରାଚାର୍ଯ୍ୟ ଏହି ଦୀପାବଳୀ ଦିନରେ ପରକାୟ ପ୍ରବେଶ କରି ପୁନର୍ଜୀବନ ଲାଭ କରିଥିଲେ। ତାଙ୍କ ଅନୁଗାମୀମାନେ ସେହି ଦିନକୁ ସ୍ମାରକୀ ସ୍ୱରୂପେ ଆଲୋକବର୍ତ୍ତିକା ଜାଳି ଉତ୍ସବ ପାଳନ କରିଥିଲେ। ସେହିପରି ଏହି ଉତ୍ସବକୁ ‘ଦୀପାବଳୀ ଉତ୍ସବ’ ଭାବେ ମାନ୍ୟତା ମିଳିଲା।

ଆଉ ଏକ ମାନ୍ୟତା ଜୈନ ପରମ୍ପରା ସହ ଜଡ଼ିତ । ଜୈନ ମାନ୍ୟତା ଅନୁସାରେ ୨୪ତମ ତୀର୍ଥଙ୍କର ଭଗବାନ ମହାବୀର ଏହି ଦିନ ନିର୍ବାଣ ପ୍ରାପ୍ତ କରିଥିଲେ ।  ସେହିପରି ଶିଖମାନେ ଏହାକୁ ବନ୍ଦୀଛୋଡ୍ ଦିବସ ଭାବେ ପାଳନ କରନ୍ତି ।

ଓଡ଼ିଶାରେ ବଡବଡୁଆ (ପିତୃପୁରୁଷ) ମାନଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି ସମ୍ମାନ ପ୍ରଦର୍ଶନ କରନ୍ତି। ଏହା ପୂର୍ବଜମାନଙ୍କ ପ୍ରତି ଶ୍ରଦ୍ଧା ଓ ସ୍ମୃତିର ପ୍ରତୀକ ଦିବସ ଭାବେ ପାଳନ ହୁଏ।