ବର ଚାପୁଡ଼ା ମାରିବାରୁ ବିବାହ ବାତିଲ

ଚେନ୍ନାଇ: ବିବାହ ଉତ୍ସବରେ ଉଭୟ ପରିବାର ନାଚଗୀତରେ ମସ୍‌ଗୁଲ ଥିବାବେଳେ କୌଣସି ଏକ କାରଣରୁ ବର କନ୍ୟାଙ୍କୁ ଚାପୁଡ଼ା ମାରିବାରୁ କନ୍ୟାଜଣକ ବିବାହ କରିବାକୁ ମନା କରିଦେଇଥିଲେ। କିଛି ଘଣ୍ଟା ପରେ କନ୍ୟା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ବିବାହ କରିଥିଲେ। କନ୍ୟା ପାନ୍‌ରୁଟିର ସ୍ନାତକୋତ୍ତର ହୋଇଥିବାବେଳେ ବର ଚେନ୍ନାଇର ଜଣେ ବରିଷ୍ଠ ଇଞ୍ଜିନିୟର। ଜାନୁଆରି ୨୦ ତାରିଖରେ ସେମାନେ ବିବାହ କରିଥାନ୍ତେ। ବିବାହ ପୂର୍ବଦିନ ୧୯ ତାରିଖ ରାତିରେ ବରକନ୍ୟା ଏବଂ ସେମାନଙ୍କ ପରିବାର ସଦସ୍ୟ ଡିଜେ ଏବଂ ଏକ ଡ୍ୟାନ୍ସ ଫ୍ଲୋରରେ ଏକତ୍ରିତ ହୋଇଥିଲେ। ସମସ୍ତେ ନାଚଗୀତରେ ମସ୍‌ଗୁଲ୍‌ ଥିଲେ। ବର-କନ୍ୟା ହାତ ଧରାଧରି ହୋଇ ନାଚୁଥିଲେ।

ଏହି ସମୟରେ କନ୍ୟାଙ୍କର ଜଣେ ସମ୍ପର୍କୀୟ ଭାଇ ଆସି ପାର୍ଟିରେ ଯୋଗ ଦେଲେ। ସେ ଉଭୟ ବର ଏବଂ କନ୍ୟାଙ୍କ କାନ୍ଧରେ ହାତ ରଖି ନାଚିଥିଲେ। ଏହାକୁ ବର ପସନ୍ଦ କରି ନଥିଲେ। ସେ ଉତ୍‌କ୍ଷିପ୍ତ ହୋଇ କନ୍ୟାଙ୍କୁ ତାଙ୍କ ସମ୍ପର୍କୀୟ ଭାଇଙ୍କ ନିକଟରୁ ଭିଡ଼ିଆଣି ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଠେଲି ଦେଇଥିଲେ। ଏହାପରେ କନ୍ୟାପିତା ରାଗି ଯାଇଥିଲେ। ବର ତାଙ୍କ ଝିଅକୁ ଚାପୁଡ଼ା ମାରି ତାଙ୍କ ପରିବାରକୁ ହଲ୍ ଛାଡିବା ପାଇଁ କହିଥିଲେ ବୋଲି ଅଭିଯୋଗ କରିଥିଲେ। ଏହି ଘଟଣା ପରେ କନ୍ୟା ବିବାହ କରିବାକୁ ମନା କରି ଦେଇଥିଲେ। ତାଙ୍କ ପ୍ରସ୍ତାବରେ ତାଙ୍କ ପରିବାର ସମର୍ଥନ କରିଥିଲେ। ଅନ୍ୟପକ୍ଷରେ ବର ମହିଳା ଥାନାରେ ଅଭିଯୋଗ କରିଛନ୍ତି। ବିବାହ ପ୍ରସ୍ତୁତି ପାଇଁ ତାଙ୍କ ପରିବାର ଖର୍ଚ୍ଚ କରିଥିବା ୭ ଲକ୍ଷ ଟଙ୍କା କ୍ଷତିପୂରଣ ସେ ମାଗିଛନ୍ତି।

ସମ୍ବନ୍ଧିତ ଖବର