ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଯୋଶୀମଠ ସଙ୍କଟ ଘନେଇବାରେ ଲାଗିଛି। ବିପଦ ବଢ଼ୁଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଖାଲି କରାଯାଉଛି। ତେବେ ଯୋଶୀମଠ ଦବିବା ଘଟଣା ସହ ଏନ୍ଟିପିସି (ନେସନାଲ ଥର୍ମାଲ ପାୱାର କର୍ପୋରେସନ୍ସ) ୫୨୦ ମେଗାୱାଟ ତପୋବନ ବିଷ୍ଣୁଗଡ଼ ହାଇଡ୍ରୋପାୱାର ପ୍ରକଳ୍ପର କିଛି ସଂପର୍କ ନାହିଁ। ଏନ୍ଟିପିସି ଟନେଲ ସହର ତଳ ଦେଇ ଅତିକ୍ରମ କରିନାହିଁ ବୋଲି ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପ୍ରାକୃତିକ କାରଣ ଏବଂ ନିର୍ମାଣ କାର୍ଯ୍ୟ ବୃଦ୍ଧି ଯୋଗୁଁ ଯୋଶୀମଠ ଦବୁଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଯୋଶୀମଠାର ବର୍ହିସୀମାଠାରୁ ଏହି ଟନେଲ୍ ୧.୧ କିମି ଦୂରରେ। ଭୂସ୍ତରଠାରୁ ଏହା ୧.୧ କିମି ତଳେ। ଟନେଲ ବୋରିଙ୍ଗ ମେସିନ ବ୍ୟବହାର କରି ଏହା ନିର୍ମାଣ କରାଯାଉଛି। ନିକଟସ୍ଥ ଅଞ୍ଚଳ ଉପରେ ଏହା କୌଣସି ପ୍ରଭାବ ପକାଇବନି। ତେବେ ଡ୍ରେନେଜ୍ ବ୍ୟବସ୍ଥା , ଅତ୍ୟଧିକ ବର୍ଷା, ଭୂସ୍ଖଳନ ଏବଂ ନିର୍ମାଣ କାର୍ଯ୍ୟ ବଢ଼ୁଥିବାରୁ ଯୋଶୀମଠ ଦବୁଛି ବୋଲି ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଉତ୍ତରାଖଣ୍ଡ ସରକାର ମଧ୍ୟ ଏନ୍ଟିପିସିର ଭୂତଳ ଟନେଲ କାର୍ଯ୍ୟ ତଦନ୍ତ କରିବେ। ଯୋଶୀମଠରେ ମାଟି ଦବିବାର କାରଣ ଜାଣିବାପାଇଁ ୮ଟି ଅନୁଷ୍ଠାନ ତଦନ୍ତ କରିବେ। ଭୂସ୍ଖଳନ ପରେ ଘର, ହୋଟେଲ, ପ୍ରତିରକ୍ଷା କୋଠା ସବୁଠି ଫାଟ ଦେଖାଦେଇଛି। ପ୍ରତି ଘଣ୍ଟାଏରେ ସହର ଦବୁଛି। ବ୍ୟାପକ ନିର୍ମାଣ କାର୍ଯ୍ୟ ପାଇଁ ଯୋଶୀମଠ ସହର ଦବୁଛି ବୋଲି କୁହାଯାଉଛି। ବର୍ତ୍ତମାନ ପାଇଁ ଏନ୍ଟିପିସିର ଟନେଲ କାର୍ଯ୍ୟ ବନ୍ଦ ରହିଛି। କିନ୍ତୁ ଯୋଶୀମଠ ସଙ୍କଟ ପାଇଁ ଏନ୍ଟିପିସି ଟନେଲ କାର୍ଯ୍ୟ ଦାୟୀ କି ନା’ ସେନେଇ ଉତ୍ତରାଖଣ୍ଡ ସରକାର ତଦନ୍ତ କରିବେ।