କିଏ ଏହି ମାଂସ ବ୍ୟବସାୟୀ, ଯାହାଙ୍କ ଯୋଗୁଁ ବଳି ପଡ଼ିଲେ ୩ ସିବିଆଇ ମୁଖ୍ୟ

0

ନୂଆଦିଲ୍ଲୀ: ସିବିଆଇ ନିର୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଅସ୍ଥାନାଙ୍କ ମଧ୍ୟରେ ବିବାଦ ହେବାର ବର୍ଷକ ପରେ ଉଭୟଙ୍କୁ ଛୁଟିରେ ପଠାଯାଇ ଦିଆଯାଇଛି। ଏହି ବିବାଦର କାରଣ ସାଜିଥିବା ଅସଲ ଲୋକଜଣକ ହେଉଛନ୍ତି ଜଣେ ମାଂସ ରପ୍ତାନିକାରୀ- ମୋଇନ୍‌ ଅଖତାର୍‌ କୁରେଶି। ସେ ମଧ୍ୟ ଅନ୍ୟ ଦୁଇ ସିବିଆଇ ମୁଖ୍ୟ ଏପି ସିଂହ ଏବଂ ରଞ୍ଜିତ ସିହ୍ନାଙ୍କ ପତ୍ତନର କାରଣ।

ଟିକସ ଫାଙ୍କି ଠାରୁ ଆରମ୍ଭ କରି କଳାଟଙ୍କା ଧଳା କରିବା ଏବଂ ଦୁର୍ନୀତି ଆଦି ଅନେକ ତଦନ୍ତ ମାମଲାରେ ସମ୍ମୁଖୀନ କାନପୁରର କୋଟିପତି ମାଂସ ରପ୍ତାନିକାରୀ। ସେ ହାଓ୍ଵଲା କାରବାର ଜରିଆରେ ବିପୁଳ ଅର୍ଥ ବ୍ୟୟ କରିବା ସହ ସିବିଆଇ ଅଧିକାରୀ ଏବଂ ରାଜନେତାମାନଙ୍କୁ ଅକ୍ତିଆର କରିବାକୁ ଅନ୍ୟାନ୍ୟ ବାଟ ଅବଲମ୍ବନ କରୁଥିଲେ।

୧୫ ମାସ ମଧ୍ୟରେ ସେ ତତ୍‌କାଳୀନ ସିବିଆଇ ମୁଖ୍ୟ ରଞ୍ଜିତ ସିହ୍ନାଙ୍କ ଘରକୁ ଅନ୍ୟୂନ ୭୦ ଥର ଯାଇଥିବା କାରଣରୁ ୨୦୧୪ରେ ପ୍ରଥମେ ତାଙ୍କ ନାମ ଲୋକ ଲୋଚନକୁ ଆସିଥିଲା। ସମ୍ପ୍ରତି ବର୍ମା ଏବଂ ଅସ୍ଥାନାଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ମଝିରେ ବାହାରି ଥିବା ହାଇଦ୍ରାବଦର ବ୍ୟବସାୟୀ ସତୀଶ ବାବୁ ସାନା ପ୍ରବର୍ତ୍ତନ ନିର୍ଦେଶାଳୟକୁ କହିଛନ୍ତି କି, ସିହ୍ନାଙ୍କ ଜରିଆରେ ଏକ ସିବିଆଇ ମାମଲାରେ ତାଙ୍କ ବନ୍ଧୁଙ୍କ ଜାମିନ ନିମନ୍ତେ ଗତବର୍ଷ ସେ କୁରେଶିଙ୍କୁ ୧ କୋଟି ଟଙ୍କା ଦେଇଛନ୍ତି।

ଅଭିଯୁକ୍ତ ବ୍ୟକ୍ତି ବା ସନ୍ଦିଗ୍ଧଙ୍କ ସହ ସାକ୍ଷାତ୍‌ କରିଥିବାରୁ ସିହ୍ନାଙ୍କ ଉପରେ ସୁପ୍ରିମ୍‌ କୋର୍ଟ ଜୋର୍‌ଦାର ଚାପ ପକାଇବାରୁ ସେ ସିବିଆଇ ନଜରକୁ ଆସିଲେ। ସିହ୍ନାଙ୍କ ବିରୋଧରେ ଅଭିଯୋଗ ସବୁ ସିବିଆଇରେ ସଂସ୍କାର ବ୍ୟବସ୍ଥାକୁ ପୁଣି ଜାଗରୁକ କରିବା ସହ ତା’ର କାର୍ଯ୍ୟକଳାପ ପ୍ରତି ଅଧିକ ଧ୍ୟାନ ଦିଆଇଲା। ୨୦୧୨ରୁ ୨୦୧୪ ଯାଏଁ ସିବିଆଇର ମୁଖ୍ୟ ଥିବା ସିହ୍ନା ଥରକୁ ଥର ଅଭିଯୋଗକୁ ଅସ୍ୱୀକାର କଲେ।

ପରେ ୨୦୧୪ରେ ଜଣାପଡ଼ିଲା ଯେ କୁରେଶି ଅନ୍ୟତମ ସିବିଆଇ ନିର୍ଦେଶକ ଏ ପି ସିହ୍ନାଙ୍କ ସହ ମେସେଜ୍‌ ଆଦାନ ପ୍ରଦାନ କରିଛନ୍ତି। ସେ ୨୦୧୦ ରୁ ୨୦୧୨ ଯାଏଁ ସିବିଆଇର ମୁଖ୍ୟ ଥିଲେ। ଆୟକର ବିଭାଗ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ପ୍ରଥମେ ମାମଲାର ତଦନ୍ତ କଲେ। କୁରେଶିଙ୍କ ସହ ତାଙ୍କର ସମ୍ପୃକ୍ତିର ତଦନ୍ତ କରିବାକୁ ଗତବର୍ଷ ଫେବ୍ରୁଆରି ମାସରେ ସିବିଆଇ ମଧ୍ୟ ସିହ୍ନାଙ୍କ ବିରୋଧରେ ମାମଲା ରେଜିଷ୍ଟ୍ରି କଲା।

ଅଭିଯୋଗ ଯୋଗୁଁ ସିହ୍ନା କେନ୍ଦ୍ରୀୟ ଲୋକସେବା ଆୟୋଗର ସଦସ୍ୟ ପଦରୁ ଇସ୍ତଫା ଦେଲେ। ତାଙ୍କ ବିରୋଧରେ ଉଠିଥିବା ସମସ୍ତ ଅଭିଯୋଗକୁ ମଧ୍ୟ ସିହ୍ନା ଅସ୍ୱୀକାର କରି କହିଲେ କି, ସିବିଆଇ ତାଙ୍କ ସହ ସେ ଯାଏଁ ଯୋଗାଯୋଗ କରି ନାହିଁ।

କୁରେଶିଙ୍କ ତଦନ୍ତ ଯୋଗୁଁ ଏବେ ଆଲୋକ ବର୍ମା ଚାକିରି ହରାଇଲେ। ଅସ୍ଥାନା ଅଭିଯୋଗ କରିଛନ୍ତି ଯେ ବର୍ମା ସାନାଙ୍କ ଠାରୁ ୨ କୋଟି ଟଙ୍କା ହାତଗୁଞ୍ଜା ନେଇଛନ୍ତି। ଗତ ସପ୍ତାହରେ ବର୍ମା ପାଲଟା ଏତଲା ଦେଲେ କି, ଅସ୍ଥାନା ମଧ୍ୟ ସାନାଙ୍କ ଠାରୁ ୩ କୋଟି ଟଙ୍କା ହାତଗୁଞ୍ଜା ନେଇଛନ୍ତି।

୧୯୯୩ ମସିହାରେ ଉତ୍ତର ପ୍ରଦେଶର ରାମପୁର ଠାରେ ଛୋଟିଆ କଂସେଇଖାନା ଖୋଲିଥିବା କୁରେଶି ଭାରତର ସବୁଠୁ ବଡ଼ ମାଂସ ରପ୍ତାନିକାରୀ ହୋଇପାରିଛନ୍ତି। ଗତ ୨୫ ବର୍ଷ ମଧ୍ୟରେ କନ୍‌ଷ୍ଟ୍ରକ୍‌ସନ୍‌ ଓ ଫେସନ୍‌ ସମେତ ସେ ୨୫ କମ୍ପାନି ଖୋଲିଛନ୍ତି।

ସମ୍ବନ୍ଧିତ ଖବର