୭୦ଦିନରେ ସର୍ବନିମ୍ନ ଦୈନିକ ସଂକ୍ରମଣ, ମୃତ୍ୟୁ ୪ ହଜାର ଉପରେ

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋଭିଡ୍‌-୧୯ର ଦ୍ବିତୀୟ ଲହର ସଂକ୍ରମଣ ତଳମୁହାଁ ହୋଇ ଚାଲିଥିବା ବେଳେ ଲଗାତାର ପଞ୍ଚମ ଦିନ ପାଇଁ ଶୁକ୍ରବାର ମଧ୍ୟ ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି। ଏପରିକି ଏହା ୮୦ ହଜାର ପାଖକୁ ଖସି ଆସି ଗତ ୭୦ ଦିନ ଭିତରେ ସର୍ବନିମ୍ନ ହୋଇଛି। ଗତ ଗୁରୁବାର ମହାରାଷ୍ଟ୍ରର ଦୈନିକ ମୃତ୍ୟୁ ସଂଖ୍ୟାରେ ବିହାର ପରି ସଂଶୋଧନ ଆସିବାରୁ ଦୈନିକ ମୃତ୍ୟୁ ୩ ହଜାର ଡେଇଁଥିବା ବେଳେ ଅନୁରୂପ କାରଣ ପାଇଁ ଶୁକ୍ରବାର ଏହି ସଂଖ୍ୟା ୪ ହଜାର ଟପିଯିବା ଘଟଣା ମହାମାରୀର ଭୟାବହତାକୁ ପୁଣି ଜାହିର କରିଛି। ଅବଶ୍ୟ ଲଗାତାର ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟକ ରୋଗୀ ଆରୋଗ୍ୟଲାଭ କରିବା ସହ ସକ୍ରିୟ ମାମଲା ୧୧ ଲକ୍ଷ ତଳକୁ ଖସି ଆସିବା ଆଶ୍ବସ୍ତିର ବିଷୟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଶନିବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ଭିତରେ ଦେଶରେ ୮୪,୩୩୨ ଜଣ ନୂତନ ସଂକ୍ରମିତଙ୍କୁ ଠାବ କରାଯାଇଛି ଯାହା କି ବିଗତ ୭୦ ଦିନ ଭିତରେ ଏବଂ ଚଳିତ ସପ୍ତାହରେ ଦ୍ବିତୀୟ ଥର ଲାଗି ୯୦ ହଜାର ତଳେ ରହିଛି। ପୂର୍ବରୁ ଗତ ସୋମବାର ଦେଶରେ ୮୬,୪୯୮ ଜଣ ନୂତନ ସଂକ୍ରମିତଙ୍କୁ ଠାବ କରାଯାଇଥିଲା। ଶୁକ୍ରବାରର ଏହି ସଂଖ୍ୟା ସହ ବର୍ତ୍ତମାନ ସୁଦ୍ଧା ମୋଟ ୨,୯୩,୫୯,୧୫୫ ଜଣ ଦେଶବାସୀ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁରେ ମଧ୍ୟ ପୂର୍ବପରି ସର୍ବାଧିକ ୧୫,୭୫୯ ଜଣ ସଂକ୍ରମିତ ଟିହ୍ନଟ ହୋଇଥିବା ବେଳେ ତାହା ପଛକୁ କେରଳରେ ୧୪,୨୩୩ ଜଣ, ମହାରାଷ୍ଟ୍ରରେ ୧୧,୭୬୬ ଜଣ, କର୍ଣ୍ଣାଟକରେ ୮,୨୪୯ ଜଣ ଓ ଆନ୍ଧ୍ରପ୍ରଦେଶରେ ୮,୨୩୯ ଜଣ ସଂକ୍ରମିତ ବାହାରିଛନ୍ତି। କେବଳ ଏହି ୫ଟି ରାଜ୍ୟରେ ହିଁ ଦେଶର ୬୯.୩୦ ପ୍ରତିଶତ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ୨୪ ଘଣ୍ଟା ଭିତରେ ଦେଶରେ ୪,୦୦୨ଜଣ କୋଭିଡ୍‌ ପୀଡ଼ିତ ଆଖି ବୁଜିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୩,୬୭,୨୮୫ରେ ପହଞ୍ଚିଛି। ଶୁକ୍ରବାରର ଏହି ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୨,୬୧୯ ଜଣ, ତାମିଲନାଡୁରେ ୩୫୭ଜଣ, କେରଳରେ ୧୭୩ ଜଣ, କର୍ଣ୍ଣାଟକରେ ୧୫୯ଜଣ ଓ ପଶ୍ଚିମବଙ୍ଗରେ ୮୯ ଜଣ ରହିଛନ୍ତି। ସେହିପରି ଲଗାତାର ୩୦ ଦିନ ପାଇଁ ଶୁକ୍ରବାର ମଧ୍ୟ ନୂତନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସଂଖ୍ୟକ କୋଭିଡ୍‌ ପୀଡ଼ିତ ଆରୋଗ୍ୟ ଲାଭ କରିଛନ୍ତି। ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୨୧,୩୧୧ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୭୯,୧୧,୩୮୪ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଥିବା ଜଣାଯାଇଛି। ଏଥି ସହିତ ଗତ ୨୪ ଘଣ୍ଟା ଭିତରେ ଦେଶରେ ସକ୍ରିୟ ମାମଲା ୪୦,୯୮୧ ଖସି ଆସି ୧୦,୮୦,୬୯୦ରେ ପହଞ୍ଚିଛି। ଅପରପକ୍ଷେ, ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୪,୩୩,୭୬୩ ଜଣଙ୍କର ଟିକାକରଣ କରାଯାଇଥିବା ବେଳେ ଅଦ୍ୟାବଧି ମୋଟ ୨୪,୯୬,୦୦,୩୦୪ ଜଣ ନାଗରିକଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର