ସହଯୋଗ ମନ୍ତ୍ରଣାଳୟ ୨୦୨୪ ପାଇଁ ଗେମ୍‌-ଚେଞ୍ଜର ହେବ

ଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନୂତନ ଭାବେ ସୃଷ୍ଟି ହୋଇଥିବା ସହଯୋଗ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯିବା ପରେ ରାଜନୈତିକ ମହଲରେ ନାନା କଥା ଆଲୋଚନା ହେଉଛି। ୨୦୨୪ ସାଧାରଣ ନିର୍ବାଚନକୁ ଲକ୍ଷ୍ୟ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଅନେକେ ଅନୁମାନ କରୁଥିବା ବେଳେ ଦେଶର ସମବାୟ ସମିତିଗୁଡ଼ିକକୁ ପୁନରୁଜ୍ଜୀବିତ କରିବାକୁ ଏବଂ ଭାରତର ଗ୍ରାମାଞ୍ଚଳରେ ମଧ୍ୟସ୍ଥିମାନଙ୍କ ଦ୍ୱାରା କୃଷକଙ୍କ ଶୋଷଣକୁ ବନ୍ଦ କରିବା ପାଇଁ ଏହି ମନ୍ତ୍ରଣାଳୟ ସୃଷ୍ଟି କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ନୂତନ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ପୃଷ୍ଠଭୂମିରେ ମଧ୍ୟ ଏହି ମନ୍ତ୍ରଣାଳୟ ସୃଷ୍ଟିର ଗୁରୁତ୍ବ ରହିଛି। ୨୦୨୨ ମସିହାରେ ପଞ୍ଜାବ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କୃଷକମାନଙ୍କ ସମର୍ଥନ ହାସଲ ପାଇଁ ସରକାର ଏବେ ନୂଆ ରଣନୀତିରେ କାମ କରୁଛନ୍ତି।

କ୍ୟାବିନେଟ ସଚିବାଳୟ ପକ୍ଷରୁ ଜୁଲାଇ ୬ ତାରିଖର ବିବୃତିରେ କୁହାଯାଇଛି ଯେ, ଏହି ମନ୍ତ୍ରଣାଳୟ ଦେଶରେ ସମବାୟ ଆନ୍ଦୋଳନକୁ ମଜବୁତ କରିବା ପାଇଁ ଏକ ପୃଥକ୍‌ ପ୍ରାଶାସନିକ, ଆଇନଗତ ଏବଂ ନୀତିଗତ ଢାଞ୍ଚା ପ୍ରଦାନ କରିବ। ତୃଣମୂଳ ସ୍ତରରେ ପହଞ୍ଚୁଥିବା ପ୍ରକୃତ ଲୋକ-ଆଧାରିତ ଆନ୍ଦୋଳନ ଭାବରେ ଏହା ସମବାୟ ସମିତିଗୁଡ଼ିକୁ ମଜବୁତ କରିବାରେ ସାହାଯ୍ୟ କରିବ। ଭାରତରେ ସଫଳ ସମବାୟ ଆନ୍ଦୋଳନର ଇତିହାସ ରହିଛି। ୧୯୪୬ ମସିହାରେ ପ୍ରତିଷ୍ଠିତ ଅମୁଲ ଏହାର ଏକ ଉଦାହରଣ। ସ୍ଥାନୀୟ ବାଣିଜ୍ୟ ସଂସ୍ଥାଗୁଡ଼ିକର ଶୋଷଣ ସମବାୟ ଆନ୍ଦୋଳନକୁ ତ୍ୱରାନ୍ୱିତ କରିଥିଲା। ଜିଲ୍ଲାର କୃଷକମାନେ ଏହାର ସମାଧାନ ପାଇଁ ମହାନ ଭାରତୀୟ ଦେଶପ୍ରେମୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନିକଟକୁ ଯାଇଥିଲେ। ମଧ୍ୟସ୍ଥିମାନଙ୍କଠାରୁ ମୁକ୍ତି ପାଇବାକୁ ଏବଂ ନିଜର ସମବାୟ ସମିତି ଗଠନ କରିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା କ୍ରୟ, ପ୍ରକ୍ରିୟାକରଣ ଏବଂ ମାର୍କେଟିଂ ସବୁ ସେମାନଙ୍କ ଅଧୀନରେ ରହିବ ଏବଂ ମଧ୍ୟସ୍ଥିମାନେ ଆଉ ଶୋଷଣର ଅବକାଶ ପାଇବେ ନାହିଁ ବୋଲି ପଟେଲ କହିଥିଲେ। ସେଇଠୁ ଅମୁଲ ନାମରେ ବିଭିନ୍ନ ଦୁଗ୍ଧଜାତ ଉତ୍ପାଦ ବିକ୍ରି କରୁଥିବା ସମବ‌ାୟ ସଂସ୍ଥା ‘ଗୁଜରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ ଲିମିଟେଡ୍’ (ଜିସିଏମ୍ଏମ୍ଏଫ୍)ର ସୃଷ୍ଟି ବୋଲି ଅମୁଲ ୱେବସାଇଟରେ ଉଲ୍ଲେଖ ଅଛି। ପଟେଲଙ୍କ ପ୍ରଦତ୍ତ ଏହି ମଡେଲ୍ ବହୁତ ସଫଳ ହୋଇଛି ଯାହାଫଳରେ ଅମୁଲ୍ ବ୍ରାଣ୍ଡ ଅନ୍ତର୍ଗତ ଦୁଗ୍ଧଜାତ ଦ୍ରବ୍ୟର କାରବାର ଆଜି ୩୯,୨୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ନୂତନ କୃଷି ଆଇନ ଦ୍ବାରା ଦେଶର ଅନ୍ୟ ଭାଗରେ ମଧ୍ୟ ଅନେକ ସଫଳ କୃଷି ଏବଂ ପଶୁପାଳନ ସମବାୟ ଆନ୍ଦୋଳନ ଆରମ୍ଭ ହୋଇପାରିବ, ଯାହା କେବଳ କୃଷକଙ୍କ ଆୟ ଏବଂ ଜମିର ଉତ୍ପାଦନ ବୃଦ୍ଧି କରିବ ନାହିଁ ବରଂ ଦେଶର ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ।
ଚାଷୀ ଆନ୍ଦୋଳନର ସମ୍ମୁଖୀନ ହୋଇ ସରକାର ଏ ବିଷୟରେ କିଛିଦିନ ଧରି ଚିନ୍ତା କରିଆସୁଥିଲେ। ଅମିତ ଶାହା ଜଣେ ଦକ୍ଷ ଓ ଭଲ ଟାସ୍କମାଷ୍ଟର ହୋଇଥିବାରୁ ତାଙ୍କୁ ଏହି ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି। ମଲ୍ଟି ଷ୍ଟେଟ ସମବାୟ ସମିତିର ବିକାଶ ପାଇଁ ସରକାର ପ୍ରତିବଦ୍ଧ ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପକ୍ଷରୁ କୁହାଯାଇଛି। ସମବାୟ ସଂସ୍ଥାଗୁଡ଼ିକର ବ୍ୟବସାୟ କାରବାରକୁ ସହଜ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେମାନଙ୍କ ପାଇଁ ଏକ ଅଲଗା ପ୍ରାଶାସନିକ ଢାଞ୍ଚା ପ୍ରତିଷ୍ଠା କରିବାକୁ ଚଳିତ ବର୍ଷ ଆରମ୍ଭରେ ତାଙ୍କ ବଜେଟ୍ ଭାଷଣରେ ପ୍ରସ୍ତାବ ଦେଇଥିଲେ। ତେବେ ଏହି ସହଯୋଗ ମନ୍ତ୍ରଣାଳୟ ୨୦୨୪ ପାଇଁ ଗେମ୍‌-ଚେଞ୍ଜର ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର