ମନସୁଖଙ୍କ ପ୍ରଶାସନିକ ଦକ୍ଷତା ପରଖିବ ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ବେଳେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ। ହସ୍ପିଟାଲରେ ବେଡ୍‌ ଏବଂ ଅକ୍ସିଜେନ୍ ଅଭାବ ଆଦି କାରଣରୁ ମୋଦୀ ସରକାରଙ୍କ ଛବିକୁ ଏହା ଅନେକ ମାତ୍ରାରେ ମଳିନ କରିଥିଲା। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଡ. ହର୍ଷବର୍ଦ୍ଧନଙ୍କୁ ବିଦାକରି ମନସୁଖ ମଣ୍ଡାଭିୟାଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ କରିଛନ୍ତି।

ହର୍ଷବର୍ଦ୍ଧନ ନିଜେ ଜଣେ ଡାକ୍ତର ଥିଲେ। ତାଙ୍କ ନିକଟରେ ସ୍ବାସ୍ଥ୍ୟ ସହିତ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ରହିଥିଲା। ଯଦିଓ କରୋନା କାଳରେ ଟିକାର ବିକାଶ ପାଇଁ ସେ ଦିନରାତି କାମ କରିଥିଲେ ତଥାପି ତାଙ୍କର କେତୋଟି ବୟାନ ସରକାରଙ୍କ ଛବିକୁ ଖରାପ କରି ଦେଇଥିଲା। ଅନ୍ୟପକ୍ଷରେ ନୂଆ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଙ୍କ ପୂରା ନାମ ହେଉଛି ମନସୁଖ ଲକ୍ଷ୍ମଣଭାଇ ମଣ୍ଡାଭିୟା। ସେ ଏବେ ରାଜ୍ୟସଭା ସଦସ୍ୟ ରହିଛନ୍ତି। ପୂର୍ବରୁ ଯୁବାବସ୍ଥାରେ ସେ ଏବିଭିପିର ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିରେ କାର୍ଯ୍ୟ କରିଥିଲେ। ୨୦୦୨ରେ ପାଲିଟଣା ନିର୍ବାଚନ ମଣ୍ଡଳୀରୁ ଜିତି ସର୍ବକନିଷ୍ଠ ବିଧାୟକ ହୋଇଥିଲେ। ତାହା ସହିତ ସେ ଗୁଜରାଟ କୃଷି ଶିଳ୍ପ ନିଗମ ଲିମିଟେଡର ଅଧ୍ୟକ୍ଷ ମଧ୍ୟ ଥିଲେ।

ଏବିଭିପିରୁ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳରୁ ସେ ଆସିଛନ୍ତି। ୨୦୧୬ରୁ ସେ ମୋଦୀ ସରକାରରେ ବିଜେପିର ଜଣେ ଯୁବ ଚେହେରା ରହିଆସିଛନ୍ତି। ୨୦୧୬ ଜୁଲାଇ ୫ ତାରିଖରେ ତାଙ୍କୁ ମୋଦୀ ସରକାରରେ ସଡ଼କ ପରିବହନ ଏବଂ ରାଜପଥ, ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦିଆଯାଇଥିଲା। ୨୦୧୯ ମେ ୩୦ ତାରିଖରେ ତାଙ୍କୁ ଏସବୁ ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ପଦୋନ୍ନତି ଦିଆଯାଇଥିଲା।

୧୯୭୨ ଜୁଲାଇ ୧ ତାରିଖରେ ସେ ଭାବନଗର ଜିଲ୍ଲାର ‌ହନୋଲ ଗ୍ରାମରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ୨୦୧୨ରେ ଏବଂ ଦ୍ବିତୀୟ ଥର ପାଇଁ ୨୦୧୮ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ସେ ଜନଔଷଧି କେନ୍ଦ୍ର ସ୍ଥାପନ ଏବଂ ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ୫୧୦୦ରୁ ଅଧିକ ଜନ ଔଷଧି କେନ୍ଦ୍ର ସ୍ଥାପନ ଏବଂ ୮୫୦ରୁ ଅଧିକ ସୁଲଭ ମୂଲ୍ୟର ଔଷଧ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ହାର୍ଟ ଷ୍ଟେଣ୍ଟ୍ ଏବଂ ଆଣ୍ଠୁ ପ୍ରତ୍ୟାରୋପଣ ଖର୍ଚ୍ଚ ମଧ୍ୟ ତାଙ୍କ ଉଦ୍ୟମ ଯୋଗୁ ହ୍ରାସ ପାଇଛି। ଅକ୍ ସୋ ବାୟୋ‌ଡିଗ୍ରେଡେବଲ୍ ପ୍ରଯୁକ୍ତିରେ ପ୍ରସ୍ତୁତ ୧୦ କୋଟିରୁ ଅଧିକ ସାନିଟାରି ପ୍ୟାଡ୍ ବିକ୍ରି କରିବାରେ ଭାରତ ସଫଳତା ହାସଲ କରିଥିବାରୁ ସେ ୟୁନିସେଫ୍ ଦ୍ବାରା ପ୍ରଂଶସିତ ହୋଇଛନ୍ତି।

ସମ୍ବନ୍ଧିତ ଖବର