ଦୁଷ୍କର୍ମକାରୀଙ୍କ କବଳରୁ ଖସି ଆସିଲେ ନାବାଳିକା

ଅପହରଣ ପରେ ୧୩ ମାସ କାଳ ଭୋଗୁଥିଲେ ଯୌନ ନିର୍ଯାତନା

ଲକ୍ଷ୍ନୌ : ଲକ୍ଷ୍ନୌରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୀର୍ଘ ୧୩ ମାସ କାଳ ବଳପୂର୍ବକ ଦୁଷ୍କର୍ମ କରିବା ସହ ତାଙ୍କୁ ଦେହ ବେପାରରେ ନିୟୋଜିତ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ସୌଭାଗ୍ୟକ୍ରମେ ପୀଡ଼ିତା ଜଣକ ଗତ ଗୁରୁବାର ୪ ଜଣ ଅଭିଯୁକ୍ତଙ୍କ କବଳରୁ ଖସି ଆସିବା ପରେ ଲକ୍ଷ୍ନୌ ମହାନଗର ପୁଲିସ ସେମାନଙ୍କୁ ଗିରଫ କରିଛି। ନାବାଳକ ଜଣକ ଏବେ ୫ ମାସର ଗର୍ଭବତୀ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଣେ ନେପାଳୀ ନାଗରିକ ଏକ ବିଦ୍ୟାଳୟର ସୁରକ୍ଷା କର୍ମୀ ବୋଲି ଜଣାଯାଇଛି।

ପୀଡ଼ିତା ନାବାଳିକାଙ୍କୁ କୌଣସି ନା କୌଣସି ଠାରେ ଗୃହ ସହାୟିକା ଭାବେ ଚାକିରି କରାଇଦେବାର ଲୋଭ ଦେଖାଇ ମୁଖ୍ୟ ଅଭିଯୁକ୍ତ ଉପ୍ରେତ କୁମାର ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଯାଉଥିଲା। ଏହି ମଉକାରେ ସେ ଗତ ୧୩ ମାସ ହେଲା ନାବାଳିଙ୍କୁ ଦୁଷ୍କର୍ମ କରି ଚାଲିଥିଲା। ଏପରିକି ସମୟ ସମୟରେ ସେ ଅର୍ଥଲୋଭରେ ନାବାଳିକାଙ୍କୁ ଦେହସମ୍ପର୍କ ରଖିବା ପାଇଁ ଅନ୍ୟମାନଙ୍କ ହାତରେ ମଧ୍ୟ ଟେକି ଦେଉଥିଲା ବୋଲି ପୁଲିସ କହିଛି। ତେବେ ଏତିକିରେ ନାବାଳିକାଙ୍କର ଦୁଃଖର ଅନ୍ତ ଘଟିନି। ଗତ ୧୫ ଦିନ ହେଲା ଅଭିଯୁକ୍ତ ଉପ୍ରେତ ପୀଡ଼ିତାଙ୍କୁ ଏକ ନିବୁଜ କୋଠରିରେ ବନ୍ଦୀ ରଖି ବାରମ୍ବାର ବଳାତ୍କାର କରିଥିଲା ଏବଂ ଖାଇବାକୁ ମଧ୍ୟ ଦେଇନଥିଲା ବୋଲି ସେ କହିଛନ୍ତି। ତେବେ କୌଣସି ମତେ ପୀଡ଼ିତା ନାବାଳିକା ସେହି ବନ୍ଦ ଘରୁ ଖସି ପଳାଇ ଆସିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ ପୋକ୍‌ସୋ ଆଇନରେ ଏକ ମାମଲା ରୁଜୁ କରି ଏହି ଚାରି ଜଣଙ୍କୁ ଗିରଫ କରିବା ସହ ଘଟଣାରେ ଅନ୍ୟ କେହି ସଂପୃକ୍ତ ଥିବା ନେଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର