ନାବାଳିକାକୁ ଦୁଷ୍କର୍ମ ପରେ ହାତୁଡ଼ିରେ ପିଟି ହତ୍ୟା: ଅଭିଯୁକ୍ତ ଗିରଫ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଇନ୍ଦିରା ନଗରରେ ଆଜି ଏକ ବର୍ବର କାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ୧୬ ବର୍ଷୀୟ ନାବାଳକ ଜଣେ ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବାପରେ ନାବାଳିକାର ମୁଣ୍ଡକୁ ହାତୁଡ଼ିରେ ପିଟି ହତ୍ୟା କରିଛି ଏବଂ ଏହାପରେ ମୃତଦେହକୁ ଫ୍ୟାନ୍‌ରେ ଟାଙ୍ଗି ଦେଇଛି। ଅଭିଯୁକ୍ତ ୧୬ ବର୍ଷୀୟ ସାହିଦକୁ ପୁଲିସ ଗିରଫ କରିଛି। ପୀଡ଼ିତା ନାବାଳିକାର ବାପା ପୁଲିସରେ କରିଥିବା ଅଭିଯୋଗ ଅନୁଯାୟୀ ସାହିଦ ତାଙ୍କ ଝିଅକୁ ଗତ କିଛି ଦିନ ହେବ ହଇରାଣ କରୁଥିଲା। ବୁଧବାର ଦିନ ସେମାନେ କେହି ଘରେ ନଥିବାବେଳେ ସାହିଦ ତାଙ୍କ ଘରେ ପଶି ତାଙ୍କ ଝିଅକୁ ଦୁଷ୍କର୍ମ କରିଥିଲା ଏବଂ ଏହାପରେ ସେ ତା’ମୁଣ୍ଡକୁ ହାତୁଡ଼ିରେ ପିଟି ହତ୍ୟା କରିବା ପରେ ମର ଶରୀରକୁ ଫ୍ୟାନ୍‌ରେ ଟାଙ୍ଗି ଦେଇଥିଲା। ସେମାନେ ଘରକୁ ଫେରିବା ସମୟରେ ଅଭିଯୁକ୍ତ ସାହିଲକୁ ‌ଦୌଡ଼ି ପଳାଉଥିବା ଦେଖିଥିଲେ। ପରେ ଘରେ ପହଞ୍ଚିବାପରେ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହାପରେ ସେମାନେ ପୁଲିସରେ ମାମଲା ରୁଜୁ କରିଥିଲେ। ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚି ନାବାଳିକାର ମୃତଦେହ ଜବତ କରିଥିଲା। ନାବାଳିକାର ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଗତକାଲି ବିଳମ୍ବିତ ରାତିରେ ପୁଲିସ ସାହିଦକୁ ଗିରଫ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅଭିଯୁକ୍ତ ସାହିଦ ତା’ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଉକ୍ତ ନାବାଳିକା ସହ ପ୍ରେମ ସଂପର୍କରେ ଥିଲା ବୋଲି କହିଛି। ଉତ୍ତର ଲକ୍ଷ୍ନୌ ଡିସିପି କସିମ ଅବଦି କହିଛନ୍ତି, ଉକ୍ତ ଘଟଣାରେ ଏତଲା ରୁଜୁ ହୋଇଛି ଏବଂ ପୀଡ଼ିତା ପରିବାରର ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର