ବେଙ୍ଗାଲୁରୁ/ହାଇଦ୍ରାବାଦ: ରବିବାର ବେଙ୍ଗାଲୁରୁର ଏକ କୋଚିଂ ସେଣ୍ଟରରୁ ଜଣେ ୧୨ ବର୍ଷୀୟ ନାବାଳିକ ନିଖୋଜ ହୋଇଥିଲା। ତିନି ଦିନ ପରେ ଆଜି ପୁଲିସ ନାବାଳକଙ୍କୁ ହାଇଦ୍ରାବାଦର ମେଟ୍ରୋ ଷ୍ଟେସନରୁ ଉଦ୍ଧାର କରିଛି। ତେବେ ଉଦ୍ଧାର ହେବା ଘଟଣା ଯେତିକି ଆଶ୍ବସ୍ତିକର, ହାତରେ ୧୦୦ ଟଙ୍କା ଧରି ତିନିଟି ସହର ଓ ୫୭୦ କିମି ଯାତ୍ରା କରିବା ସେତିକି ରୋଚକକର ଅଟେ। ଷଷ୍ଠ ଶ୍ରେଣୀ ଛାତ୍ର ପରିନଭ, ବେଙ୍ଗାଲୁରୁର ଡିନ୍ସ ଏକାଡେମୀ କୋଚିଂ ସେଣ୍ଟରରେ ପଢ଼ୁଥିଲା। ରବିବାର କୋଚିଂ ସେଣ୍ଟରକୁ ଯାଇ ପରିନଭ ଆଉ ଘରକୁ ଫେରିନଥିଲା। ଏନେଇ ବାପା-ମା ଅନେକ ଖୋଜାଖୋଜି କରିବା ପରେ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ତନାଘନା ଆରମ୍ଭ କରିଥିଲା। ସିସି ଟିଭି ଫୁଟେଜ୍ର ଯାଞ୍ଚରୁ ପରିନଭ ସକାଳ ୧୧ଟା ବେଳେ ହ୍ବାଇଟଫିଲ୍ଡ ଅଞ୍ଚଳରେ ଥିବା କୋଚିଂ ସେଣ୍ଟରରୁ ବାହାରିଥିଲା। ଅପରାହ୍ଣ ୩ଟା ବେଳେ ୟେମଲୁରୁର ଏକ ପେଟ୍ରୋଲ୍ ପମ୍ପ ଠାରେ ଦେଖିବାକୁ ମିଳିଥିଲା। ଏହାପରେ ତାକୁ ଶେଷ ଥର ପାଇଁ ବେଙ୍ଗାଲୁରୁର ମାଜେଷ୍ଟିକ୍ ବସ୍ ଟର୍ମିନସ୍ ଠାରେ ବସ୍ରୁ ଓହ୍ଲାଇବା ବେଳେ ଦେଖିବାକୁ ମିଳିଥିଲା। ପରେ ସେଠାରୁ ମହିଶୂର ଓ ସେଠାରୁ ଚେନ୍ନାଇ ଦେଇ ହାଇଦ୍ରାବାଦରେ ପହଞ୍ଚିଥିଲେ। ପରିନଭ ନିକଟରେ କେବଳ ୧୦୦ ଟଙ୍କା ଥିଲା। ତେବେ ତିନି ଦିନ ଧରି ବସ୍ ଖର୍ଚ୍ଚ, ଖାଇବା ଆଦିର ଖର୍ଚ୍ଚ କିଭଳି ମେଣ୍ଟାଇଲା ସେନେଇ ପୁଲିସ କହିଛନ୍ତି ଯେ ନିଜ ନିକଟରେ କେତେକ ଦାମୀ ପାର୍କର ପେନ୍ ରହିଥିଲା। ସେଗୁଡ଼ିକୁ ସେ ୧୦୦ଟଙ୍କା ଲେଖାଏଁ ବିକ୍ରି କରିଥିଲେ। ଏପରିକି ଏକ ସିସି ଫୁଟେଜ୍ରେ ଜଣେ ଗ୍ରାହକକୁ ଏହି ପେନ୍ ବିକ୍ରି କରୁଥିବା ଦେଖିବାକୁ ମିଳିଛି।
ପରିନଭଙ୍କ ମା’ ପରିନଭର ଫଟୋ ସହ ଏକ ଭିଡ଼ିଓ ମେସେଜ ସାମାଜିକ ଗଣମାଧ୍ୟମରେ ଜାରି କରିଥିଲେ। ଏହି ପୋଷ୍ଟ ବହୁଳମାତ୍ରାରେ ପ୍ରଚାର ହୋଇଥିଲା। ଶେଷରେ ଲୋକମାନେ ପରିନଭକୁ ହାଇଦ୍ରାବାଦ ମେଟ୍ରୋ ଷ୍ଟେସନଠାରେ ଦେଖି ପରିନଭଙ୍କ ବାପା-ମାଙ୍କୁ ଫୋନ୍ କରି ଜଣାଇଥିଲେ। ବର୍ତମାନ ପରିନଭ ଉଦ୍ଧାର ହୋଇଥିବା ଓ ତାକୁ ସକୁଶଳେ ଘରକୁ ନେଇ ଫେରୁଥିବା ସମ୍ପର୍କରେ ପରିନଭଙ୍କ ମା’ ସାମାଜିକ ଗଣମାଧ୍ୟମରେ ସୂଚିତ କରିଛନ୍ତି ଓ ଖୋଜିବାରେ ସହାୟତା କରିଥିବା ସମସ୍ତ ଅଜଣା ସହାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।