ନୂଆଦିଲ୍ଲୀ: କୌଣସି ମହିଳା ଯଦି ତାଙ୍କ ପୁରୁଷ ବନ୍ଧୁଙ୍କ ସହ ନିଜ ଇଚ୍ଛାରେ ଲିଭ୍ ଇନ୍ ସଂପର୍କରେ ଥିବେ ତେବେ ତାଙ୍କ ସହ ସମ୍ପର୍କ ତିକ୍ତ ହେବାପରେ ସେ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିପାରିବେନି। ସୁପ୍ରିମକୋର୍ଟ ଆଜି ଏକ ମାମଲାର ଶୁଣାଣି କରିବା ସମୟରେ ଏଭଳି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଜଷ୍ଟିସ୍ ହେମନ୍ତ ଗୁପ୍ତା ଏବଂ ବିକ୍ରମ ନାଥଙ୍କ ଖଣ୍ଡପୀଠ ଦୁଷ୍କର୍ମ ଅଭିଯୋଗର ଶିକାର ହୋଇଥିବା ଜଣେ ବ୍ୟକ୍ତି ଅନସାର ମହମ୍ମଦଙ୍କୁ ଆଗୁଆ ଜାମିନ ମଂଜୁର କରିବା ସହ ଏହି ମନ୍ତବ୍ୟ ରଖିଛନ୍ତି। ଅନ୍ସାର ପୂର୍ବରୁ ରାଜସ୍ଥାନ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ରାଜସ୍ଥାନ ହାଇକୋର୍ଟରୁ ତାଙ୍କୁ ଆଗୁଆ ଜାମିନ ମିଳିନଥିଲା। ତେଣୁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଆଜି ଅନ୍ସାର ମହମ୍ମଦଙ୍କ ଆବେଦନର ଶୁଣାଣି କରି ତାଙ୍କ ବିରୋଧରେ ରାଜସ୍ଥାନ ହାଇକୋର୍ଟ ପୂର୍ବରୁ ଦେଇଥିବା ରାୟ ଉପରେ ରୋକ୍ ଲଗାଇଛନ୍ତି ଏବଂ ତାଙ୍କୁ ଆଗୁଆ ଜାମିନ ମଂଜୁର କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଅଭିଯୋଗକାରିଣୀ ମହିଳା ନିଜ ଇଚ୍ଛାରେ ଆବେଦନକାରୀଙ୍କ ସହ ଲିଭ୍ ଇନ୍ ରିଲେସନସିପ୍ରେ ରହିଥିଲେ। ଯଦି ଏବେ ସମ୍ପର୍କ ଖରାପ ହୋଇଯାଇଛି ଏହାର ମାନେ ନୁହେଁ ଯେ ସେ ତାଙ୍କ ବିରୋଧରେ ଆଇପିସି ଧାରା ୩୭୬ (୨) (ଏନ୍) ଅଧୀନରେ ଏତଲା ରୁଜୁ କରିବେ।
କୋର୍ଟ କହିଛନ୍ତି, ଅଭିଯୋଗକାରିଣୀ ମହିଳାଙ୍କ ଅନ୍ସାରଙ୍କ ସହ ୪ ବର୍ଷ ଧରି ସମ୍ପର୍କ ଥିବା ସେ ନିଜେ ସ୍ବୀକାର କରିଛନ୍ତି। ସମ୍ପର୍କ ଆରମ୍ଭ ହେବା ସମୟରେ ତାଙ୍କୁ ୨୧ ବର୍ଷ ହୋଇଥିଲା। ଏହି ଦୃଷ୍ଟିରୁ କୋର୍ଟ ଆବେଦନକାରୀଙ୍କୁ ଆଗୁଆ ଜାମିନ ଦେଇଥିବା କହିଛନ୍ତି। କିନ୍ତୁ ଖଣ୍ଡପୀଠ କହିଛନ୍ତି, କେବଳ ଆଗୁଆ ଜାମିନ ଦିଆଯାଇଛି ଏବଂ କୋର୍ଟ ରାୟ ଦ୍ବାରା ତଦନ୍ତ ପ୍ରକ୍ରିୟା ଆଦୌ ପ୍ରଭାବିତ ହେବନାହିଁ। ଉଲ୍ଲେଖଯୋଗ୍ୟ, ଅନସାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ତାଙ୍କ ସହ ୪ ବର୍ଷ ଲିଭ ଇନ୍ରେ ରହିଥିଲେ। ତାଙ୍କର ଏକ ଶିଶୁ ମଧ୍ୟ ଜନ୍ମ ହୋଇଛି। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ପୁରୁଷ ବନ୍ଧୁ ତାଙ୍କ ସହ ଛଳନା କରିଛନ୍ତି ଏବଂ ଏବେ ବିବାହ କରିବାକୁ ମନା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଯୁକ୍ତିକୁ ଆଧାର କରି ରାଜସ୍ଥାନ ହାଇକୋର୍ଟ ଅନ୍ସାରଙ୍କୁ ଆଗୁଆ ଜାମିନ ଦେଇନଥିଲେ।