ନୂଆଦିଲ୍ଲୀ: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଏବେ ସାରା ଦେଶରେ ସକ୍ରିୟ ଥିବାରୁ ସବୁ ରାଜ୍ୟରେ ବର୍ଷା ହେବ ଏବଂ ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ଼, କୋଙ୍କଣ, ଗୋଆ, ଉପକୂଳ କର୍ଣ୍ଣାଟକ ଓ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର କହିବା ଅନୁସାରେ ଜମ୍ମୁ-କାଶ୍ମୀର, ଲେହ-ଲଦାଖ, ଗିଲଗିଟ-ବାଲଟିସ୍ତାନ, ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜାଫରାବାଦ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଓଡ଼ିଶା, ଅରୁଣାଚଳପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା ଓ ଗୁଜରାଟରେ ବି ପ୍ରବଳ ବର୍ଷା ହୋଇପାରେ। କେତେକ ଅଞ୍ଚଳରେ ଘଡ଼ଘଡ଼ି ଓ ବିଜୁଳି ମାରିବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେବେ କେନ୍ଦ୍ର ଓ ଉତ୍ତରପଶ୍ଚିମ ଭାରତର କିଛି ରାଜ୍ୟରେ ମୌସୁମୀ ଟିକେ ଧିମେଇଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।
ବର୍ଷାରେ ମୁମ୍ବାଇ ଉବୁଟୁବୁ
ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଂଚଳ ଜଳବନ୍ଦୀ ହୋଇଯାଇଛି ଏବଂ ଟ୍ରାଫିକ୍ ସମସ୍ୟା ଉପୁଜିଛି। ଅନ୍ଧେରି, ଘଟକୋପୁର, ଚେମ୍ବୁର, ଧାରାବୀ, ଦାଦର, ୱାଡଲା ଏବଂ ପାନବେଲରେ ରାସ୍ତାଘାଟରେ ପାଣି ଚାଲିଛି। ରେଳ ଟ୍ରାକ୍ରେ ପାଣି ଜମିଯିବାରୁ ମୁମ୍ବାଇରେ ଆଜି ଟ୍ରେନ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ସିଅନ, ଚେମ୍ବୁର, ବାନ୍ଦ୍ରା, ଏୟାର ଇଣ୍ଡିଆ କଲୋନି ଏବଂ କୁର୍ଲାରେ ବସ୍ଗୁଡ଼ିକର ରୁଟ୍ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାର ସକାଳ ୮ଟାରୁ ୧୧.୩୦ ପର୍ଯ୍ୟନ୍ତ ମୁମ୍ବାଇ ସହର ହାରାହାରି ୪୧ ମିମି ବର୍ଷାଜଳ ଗ୍ରହଣ କରିଛି। ଅନ୍ୟପକ୍ଷେ ପୂର୍ବ ଏବଂ ପଶ୍ଚିମ ସହର ଯଥାକ୍ରମେ ୮୫ ଏବଂ ୫୫ ମିମି ବର୍ଷାଜଳ ଗ୍ରହଣ କରିଛି। ମୁମ୍ବାଇରେ ଆସନ୍ତା କିଛିଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସହରରେ ୫ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁମ୍ବାଇ ଏବଂ ପଡ଼ୋଶୀ ଜିଲ୍ଲାମାନଙ୍କର କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ କହିଛନ୍ତି । ଏନଡିଆରଏଫ୍ ଟିମ୍ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ସିନ୍ଦେ ମୁଖ୍ୟ ସଚିବ ମନୁକୁମାର ଶ୍ରୀବାସ୍ତବଙ୍କ ସହ ଏସଂକ୍ରାନ୍ତରେ ଆଲୋଚନା କରିଛନ୍ତି।