ସଂସଦର ମୌସୁମୀ ଅଧିବେଶନ ଆରମ୍ଭ: ୮ ବିଲ୍‌ ଆଗତ, ୨ ଗୃହୀତ

ନୂଆଦିଲ୍ଲୀ: କରୋନା ମହାମାରୀ କଟକଣା ମଧ୍ୟରେ ସଂସଦରେ ଆଜି ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବ ନିର୍ବାଚିତ ଉପାଧ୍ୟକ୍ଷଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ। ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାଂସଦଙ୍କ କରୋନା ରିପୋର୍ଟ ପ୍ରକାଶ ପାଇଥିଲା। ୩୦ ଜଣ ସାଂସଦ କରୋନା ପଜିଟିଭ୍‌ ଜଣାପଡ଼ିଥିଲେ। ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସମ୍ପର୍କରେ କହିବା ସହ ଭାରତରେ କରୋନା ମୃତ୍ୟୁହାର ସର୍ବନିମ୍ନ ବୋଲି କହିଥି‌ଲେ।

ସେହିଭଳି କୋଭିଡ ଆରୋଗ୍ୟ ହାରରେ ଭାରତ ପ୍ରଥମ ସ୍ଥାନରେ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଥିଲେ। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍‌ ସୀମା ବିବାଦ ନେଇ ଦେଶବାସୀ ଏକ ହୋଇ ଲଢ଼ିବାକୁ ଆହ୍ବାନ ଦେଇଥିଲେ। ଆଜି ରାଜ୍ୟସଭାରେ ମୌସୁମୀ ଅଧିବେଶନ ଆରମ୍ଭରୁ ନୂତନ ସଦସ୍ୟ ଭାବେ ଜେଏମ୍‌ଏମ୍‌ର ଶିବୁ ସୋରେନ୍‌, ଡିଏମ୍‌କେର ଟି. ଶିବା ଶପଥ ଗ୍ରହଣ କରିଥିଲେ। ନିକଟରେ ପରଲୋକ ହୋଇଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉଦ୍ଦେଶ୍ୟରେ ରାଜ୍ୟସଭାକୁ ଘଣ୍ଟାଏ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନରେ ପ୍ରଶ୍ନକାଳକୁ ସ୍ଥାନ ଦିଆଯାଉ ବୋଲି ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍‌ ଓ ବ୍ରେନ୍‌ ପ୍ରଶ୍ନ ଉଠାଇଥିଲେ। ଏହାକୁ ବିରୋଧୀ କଂଗ୍ରେସ ସମର୍ଥନ କରିଥିଲେ। ଆଜି ପ୍ରଥମ ଦିନରେ ଲୋକସଭାରେ ୪୦୦ ସାଂସଦ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ୮ଟି ବିଲ୍‌ ଲୋକସଭାରେ ଆଗତ ହୋଇଥିବାବେଳେ ୨ଟି ବିଲ୍‌ ଗୃହୀତ ହୋଇଛି ବୋଲି ବାଚସ୍ପତି ଓମ୍‌ ବିର୍ଲା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର